Unknown

 

 

 

 

 

 

 

 

 

 

 

କ୍ରୀତଦାସର ସ୍ୱପ୍ନ

ଚନ୍ଦ୍ରଶେଖର ରଥ

 

ସୂଚୀପତ୍ର

 

୧.

କ୍ରୀତଦାସର ସ୍ୱପ୍ନ

୨.

କଣିକ ଉବାଚ

୩.

ଅଜାତଶତ୍ରୁ

୪.

ଗୁରୁ

୫.

ନୀତିପ୍ରୟୋଗ

୬.

ଆପଣା କଲା କର୍ମମାନ

୭.

ଶାସନ ଚିନ୍ତା

୮.

ରଚନା ସଂପର୍କରେ

୯.

ସମୟ ନାହିଁ

୧୦.

ସର୍ପଯଜ୍ଞ

Image

 

କ୍ରୀତଦାସର ସ୍ୱପ୍ନ

 

ନିଜକୁ ପ୍ରଥମେ କ୍ରୀତଦାସ ବୋଲି ଅନୁଭବ କରିବା କ୍ରୀତଦାସ ଜୀବନର ଯେତିକି ବଡ଼ ଆବିଷ୍କାର, କୌଣସି ବିକଳ୍ପ ସମ୍ଭାବନାକୁ ନେଇ ତେଣିକି ସ୍ୱପ୍ନ ବିଭୋର ହେବା ସେତିକି ସ୍ୱାଭାବିକ-। ସ୍ୱପ୍ନ ପାଇଁ ମରିବା କିମ୍ବା ମାରିବା ସ୍ୱାଭାବିକ । ସ୍ୱପ୍ନ ଅବାଧ, ସେଥିପାଇଁ ଅବୈଧ ହେବାରେ ମଧ୍ୟ କିଛି ଯାଏ ଆସେ ନାହିଁ । ସ୍ୱପ୍ନ ମନ-ଗମ୍ଭୀରାର ବଣିଜ । ସେ ଭିତରକୁ ଆଉ କାହାରି ପ୍ରବେଶ କରିବାର ଅଧିକାର ନାହିଁ । ଗୁପ୍ତଅଙ୍ଗ ଭଳି ସେ ଗୁପ୍ତରାଜ୍ୟକୁ ବଳାତ୍କାର ଅନାବୃତ କରିବାର ଶକ୍ତି କାହାରି ନାହିଁ । ସ୍ୱୟଂ ସେ ସ୍ୱପ୍ନମାନଙ୍କୁ ପ୍ରଘଟ କରିବାର ଦାୟିତ୍ୱ ତା’ର ନାହିଁ । ପ୍ରଘଟ କରିଦେବାର ପ୍ରବଳ ପ୍ରଲୋଭନ ସତ୍ତ୍ୱେ ସେଥିପାଇଁ ସାହାସ ମଧ୍ୟ ତା’ର ନାହିଁ । ସେହି ବିସ୍ତୀର୍ଣ୍ଣ ଆଶୁ-ସମ୍ଭବ ରାଜ୍ୟରେ ସବୁଠାରୁ ପ୍ରିୟ ସ୍ୱପ୍ନଗୁଡ଼ିକୁ ମହାର୍ଘ-ମାଣିକ୍ୟ ପରି ସେ ଲୁଚେଇ ରଖିଥାଏ । ପରକୀୟା ପ୍ରଣୟ ପରି ଅତି ଗୋପନ–ସମ୍ଭୋଗ ପାଇଁ କ୍ରୀତଦାସ ସେମାନଙ୍କୁ ସମ୍ପାଦି ରଖିଥାଏ । ସେଥିରୁ କେବଳ ସାମନ୍ୟ ଅଂଶ ପ୍ରକାଶିତବ୍ୟ ।

 

ପ୍ରଥମେ ଏଇ କ୍ରୀତଦାସଟିକୁ ଚିହ୍ନିତ କରାଯାଉ । କିଛି ଅର୍ଥ ବିନିମୟରେ ଏହାକୁ ଛାଗଳ ପରି ଖୋଲାବଜାରରେ କିଣାଯାଇପାରେ । ପିଠିରେ କୋରଡ଼ା ମାରି କିମ୍ବା ଗାଲ ଓ ସ୍ତନାଗ୍ର ଭଳି କୋମଳ ଅଂଶକୁ ଚିମୁଟାରେ ଛିଣ୍ଡାଇ ତା’ର ସହନଶୀଳତା ପରୀକ୍ଷା କରାଯାଏ । କାନ୍ଧ ଉପରେ ଅଥବା ବୁକୁ ଉପରେ ଠିଆ ହୋଇ ଭାରବାହୀ ଶକ୍ତି କଳନା କରାଯାଏ । କେତେ କମ୍ ଖାଦ୍ୟ ଏବଂ ଉଚ୍ଛିଷ୍ଟ ପରି କେଡ଼େ ଘୃଣିତ ଏବଂ ବର୍ଜନୀୟ ଖାଦ୍ୟ ଖାଇ ସେ ସନ୍ତୁଷ୍ଟ ହୋଇପାରୁଛି ତାହା ସେଇ ବଜାରରେ ପରୀକ୍ଷା କରି ଦେଖାଯାଏ । ନାରୀ ହୋଇଥିଲେ ରମଣୀୟତା, ବାଳକ ହୋଇଥିଲେ ଅନ୍ୟ ଯୌନାଚାର ପାଇଁ ଯୋଗ୍ୟତା ବିଚାରକୁ ନିଆଯାଏ । ୟା’ ବାହାରେ କ୍ରୀତଦାସର ସେପରି କୌଣସି ବ୍ୟବହାରରେ ଆସୁନଥିବା ଜିଭ ଯଦି କଟାହୋଇଥାଏ; ଚିହ୍ନଟ ପାଇଁ ଶରୀରର ଅତ୍ର ତତ୍ର ଗଭୀର ଲଛାଦାଗ ଥାଏ, ରାତିରେ ବେଡ଼ି ପିନ୍ଧିଥିବା ଫଳରେ ହାତ ପାଦରେ ବିଣ୍ଡି ପଡ଼ିଥାଏ, ଭାର ବୋହିବା ଫଳରେ କାନ୍ଧରେ ଗଣ୍ଠି ପଡ଼ିଯାଇଥାଏ, ତେବେ ତାକୁ ସୁଲକ୍ଷଣ ବୋଲି ଗ୍ରହଣ କରାଯାଏ । କୌଣସି ନିର୍ଯାତନାରେ ଉତ୍ପୀଡ଼ିତ ନ ହେବା ଏବଂ କୌଣସି ପ୍ରତିବାଦ ନକରି ତୋଷାମଦ କରିପାରୁଥିବା ଅନ୍ୟାନ୍ୟ ବାଞ୍ଛନୀୟ ଲକ୍ଷଣ । କିନ୍ତୁ ସବୁଠାରୁ ବିଶିଷ୍ଟ ଲକ୍ଷଣ ହେଲା ଯେ, ସେ ନିଜେ କ୍ରୀତଦାସ ବୋଲି ବୁଝିବାର ଅସମର୍ଥତା ।

 

ଏସବୁ ବୁଝିବିଚାରି କ୍ରୀତଦାସକୁ ପଣ୍ୟରୂପେ କିଣାଯାଏ । ସହସ୍ର ସଂଖ୍ୟାରେ ଗୋଠ ଗୋଠ କିଣି ଅଡ଼େଇ ନିଆଯାଏ । ପତରଛାଉଣି, ମାଟିକାନ୍ଥର କୁଡ଼ିଆ, ଖାଲ ଢିପ ମାଟିଚଟାଣ, ତା’ର ପରିବେଶ, ଖଟଣି, ଖାଦ୍ୟ, ବ୍ୟବହାର କୌଣସିଠାରେ ରୁକ୍ଷତାର ଯେପରି ଅଭାବ ନ ରହେ ସେଥିପ୍ରତି ଦୃଷ୍ଟି ଦିଆଯାଏ । ନ ହେଲେ ସେ ସୁକୁମାର ହୋଇଯାଇପାରେ । ତା’ର କ୍ରେତା ଯେକେହି ହୋଇପାରନ୍ତି–ବ୍ୟବସାୟୀ, ଅନୁଷ୍ଠାନ କିମ୍ବା ଖୋଦ୍‌ ଗାଦିନସିନ ଶାସକ । ତାକୁ ଯେକୌଣସି ଜାଗାରେ ବ୍ୟବହାର କରାଯାଇପାରେ–ପଥରଖଣି, ଲୁହାଆଉଟା କୁଣ୍ଡ ସୁଡ଼ଙ୍ଗ–ଦପ୍ତର । ସେଥିରେ କିଛି ଯାଏଆସେ ନାହିଁ । ସବୁ କ୍ଷେତ୍ରରେ କିନ୍ତୁ ମନେରଖିବାକୁ ହେବ ଯେ, ତା’ର ଲୁହ ଲୁହ ନୁହେଁ, ରକ୍ତ ରକ୍ତ ନୁହେଁ, ତା’ର ଯନ୍ତ୍ରଣା ନୁହେଁ । ତାକୁ ମାରିଦେଲେ ହତ୍ୟାପରାଧ ହୁଏ ନାହିଁ । ସେ ନିରାହାରରେ ମରିଗଲେ ପାପ ହୁଏ ନାହିଁ । ତା’ର ରୋଗ ପାଇଁ ଔଷଧ ନାହିଁ । ରୋଗ ସହିତ ଯୁଦ୍ଧ କରିବାକୁ ତାକୁ ଛାଡ଼ିଦିଆଯାଇପାରେ । କିଏ ଜିଣିଲା ବା ହାରିଲା ଲକ୍ଷ୍ୟ କରିବାର ପ୍ରୟୋଜନ ନାହିଁ । ତାକୁ ଅହରହ କ୍ଷୁଧାର୍ତ୍ତ, ଭୟାର୍ତ୍ତ, କ୍ଲାନ୍ତ କରି ରଖିବା ବିଧେୟ । କୌଣସି ମନସ୍କ–ପ୍ରାଣୀର ଅଧିକାର ବା ସୁଯୋଗ ତା’ର ପ୍ରାପ୍ୟ ନୁହେଁ । ସ୍ୱପ୍ନପ୍ରବଣତା କ୍ରୀତଦାସ ଜୀବନରେ ସବୁଠାରୁ ଗର୍ହିତ ଦୋଷ ଏବଂ ବିଡ଼ମ୍ବନା । ମନେରଖିବାକୁ ହେବ ଯେ, ମେଘାଚ୍ଛନ୍ନ ଆକାଶ ପରି ଯନ୍ତ୍ରଣା–କାତର ଜୀବନରେ କୌଣସି ଶୀତଳ ନୀଳ ସ୍ୱପ୍ନର ସମ୍ଭାବନା ନାହିଁ ।

 

ତଥାପି ଗଭୀର ନିଶାର୍ଦ୍ଧରେ ଅତି ସନ୍ତର୍ପଣରେ କ୍ରୀତଦାସ ସ୍ୱପ୍ନ ଦେଖେ । ତା’ର କାରଣ ହେଲା ଯେ, ଦିନେ ଆକସ୍ମିକ ଭାବରେ ସେ ନିଜକୁ ଆବିଷ୍କାର କରି ପକାଏ । ଆବେଗ ଏବଂ ହୃତ୍‌କମ୍ପ ଭିତରେ ସେ ଅନୁଭବ କରେ ଯେ, ତା’ ହାତରେ ସେ ସର୍ଦ୍ଦାର ଧରିଥିବା କୋରଡ଼ାକୁ ଧରିପାରେ । ସର୍ଦ୍ଦାରର ଅବୟବ ସହିତ ତା’ ନିଜ ଅବୟବର କୌଣସି ପାର୍ଥକ୍ୟ ନାହିଁ । ସେ ଚାହିଁଲେ ତା’ ଭଳି କଥା କହିପାରେ, ପୋଷାକ ପିନ୍ଧିପାରେ । ସେ ଉଞ୍ଚ ଉଞ୍ଚ ଧଳା କାନ୍ଥର କୋଠାରେ ରହିପାରେ । ସେ ଗୋଲାପ ବଗିଚାରେ ବୋହିଯାଉଥିବା ନିର୍ମଳ ପାଣିରେ ମୁହଁ ଲଗେଇ ପେଟେ ପିଇଦେଇପାରେ । ତା’ର ରୋମାଞ୍ଚ ହୁଏ । ଦ୍ୱିପ୍ରହରର ନିଆଁଝୁଲ ପରି ଖରା ତାକୁ ବିବ୍ରତ କରିପାରେ ନାହିଁ । ସେ ଲୁଚେଇ ଲୁଚେଇ ସେ ଆବିଷ୍କାରକୁ ଲକ୍ଷ୍ୟ କରେ । ଲୁଚେଇ ଲୁଚେଇ ତାକୁ ଆସ୍ୱାଦ କରେ । ଯନ୍ତ୍ରଣା, ଅବସାଦ, ନିଦ୍ରା, କ୍ଷୁଧା ସବୁ ସେଇ ଲୁହାଜଞ୍ଜିର ଭଳି ତା’ ଦେହକୁ ମାତ୍ର ଆଶ୍ରୟ କରି ପଡ଼ି ରହନ୍ତି । ସେ ମୁକୁଳିଯାଏ ମନ ରାଜ୍ୟକୁ, ସ୍ୱପ୍ନ ରାଜ୍ୟକୁ ।

 

ସେ ପୁଣି ଆଚମ୍ବିତ ହୋଇ ଆବିଷ୍କାର କରେ, ମେଣ୍ଢା ବା ଗୋରୁଭଳି ତାକୁ ବଞ୍ଚିବାକୁ ହେଉଛି । ସେଇଭଳି ସେ ଶ୍ରମ କରୁଛି । ସେଇଭଳି ଖାଉଛି । ସେଇଭଳି ଶୋଉଛି । ସେମିତି ଫୁଙ୍ଗୁଳା ରହି ଖରା ବର୍ଷା ଶୀତ ସମ୍ଭାଳୁଛି, ଅଥଚ ଦେଖିବାକୁ ସେ ଆଦୌ ମେଣ୍ଢା କିମ୍ବା ଗୋରୁଭଳି ନୁହେଁ । ସେ ବରଂ ଧଳାକାନ୍ଥର କୋଠାରେ ରହୁଥିବା ମାଲିକମାନଙ୍କ ଭଳି ଅବିକଳ ଦିଶେ । ସାମାନ୍ୟ ବିବର୍ଣ୍ଣ, ଅପରିଷ୍କୃତ, ସାମାନ୍ୟ ହାଡ଼ୁଆ, ଟାଆଁସା, ଘାଘଡ଼ା; କିନ୍ତୁ ସେଇଭଳି ତ ଦୁଇଗୋଡ଼ରେ ଚାଲୁଥିବା ମୁଣ୍ଡ ସଳଖି ଚାହିଁପାରୁଥିବା ବୁକୁ-ପେଟ-ଶିଷ୍ନ ବିଶିଷ୍ଟ ପ୍ରାଣୀଟିଏ ସେ ! ସେ କ’ଣ ତା’ହେଲେ ମଣିଷ ? —ସେଇଭଳି, ସେ ମାଲିକମାନଙ୍କ ଅପରୂପ ମଣିଷ ? ଗୋରୁଭଳି ବଞ୍ଚିବା ତା’ହେଲେ ତା’ ପାଇଁ ସ୍ୱାଭାବିକ ନୁହେଁ ? —ସେଭଳି ତାକୁ କିଣା ବିକା କରିବା ସ୍ୱାଭାବିକ ନୁହେଁ ? ...କ୍ରୀତଦାସ ହେବା ତା’ହେଲେ ଅସ୍ୱାଭାବିକ ? ...ତେବେ ଏଇଟା ବଦଳି ଯାଇପାରେ ! କିନ୍ତୁ କେମିତି ବଦଳିବ ? ସେ କ୍ରୀତଦାସ ନ ହୋଇ ଆଉ କ’ଣ ହୋଇପାରେ ?

 

ଆହୁରି ସ୍ୱପ୍ନ । ...ସେଥିରେ ତା’ର ସବୁ ଯନ୍ତ୍ରଣା ଅପସରି ଯାଇଛି । ସେ ଚମଡ଼ାର ଲମ୍ବା ଲମ୍ବା ଜୋତା ପିନ୍ଧିଛି । ଚକଚକ କମରପଟା କସିଛି । ନିଶ ମୋଡ଼ି ଦେଇଛି ଭ୍ରୁଲତାଯାଏଁ । ଟୋପିତଳେ ଆଖି ରାଉ ରାଉ ଡହକୁଛି । ନିଶତଳେ ଫଟାହାଣ୍ଡି ପରି ଗର୍ଜୁଛି ସର୍ଦ୍ଦାର ସିଂହ । ତା’ ହାତରେ ବିରାଟ ଗୋଟାଏ ଚାବୁକ୍‌ । ଲଇଁ ରହିଥିବା ଶହ ଶହ ପିଠି ଉପରେ ସେ ବାଡ଼େଇ ଯାଉଛି ନିର୍ବିଚାର । ଲଇଁଥିବା ସମସ୍ତେ ସେଇ ନିଶୁଆ ସର୍ଦ୍ଦାର । ସେ ଅସମ୍ଭାଳ କ୍ରୋଧରେ ଶହ ଶହ ବର୍ଷର ପ୍ରତିଶୋଧ ନେବା ପାଇଁ ପିଟି ଲାଗିଛି । କୌଣସି ସର୍ଦ୍ଦାର ପାଟି ଫିଟଉ ନାହିଁ । ଚାବୁକ୍‌ ଖାଇବା ଗୋଟାଏ ନୀରବ ଦାୟିତ୍ୱ, ଯେମିତି ସେ ନିଜେ ଆଜନ୍ମ ଏବଂ ପୁରୁଷାନୁକ୍ରମେ ତୁଲେଇ ଆସିଛି । ...ତା’ ବୁକୁରେ ଏତେ କ୍ରୋଧ, ତା’ ବାହୁରେ ଏତେ ବଳ ଗଚ୍ଛିତ ଥିଲା ବୋଲି ସେ କେବେହେଁ ଭାବି ନ ଥିଲା ।

 

ସେ ବିସ୍ତାରି ହୋଇଯାଏ ସ୍ୱପ୍ନରେ । ତା’ ମଥା ତାଳଗଛ ଉପରକୁ ଉଭାରି ରହେ । ପାହାଡ଼ରୁ ପାହାଡ଼କୁ ବ୍ୟାପିଥିବା ପୃଥ୍ୱୀକୁ ସେ ଛୋଟ ଶାଗପଟାଳିଟିଏ ପରି ପାହୁଣ୍ଡକରେ ମାପିଯାଏ । ସେ କ୍ଷେପିଯାଏ ଧଳା ଧଳା କାନ୍ଥର ସେ କୋଠାମାନଙ୍କ ଆଡ଼କୁ । ଦୂରରୁ ସେମାନଙ୍କ ସେ ଦେଖିଆସିଛି । ସେଠିକାର ବାସିନ୍ଦାମାନେ ଅନବରତ ଖେଳୁଥାନ୍ତି କିମ୍ବା ଖାଉଥାନ୍ତି । ବିଭିନ୍ନ ରଙ୍ଗର, ବୋଧହୁଏ ବିଭିନ୍ନ ସ୍ୱାଦର କୁଢ଼ କୁଢ଼ ଖାଦ୍ୟକୁ ବେଢ଼ି ବସିଥାନ୍ତି । କାଚଗ୍ଲାସମାନଙ୍କରେ ବୋଧହୁଏ ରକ୍ତ ପିଅନ୍ତି ! ...ସେମାନେ କ’ଣ ସମସ୍ତେ ଗୋରା ? ...ସମସ୍ତେ ସାଇବ ? ....ସ୍ୱପ୍ନରେ ସୁଦ୍ଧା ସର୍ଦ୍ଦାର ସେମାନଙ୍କ ପାଖ ପଶି ପାରେ ନାହିଁ; କିନ୍ତୁ ସେ ଅଣ୍ଡିରାଗୁଡ଼ାକ ତ ପ୍ରାୟ କଳା–ଚିକ୍‌କଣ ନିଶ୍ଚୟ; କିନ୍ତୁ କଳା ! ଠାଣି ମାଣି ପୋଷାକରେ ସତେ ଅବା ସାହେବ ! ...ଆଉ ସେ ମାଇକିନାଗୁଡ଼ା ଖୁବ୍‌ ଗୋରୀ, ହସକୁରୀ....ଧଳା ଦାନ୍ତ, ନାଲି ଓଠ, ଚିକ୍‌କଣ ଗାଲ ! ...ସେ ଗୋଟାପଣେ ଶୀତେଇଯାଏ । ଦାନ୍ତକୁ ଦାନ୍ତ ଜାବି, ହାତ ମୁଠା ମୁଠା କରି ସେ ସରୁ ସରୁ ଆଖିରେ ଅନାଏ । ତା’ ବୁକୁ ଧଡ଼ ଧଡ଼ ହୁଏ । ଦେହ ଝାଳେଇଯାଏ । ତା’ପରେ କ’ଣ ସବୁ ଘଟିଯାଏ । ...ଅବାଧ ସ୍ୱପ୍ନ ରାଜ୍ୟ ! ...ସେ ଆଉ ସର୍ଦ୍ଦାର ନୁହେଁ; ସେ ସ୍ୱୟଂ ମାଲିକ ! ସେ ନାରୀଗୁଡ଼ିକୁ ଖୁଣ୍ଟିମାନଙ୍କରେ ବିଛେଇଲା ପରି ବାନ୍ଧି ଦିଏ । ଅପରିମେୟ କାମନା, ଅପରିମେୟ ଭୋଗ !! ଅପରିମେୟ ହିଂସା ! ନାରୀମାନେ ଚିତ୍କାର କରନ୍ତି, ତା’ ଭଉଣୀ ପରି, ତା’ର ପ୍ରଥମ ସ୍ତ୍ରୀ ପରି, ତା’ର ସାତବର୍ଷର ଛୋଟଝିଅ ପରି । ସେମାନଙ୍କୁ ସେ ବେଶ ପୋଷାକର ମାଲିକମାନେ ସେହିପରି ଖୁଣ୍ଟିରେ ବାନ୍ଧିଥିଲେ । ବଳାତ୍କାର ଭୋଗ କରିଥିଲେ । ଅକାତରେ ହତ୍ୟା କରିଥିଲେ । ....ସେ ତା’ର ସ୍ୱପ୍ନରେ ଅସଂଖ୍ୟ ଚିତ୍କାର ଶୁଣେ । ରକ୍ତ, ରେତ, ସ୍ୱେଦରେ ପରିପ୍ଲୁତ ହୋଇ ସେ ସ୍ୱପ୍ନ ଦେଖୁଥାଏ ।

 

ଏ ଭଳି ସ୍ୱପ୍ନ ପରେ ତା’ର ଦୃଷ୍ଟି ବଦଳିଯାଏ । ସେ ଦିବାଲୋକରେ ସୁଦ୍ଧା ଖୋଲା ଆଖିରେ ସେଇ ସ୍ୱପ୍ନକୁ ଦୋହରାଇପାରେ, ବାରମ୍ବାର ଲେହନ କରିପାରେ । ସେ ନୂଆ କରି ଆବିଷ୍କାର କରେ ତା’ ହାତ ପାଦରେ ବେଢ଼େଇ ରହିଥିବା କୁତ୍ସିତ ଲୁହାର ବଳାଗୁଡ଼ାକୁ । ସର୍ଦ୍ଦାରକୁ ଲୁଚେଇ ତାକୁ ଛିଣ୍ଡେଇବାକୁ ଟାଣେ । ହାତର ଚମଡ଼ା ଫାଟି ରକ୍ତ ଝରିଯାଏ । ସେ ଭୀଷଣ ରାଗିଯାଏ । ଏଇ ବେଡ଼ି ହିଁ ଅସ୍ୱାଭାବିକ । ଏହା ହିଁ କ୍ରୀତଦାସର ଚିହ୍ନ, ତା’ର ବୈଶିଷ୍ଟ୍ୟ । ସେ କ୍ରୀତଦାସ !

 

ସେ ପୁଣି ଆବିଷ୍କାର କରେ ଯେ, ସେ ଏକୁଟିଆ ନୁହେଁ, ଆହୁରି ଅସଂଖ୍ୟ ସେଇଭଳି ଶାଙ୍କୁଳିରେ ବନ୍ଧାପଡ଼ିଛନ୍ତି । ହଜାରେ କ୍ରୀତଦାସଙ୍କୁ ଗୋଟିଏ ସର୍ଦ୍ଦାର ଗୋଟାଏ ଚାବୁକରେ ପ୍ରହାର କରୁଛି । ପ୍ରହାର କରିବା ତା’ର ଅଧିକାର ନୁହେଁ । ଏମାନେ ଏମିତି ଚାବୁକ୍‌ ମାଡ଼ ଖାଇ ନୀରବ ରହିବା ସ୍ୱାଭାବିକ ନୁହେଁ । ଏମାନେ କେହି ଛେଳି କିମ୍ବା ଗୋରୁ ନୁହନ୍ତି । ଏମାନେ ସମସ୍ତେ ତାଙ୍କ ହାତରେ ସେ ଚାବୁକ୍‌ ଧରିପାରନ୍ତେ । ଏମାନେ ସମସ୍ତେ ସେଇ ମାଲିକମାନଙ୍କ ଅନୁରୂପ ବିବର୍ଣ୍ଣ, ଅପରିଷ୍କୃତ, ହାଡ଼ୁଆ, ଟାଆସା, ଘାଘଡ଼ା; କିନ୍ତୁ ସମସ୍ତେ ସେଇଭଳି ମଣିଷ । .....ଏମାନଙ୍କୁ କାହିଁକି ଏଇଟା ଦିଶୁ ନାହିଁ ! ଏମାନେ କାହିଁକି ଗୋରୁ ଭଳି ଅବୁଝା ଆଖିରେ ଚାହିଁଛନ୍ତି–ଗୋରୁ ଭଳି ଖାଉଛନ୍ତି, ଶୋଉଛନ୍ତି ? ...

 

ସେ ପୁଣି ସ୍ୱପ୍ନ ଦେଖେ । ଅସଂଖ୍ୟ କ୍ରୀତଦାସଙ୍କୁ ସେ ତା’ର ଆବିଷ୍କାର କଥା କହୁଛି । ଅଦ୍ଭୁତ ଭାଷାରେ କହୁଛି । ସେମାନେ ବିମୂଢ଼ ହେଲାପରି ତାକୁ ନିଷ୍ପଲକ ଆଖିରେ ଚାହିଁରହୁଛନ୍ତି । ସେମାନେ ଭୟାର୍ତ୍ତ ଦିଶୁଛନ୍ତି । ସେମାନେ ଛେଳିପରି ଦିଶୁଛନ୍ତି; ଗୋରୁପରି ଦିଶୁଛନ୍ତି । ବିରାଟ ଚାବୁକ ଧରି ହେଣ୍ଟାଳୁଥିବା ସର୍ଦ୍ଦାର ସେମାନଙ୍କୁ ଅଡ଼େଇ ନେଇ ଚାଲିଯାଉଛି । ଅବାଧ ସ୍ୱପ୍ନରାଜ୍ୟ ! ସେ ପୁଣି ସେମାନଙ୍କୁ ଆଉ ଏକ ପଡ଼ିଆରେ ତା’ ଆଡ଼କୁ ଭୋକିଲା ଆଖି ତୋଳି ଚାହିଁ ରହିଥିବାର ସ୍ୱପ୍ନ ଦେଖେ । ତାଙ୍କୁ ସେ ବାରମ୍ବାର ବୁଝାଏ । ସେମାନେ ହଠାତ୍‌ ଏକଦା ସବୁକଥା ବୁଝିଯା’ନ୍ତି–ସେ ଯେମିତି ନିଜେ ବୁଝିଯାଇଥିଲା । ତା’ପରେ ସେମାନେ ସମସ୍ତେ ଲୁହା ଜଞ୍ଜିର ଭିତରୁ ଅଦ୍ଭୁତ ଭାବରେ ହୁଗୁଳି ଆସନ୍ତି । ସମସ୍ତେ ଆକାଶକୁ ହାତଟେକି ଗୋଟିଏ ସ୍ୱରରେ କ’ଣ ଧ୍ୱନି କରନ୍ତି । ନୂଆ ମେଘ ଡାକିଲା ପରି ତାକୁ ଶୁଣାଯାଏ । ତା’ ଦେହ ଶୀତେଇ ଯାଏ । ସେ ସ୍ୱପ୍ନରୁ ଉଠି ତାକୁ ହିଁ ସମ୍ବଳକରି ଆଉଜି ରହେ । ତାକୁ ଶୋଷି ଶୋଷି ତା’ର ଶୋଷ ମେଣ୍ଟାଏ, କ୍ଷୁଧା ମେଣ୍ଟାଏ ।

 

ସେ ଅନୁଭବ କରେ ଯେ, କ୍ରୀତଦାସ ହେବା ଭୋକରେ ରହିବା, ରୋଗରେ ମରିବା, ଜଞ୍ଜିରରେ ଶୋଇବା ଭଳି ଅସ୍ୱାଭାବିକ । ୟାକୁ ଭାଙ୍ଗିବାକୁ ସେ ବିଦ୍ରୋହ କଲେ ତାହା ଅପରାଧ ନୁହେଁ । ଲୁଚି ଲୁଚି ଅନ୍ୟମାନଙ୍କୁ ଏ ସ୍ୱପ୍ନରେ ଦୀକ୍ଷିତ କଲେ ଅପରାଧ ନୁହେଁ । ହୁଏତ ଦିନେ କେହି ଜଣେତ ତା’ର ବେଡ଼ି ଛିଣ୍ଡାଇ ରାତି ଅଧରେ ଦୁଇବାହୁ ସ୍ୱାଭାବିକ ଭାବରେ ତୋଳିଧରି ଠିଆହେବ-। ସେ ହୁଏତ ଅନ୍ୟ ସମସ୍ତଙ୍କୁ ସେଇଭଳି ଖୋଲିଦେବ । ଏପରି ଖୋଲିଦେବା ଅପରାଧ ନୁହେଁ । ସର୍ଦ୍ଦାର ଏକୁଟିଆ । କ୍ରୀତଦାସ ଅନେକ । ସର୍ଦ୍ଦାର ହୁଏତ ଦଣ୍ଡଦେବାକୁ ଚାବୁକ୍‌ ଟେକି ଧାଇଁ ଆସିବ-। ସମସ୍ତେ ଅଭ୍ୟାସରେ, ଭୟରେ, ଦୁର୍ବଳ ବିଶ୍ୱାସରେ ପୁଣି ଲଇଁପଡ଼ିବେ । ଜଞ୍ଜିର ପିନ୍ଧିପକାଇବେ-। ପିଠି ଖୋଲି ଦେଖାଇଦେବେ । ପ୍ରସ୍ତୁତ ହୋଇଯିବେ ନୀରବ ରହି ଚାବୁକ୍‌ ଖାଇବାକୁ ।

ଏ ସ୍ୱପ୍ନ ତା’ର ନିରବଚ୍ଛିନ୍ନ । ସେ ଆଖି ତରାଟି ହୁଏତ ଚାହିଁ ରହିବ ଶୂନ୍ୟକୁ, ଦୁର୍ବଳ କ୍ରୀତଦାସମାନଙ୍କର ରକ୍ତାକ୍ତ ପିଠିରେ ଚାବୁକ ପଡ଼ିବାର ସେ ନିଜ ପିଠିରେ ଅନୁଭବ କରିବ । ସ୍ୱପ୍ନରେ ଚମକିବ । ହୁଏତ ସର୍ଦ୍ଦାର ଦେଖିଦେଲା ବୋଲି ଶଙ୍କିଯିବ । ତା’ପରେ ପୁଣି ଟାଣିହୋଇଯିବ ସ୍ୱପ୍ନଭିତରକୁ । ଲଇଁଥିବା ସବୁ ପିଠି ତା’ର କ୍ରୋଧ ଫଳରେ ସଳଖିଯିବେ । ଅସଂଖ୍ୟ କ୍ରୀତଦାସ ଛାଟିହୋଇ ଠିଆହୋଇଯିବେ । ଚାହିଁବେ ତାକୁ, ସେ ଯାହା କହିବ ସେମାନେ କରିବାକୁ ପ୍ରସ୍ତୁତ ଥିଲାପରି ଜଣାପଡ଼ିବେ । ସେ କ’ଣ କହିବ ତାଙ୍କୁ ? ...ସେମାନେ ସର୍ଦ୍ଦାର ହାତରୁ ଚାବୁକ୍‌ ଛଡ଼ାଇ ନେଇପାରନ୍ତି । ତାକୁ ବେଢ଼ି ଯାଇପାରନ୍ତି । ଖଞ୍ଜାକଣ୍ଢେଇ ପରି ତା’ର ସବୁ ଅବୟବଗୁଡ଼ିକୁ ହୁଗୁଳେଇ ଫିଙ୍ଗିଦେଇ ପାରନ୍ତି । ସେମାନଙ୍କ ହାତରେ ବେଡ଼ି ନାହିଁ । ସେମାନେ ସମସ୍ତେ ବେକ ସଳଖି ଠିଆହୋଇଛନ୍ତି । ସେମାନଙ୍କ ଆଖିରେ ଭୟ ନାହିଁ । ବୁକୁ ଉଭାରି ରହିଛି ଆଗକୁ । ଡେଣାରେ ଗୁଳା ଗୁଳା ମାଂସପେଶୀ । ଅଜସ୍ର ବଳ । ସେମାନେ ଏଣିକି ଯାହା ଇଚ୍ଛା କରନ୍ତୁ । ସେମାନଙ୍କ ବୁକୁରେ ଏତେ କ୍ରୋଧ, ବାହୁରେ ଏତେ ବଳ ଗଚ୍ଛିତ ଥିଲା ବୋଲି ସେ କେବେ ହେଁ ଭାବି ନ ଥିଲା । ସେମାନେ ସମସ୍ତେ ବଢ଼ିଲା ନଈପରି ଗର୍ଜିଉଠୁଛନ୍ତି; ଫେଣେଇ ଉଠୁଛନ୍ତି !

ଜଞ୍ଜିର ନ ଥିବା ଫୁଙ୍ଗୁଳା ହାତଗୁଡ଼ାକରେ ଅନ୍ଧାର ରାତିରେ ଜ୍ୱଳନ୍ତ ମଶାଲ ଖୁବ୍‌ ଭୟଙ୍କର ଦିଶେ । ଶସ୍ୟ କାଟୁଥିବା, ପଥର ଭାଙ୍ଗୁଥିବା, କାଗଜ ରାମ୍ପୁଥିବା ନିରୀହ ଡେମ୍ଫଲଗା ଲୁହାପାତିଆଗୁଡ଼ିକ ଝଲମଲ ହତିଆର ହୋଇ ସେଇ ଅନ୍ଧାରରେ ଝଟକନ୍ତି । ସମସ୍ତେ ବାହୁ ତୋଳି ଉପରକୁ ଚାହିଁ କ’ଣ ଧ୍ୱନି କରନ୍ତି । ନୂଆମେଘ ଡାକିଲା ଭଳି ଶୁଭେ । ସେ ଶୀତେଇଯାଏ ।

ସେମାନେ ସମସ୍ତେ ସେଇ ଧଳାକାନ୍ଥର କୋଠାଆଡ଼େ ମାଡ଼ି ଯାଆନ୍ତି । ତୁମୁଳ ଧ୍ୱନି ହୁଏ । ସବୁ ମଶାଲ ଏକାଠି ହୁତ୍‌ ହୁତ୍ ହୋଇ ଜଳିଉଠନ୍ତି । କେତେ ଚିତ୍କାର, କେତେ ବିସ୍ପୋରଣ, କେତେ ରକ୍ତ, କେତେ ସ୍ୱେଦ, କେତେ ଆଘାତ ସେ ଆଉ କଳିପାରେ ନାହିଁ । ସ୍ୱପ୍ନ ମଧ୍ୟ ସେ ଗୁରୁଭାର ସମ୍ଭାଳି ନ ପାରି ଟଳମଳ ହୁଏ । ଭାଙ୍ଗିପଡ଼େ । କ୍ରୀତଦାସ ସହସ୍ରେ ଥର ମରିବାର କ୍ଳାନ୍ତିରେ ଅବଶ ହୋଇ ଆଖିମିଟିକା ମାରି ନୀରବ କ୍ଳାନ୍ତ ରାତିକୁ କାନାଏ । ଓଃ, ସେ ଅଦ୍ଭୁତ ଆବିଷ୍କାର ଏବଂ ଅଦ୍ଭୁତ ସ୍ୱପ୍ନର ପରିଣତ କ’ଣ ଏଇଆ ?

ସ୍ୱପ୍ନାକ୍ରାନ୍ତ କୀତଦାସ ଚାହିଁଥାନ୍ତି କି ଶୋଇଥାଏ କେଜାଣି ? ପୋଡ଼ି ଜଳି ଯାଇଥିବା ଗୋଟାଏ ବିଧ୍ୱସ୍ତ ପୃଥିବୀରେ ବିକୀର୍ଣ୍ଣ ହାଡ଼ କୁଢ଼ ଭିତରେ ସେ କିଛି କାଳ ଏକାକୀ ବିଚରଣ କରେ; କିନ୍ତୁ ଅବାଧ ସ୍ୱପ୍ନରାଜ୍ୟ । ....ସେ ଦେଖେ ଯେ, ଜଞ୍ଜିରରେ ବାନ୍ଧି ଗୋଠ ଗୋଠ ଲଇଁଥିବା ମଣିଷଙ୍କୁ କିଏ ଚାବୁକ୍‌ ମାରି ଅଡ଼େଇ ନେଉଛି । ସେଥିରେ ଧଳାକୋଠାର ଅଣ୍ଡିରାମାନଙ୍କୁ, ଚିତ୍କାର କରୁଥିବା ସେଇ କୋଠାର ମାଇକିନା ଏବଂ ପିଲାମାନଙ୍କୁ ସେ ଆବିଷ୍କାର କରେ । ...ଦୃଶ୍ୟ ବଦଳି ଯାଏ । ଧଳାକୋଠାର ଶିରା ଉଲାରି ଲାଗିଛନ୍ତି ସେମାନେ । ସେମାନେ ଠିଆ ଠିଆ ସେ କୁଢ଼ କୁଢ଼ ଖାଦ୍ୟ ଗେଫିଦେଇ ଯାଉଛନ୍ତି । ପୋଷାକ ପିନ୍ଧି ନିଶ ବାଗଉଛନ୍ତି । ଚିକ୍‌କଣ ଦିଶୁଛନ୍ତି । ମଶାଲଧରି ନାଚୁଛନ୍ତି । ସେମାନେ ମଧ୍ୟ କାଚ ଗ୍ଲାସରେ ରକ୍ତ ପିଉଛନ୍ତି, ହସୁଛନ୍ତି ।

କ୍ରୀତଦାସ ମଝି ସରହଦ ଉପରେ ଠିଆହୋଇଛି । ସେ ସ୍ୱପ୍ନରେ କାନ୍ଦୁଛି । ଗୋଲାପ ବଗିଚାର ନିର୍ମଳ ପାଣିରେ ମୁହଁ ବୁଡ଼େଇ ସେ ପିଇ ପାରୁନାହିଁ । ତା’ ହାତ ଦୁଇଟି ସେଥିରେ ବୁଡ଼େଇ ଚାହିଁରହିଛି । ନିର୍ମଳ ପାଣି ଧାର ନାଲି ଜର ଜର ହୋଇ ଆଉଟି ହେଉଛି । ଗୋଲାପ ପାଖୁଡ଼ାଗୁଡ଼ାକ ମନ୍ଥି କେହି ହୁଏତ ସବୁ ଦୋରୁଅ ଚିପୁଡ଼ି ଦେଇଛି । ସେଇ ଦୋରୁଅ ବହଳ ହୋଇଯାଉଛି ଆସ୍ତେ ଆସ୍ତେ କଟା–ଛେଳିରକ୍ତ ପରି । ସେ କାନ୍ଦୁଛି । ମନକୁ ମନ କହୁଛି, ‘‘ନା... ନା... କ୍ରୀତଦାସର ଅସମ୍ମାନକୁ କ୍ରୀତଦାସର ଅସମ୍ମାନରେ ଦୂର କରିହେବନାହିଁ । ...କ୍ରୀତଦାସ ହେବା ମଣିଷ ଆତ୍ମାର ଅବମାନା । କ୍ରୀତଦାସର ଯାତନା ତୁମେ କେହି ବୁଝିନାହଁ । ପରସ୍ପରକୁ ଏପରି ଜଞ୍ଜିରରେ ବାନ୍ଧନାହିଁ । ପରସ୍ପରକୁ ଗୋରୁଭଳି, ଛେଳିଭଳି ବଞ୍ଚିବାକୁ ବାଧ୍ୟ କରନାହିଁ । ତୁମେ ମୋର ସାମ୍ୟ ଆବିଷ୍କାର କରିନାହଁ । ନିଜକୁ ଆବିଷ୍କାର କରିନାହଁ । ମୋତେ ଦେଇଦିଅ ସବୁ କ୍ରୀତଦାସର ଅପମାନ, ତାଙ୍କର ଯାବତୀୟ ଯନ୍ତ୍ରଣା, ତାଙ୍କର ମୃତ୍ୟୁ !’’

ସେ ସ୍ୱପ୍ନରୁ ଉଠେ କି ଉଠେନା କେଜାଣି ! ସ୍ପଷ୍ଟ ଦିବାଲୋକରେ କିନ୍ତୁ ଏ ବିପୁଳା ପୃଥିବୀରେ କ୍ରୀତଦାସ ହେବା ଗୋରୁଭଳି, ଛେଳିଭଳି ବଞ୍ଚିବା ଖୁବ୍‌ ପାରମ୍ପରିକ ଏବଂ ସ୍ୱାଭାବିକ । ନୀରବ ରହି ଯାତନା ସହିବା ମଧ୍ୟ ସର୍ବଦା ଗୋଟିଏ ଗୋଷ୍ଠୀର ସ୍ୱାଭାବିକ ଅଭ୍ୟାସ ।

କେତେ ସ୍ୱପ୍ନ ହେଲେ ଏମାନେ ସମସ୍ତେ ତା’ଭଳି ଚେଇଁଉଠିବେ କେଜାଣି ?

Image

 

କଣିକ ଉବାଚ

 

*‘କଣିକ’–ପାଣ୍ଡବ ବିନାଶ ପାଇଁ ଧୃତରାଷ୍ଟ୍ରଙ୍କ ଉପଦେଷ୍ଟା ।

 

ଆପଣ ନିଷ୍କଣ୍ଟକ କ୍ଷମତାସୀନ ରହବାପାଇଁ ମୋର ଯେଉଁ ବିଦ୍ୟାକୁ ଆଜି ଆବାହନ କରୁଛନ୍ତି, ତାହା ଆପଣଙ୍କୁ ବଜ୍ରକବଚ ପରି ଆଚ୍ଛାଦିତ କରୁ ! ଆପଣ ଭୟଶୂନ୍ୟ ହୁଅନ୍ତୁ ! ଆପଣଙ୍କର ଏଭଳି ଆତଙ୍କର ବୀଜରୂପ ସକଳ ପ୍ରକାର ଶତ୍ରୁ ବିନାଶପ୍ରାପ୍ତ ହୁଅନ୍ତୁ । ଜ୍ୱରାକ୍ରାନ୍ତ ଆପଣଙ୍କର ମନ ଏବଂ ଶରୀର ନିରାମୟ ହେଉ । ଆପଣ ନିରୁଦ୍‌ବିଗ୍ନ ହୁଅନ୍ତ !

 

ମୋର ବିଦ୍ୟା ପ୍ରବଳା, ନିରଙ୍କୁଶା, କୈତବ–ଶୂନ୍ୟା ! କୃଷ୍ଣା ଘୋଟକୀ ପରି ମୋର ବୁଦ୍ଧିକୁ ଆପଣ ଉପଯୁକ୍ତ ମୂଲ୍ୟ ଦାନ କରି ନିଯୁକ୍ତ କରିଛନ୍ତି । ସେ ଅବଶ୍ୟ ଆପଣଙ୍କୁ ବିପଦମୁକ୍ତ କରିବ । ତାହା ଉପରେ ଆରୂଢ଼ ହୋଇ ଅଶେଷ ଅଜ୍ଞାତ ମାର୍ଗରେ ନିର୍ବିଚାର ଏବଂ ନିର୍ବିରୋଧ ଭ୍ରମିବାକୁ ଆପଣଙ୍କୁ ମୁଁ ଶକ୍ତିଦାନ କରିବି । ସେ ସମସ୍ତ ଶକ୍ତି ଏବଂ ସମସ୍ତ ମନ୍ତ୍ର ମୋ ବିଦ୍ୟାର ଅଧୀନ । ପରମ ସନ୍ତୁଷ୍ଟ କଣିକାର ସେ ଯଶସ୍କରୀ ବିଦ୍ୟା ଆଜି ଆପଣଙ୍କର ଅର୍ଥର ଅଧୀନ । ଆପଣଙ୍କର ଜୟ ହେଉ ।

 

ଦୃଷ୍ଟିହୀନ ହେବା କୌଣସି ରାଷ୍ଟ୍ରନାୟକ ପକ୍ଷରେ ଦୁର୍ଲଙ୍ଘ୍ୟବାଧକ ନୁହେଁ । ତାକୁ ସେ ଭଳି ଭାବିବା ହିଁ ବାଧକ । ଆଉ କାହାରି ସାମର୍ଥ୍ୟ ନାହିଁ ତାଙ୍କର ଦୋଷ ଦର୍ଶନ କରିବ । ଥିଲେ ମଧ୍ୟ ସେଭଳି ସାମର୍ଥ୍ୟକୁ ସ୍ୱୀକାର କରାଯାଏନା । ନୀତି-ନିୟମ, ଶାସ୍ତ୍ର-ସଂହିତା ଅନ୍ୟ ସମସ୍ତଙ୍କ ପାଇଁ ପ୍ରଣିତ । ଆପଣ ତା’ର ପ୍ରଣେତା । ଆପଣ ତା’ର ଊର୍ଦ୍ଧ୍ୱରେ । ସମସ୍ତେ ଆପଣଙ୍କର ଅନୁଗମନ କରିବେ । ଆପଣ ସର୍ବାଗ୍ରେ ଫଣୀଫଣା ପରି ଉତ୍ତୁଙ୍ଗୁ, ତୀକ୍ଷ୍‍ଣ ଏବଂ ଭୟାବହ ହୋଇ ଗମନ କରୁଥିବେ । ନିର୍ବିଷ ରଜ୍ଜୁପରି ବାକି ସମସ୍ତେ ଆପଣଙ୍କର ଅନୁବର୍ତ୍ତୀ । ନିଜକୁ ଅଦ୍ୱିତୀୟ, ଅପ୍ରତିହତ ନିରଙ୍କୁଶ ବୋଲି ବିଶ୍ୱାସ ନ କଲେ, ଯଥାର୍ଥରେ ତାହା ହେବା ସମ୍ଭବ ନୁହେଁ । ନୀତି ଏବଂ ନୀତିବିଦ୍‌ମାନେ ଆପଣଙ୍କର ପ୍ରଥମ ପ୍ରତିବନ୍ଧକ । ଆପଣ ସେମାନଙ୍କୁ ଲଙ୍ଘନ କରନ୍ତୁ । ଲଙ୍ଘିବା ଆପଣଙ୍କର ଅଧିକାର; ଲଙ୍ଘିବା ସାମର୍ଥ୍ୟ ! ସେମାନେ ନିଜ ସ୍ୱାର୍ଥଦୃଷ୍ଟିରୁ ଆପଣଙ୍କୁ କ୍ଲୀବ ରଖିବାକୁ ଚାହାନ୍ତି । ବିଚାର ବୁଦ୍ଧିକୁ ବିବିଧ କଳ୍ପନାରେ ଭାରାକ୍ରାନ୍ତ କରନ୍ତି । ଆପଣ ଚତୁର, କ୍ଷିପ୍ର ଏବଂ ଅବାଧ ହୁଅନ୍ତୁ । ସର୍ବଦା ଦଣ୍ଡ-ଚାଳନ କରନ୍ତୁ । ଭୀତିସଂଚାର କରନ୍ତୁ । ସବୁ ସୀମା ଲଙ୍ଘନକରି ଶୀର୍ଷ-ମଣ୍ଡନ କରନ୍ତୁ ।

 

ସବୁ ଉଦ୍‌ବେଗ ଶତ୍ରୁ ଜନିତ । ଯେତେ ଛୋଟ ହେଉ ପଛକେ କଣ୍ଟକର କଣାଟିଏ ଥିବା ପର୍ଯ୍ୟନ୍ତ ତା’ର ଦନ୍ତାଘାତରେ ଆପଣ ରକ୍ତାକ୍ତ ହେବାର ଆଶଙ୍କା ରହିଛି । ଏଣୁ ସର୍ବପ୍ରଥମେ ଶତ୍ରୁକୁ ନିର୍ଣ୍ଣୟ କରିବାକୁ ପଡ଼ିବ । ଗୋପନରେ କୌଣସି ପ୍ରକାର ଭୟ ବା ସନ୍ଦେହର ଉଦ୍ରେକ ନ କରି ଶାଖା ପଛରେ କଟାସ ପରି ଛପି ରହି ଚିହ୍ନଟ କରିବାକୁ ହେବ । ମନେରଖନ୍ତୁ, ଶତ୍ରୁତାର କାଳ କିମ୍ୱା ପରିମାଣ ବିଚାର୍ଯ୍ୟ ନୁହେଁ । କାୟ ଏବଂ ବାକ୍ୟରେ ଯତ୍‌କିଞ୍ଚିତ ବିରୋଧ ହିଁ ଶତ୍ରୁତା । ଯେ ଅଦ୍ୟରେ ଶତ୍ରୁ ଥିଲେ, ବର୍ତ୍ତମାନ ମିତ୍ର ହେଉଛନ୍ତି; ଯେ ଏବେ ଶତ୍ରୁତା କରୁଛନ୍ତି ଏବଂ ଭବିଷ୍ୟତରେ ଯେ ଶତ୍ରୁ ହେବାର ସୂଚନା କିମ୍ବା ସମ୍ଭାବନା ଦେଖାଦେଉଛି, ସେ ସମସ୍ତେ ଆପଣଙ୍କର ଶତ୍ରୁ । ସେ ସମସ୍ତଙ୍କୁ ନିରବଶେଷ ହତ୍ୟା କରିବା ଆପଣଙ୍କର ପ୍ରଥମ ଏବଂ ପ୍ରଧାନ କାର୍ଯ୍ୟ । ବ୍ୟଞ୍ଜନ ପାଇଁ ଯେପରି ଛାଗଳକୁ ହତ୍ୟା କରାଯାଏ, ସେହିପରି ବିନା ଦ୍ୱିଧା ଏବଂ ସଂକୋଚରେ ଏ ଅତୀବ ଯଶସ୍ୱୀର କାର୍ଯ୍ୟ ଆପଣ ସମ୍ପାଦନ କରିବେ । କଦାପି ମନସ୍ତାପ କରିବେନାହିଁ । କଦାପି ପଶ୍ଚାଦ୍‌ଦର୍ଶୀ ହେବେ ନାହିଁ ।

 

ଆଜିଠାରୁ ବିଶ୍ୱସାକୁ ପରିହାର କରନ୍ତୁ । ତଦ୍ୱାରା ରାଜରାଜ ମଧ୍ୟ ଶୃଗାଳର ଛଳ ବାକ୍ୟରେ ପ୍ରାଣ ବିସର୍ଜନ କରେ । ଆପଣ ସଂସାରର ସର୍ବଶ୍ରେଷ୍ଠ ଐଶ୍ୱର୍ଯ୍ୟ ଏବଂ ସର୍ବାଧିକ କ୍ଷମତାରେ ଅସୀନ ଥିବାରୁ ଲୋଭାନ୍ୱିତ ହୋଇ ମନୁଷ୍ୟ ମାତ୍ରେ ଆପଣଙ୍କର ବିନାଶ ପାଇଁ ପ୍ରଯତ୍ନ କରିବେ । ଏଣୁ ପିତା, ମାତା, ପତ୍ନୀ, ପୁତ୍ର ଆଦିଙ୍କୁ ମଧ୍ୟ ଆପଣ ସଂପୂର୍ଣ୍ଣ ବିଶ୍ୱାସ କରିବେନାହିଁ । ଅପର ପକ୍ଷରେ ସମସ୍ତଙ୍କର ପରମ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରିବେ । ଏପରିକି ଶତ୍ରୁକୁ ହତ୍ୟା କରିବା ପର୍ଯ୍ୟନ୍ତ ତା’ର ବିଶ୍ୱାସପ୍ରାପ୍ତ ହେବା ଆପଣଙ୍କ ଅଶେଷ ସହାୟକ ହେବ । ବିଶ୍ୱାସ ପାଇଁ କାନ୍ଧରେ ବୋହି ନେଉ ନେଉ, ସେପରି ସୁଯୋଗ ପାଇଲା ମାତ୍ରେ ପଥରରେ ମାଟି ହାଣ୍ଡିକୁ କଚାଡ଼ି ଗୁଣ୍ଡ କଲାପରି ଶତ୍ରୁକୁ ବିନଷ୍ଟ କରିବେ । ଆପଣ ସ୍ୱୟଂ ହିଁ ଆପଣଙ୍କ ସକାଶେ ଏକମାତ୍ର ଏବଂ ସର୍ବଶ୍ରେଷ୍ଠ ମୂଲ୍ୟ । ନିଜର ସୁଖ ହିଁ ଏକମାତ୍ର ସୁଖ । ଅନ୍ୟର ସୁଖ କେବଳ କଳ୍ପନା । ଏଣୁ ନିଜର ସିଦ୍ଧି ପାଇଁ ଅକାରଣ ମମତାଚ୍ଛନ୍ନ ହୋଇ ଆତ୍ମ-ପର-ଭେଦରେ ମୋହାବିଷ୍ଟ ହେବେନାହିଁ । ଆତ୍ମୀୟ ସ୍ୱଜନ ହିଁ ଗୂଢ଼ତମ ଶତ୍ରୁ । କୌଣସି ପ୍ରକାର ଦ୍ୱିଧା ନ ରଖି ଶତ୍ରୁକୁ ବିନାଶ କରିବେ ।

 

ଶତ୍ରୁ ସର୍ମଥ ଥିବା ପର୍ଯ୍ୟନ୍ତ ତାକୁ ଦେଖି ନ ଦେଖିଲା ପରି, ଶୁଣି ନ ଶୁଣିଲା ପରି ଆଚରଣ କରିବେ; କିନ୍ତୁ ବଣ୍ୟଜନ୍ତପରି ଉତ୍କର୍ଣ୍ଣ ଏବଂ ଜାଗ୍ରତ ରହିଥିବେ ସେ ଆୟତ୍ତକୁ ଆସିବା ମାତ୍ରେ ସାମଜାନ ଦଣ୍ଡ ଭେଦ ପ୍ରଭୃତି ଯେକୌଣସି ଉପାୟର ହେଉ ତାକୁ ବଧ କରିବେ । ଅପକାରୀ ଶତ୍ରୁର ବଧ ଅତୀବ ପ୍ରଶଂସନୀୟ ଅଟେ । ଦୟା କିମ୍ବା କ୍ଷମାଦି ଆଚରଣ ସକାଶେ ଶତ୍ରୁ ଉପଯୁକ୍ତ ପାତ୍ର ନୁହେଁ । ଏଣୁ ସେ ଭୟାର୍ତ୍ତ ହୋଇ ଶରଣାଗତ ହେଲେ ସୁଦ୍ଧା, ତାହା ମହତ୍ତର ସୁଯୋଗ ମଣି ତା’ର ଅବିଳମ୍ବେ ବିନାଶ କରିବେ ।

 

ପୁରାତନ ଶତ୍ରୁକୁ ପ୍ରଥମେ ବଶୀଭୂତ କରି, ଧନ ରତ୍ନ ଭୂମି ପଦବୀ ଆଦି ଦାନକରି, ପ୍ରୟୋଜନ ହେଲେ ତା’ର ପରିବାରରୁ କନ୍ୟାଦି ପରିଗ୍ରହ କରି ତା’ର ବିଶ୍ୱାସ ଭାଜନ ହେଲାପରେ ତାକୁ ଅସତର୍କ ଭାବରେ ସମୂଳେ ଧ୍ୱଂସ କରିବେ । କୌଣସିଠାରେ ତା’ର କିଛି ମାତ୍ର ଅବଶେଷ ଯେପରି ନ ରହେ, ସେଥିପାଇଁ ଦୃଷ୍ଟି ଦେଇଥିବେ । ଏ କ୍ଷେତ୍ରରେ ଭୂଣ ସୁଦ୍ଧା ନିପାତନଯୋଗ୍ୟ । ତା’ର ସହାୟକମାନଙ୍କ ସହିତ, ଶତ୍ରୁର ମୂଳ ଅଧିଷ୍ଠାନକୁ ବଳାତ୍କାର ଛିନ୍ନ କରିବେ ।

 

ଶତ୍ରୁ ଜାଗ୍ରତ ଥିଲେ ତା’ର ଚତୁର୍ଦ୍ଦିଗରେ ଛଦ୍ମ ବିସ୍ତାର କରି ତାକୁ ପ୍ରତାରିତ କରିବେ । ତା’ର ସବୁ ଛିଦ୍ର ଜାଣିବାପାଇଁ ଯାହାକୁ ନିଯୁକ୍ତ କରିବେ, ତାକୁ ମଧ୍ୟ ଅନ୍ୟଦ୍ୱାରା ଆଚ୍ଛନ୍ନ ରଖିଥିବେ । ଶତ୍ରୁର ଯେଉଁଭଳି କାର୍ଯ୍ୟରେ ବିଶ୍ୱାସ ଜନ୍ମିବ, ଧର୍ମ, ଶାସ୍ତ୍ର, ସେବା, ଦାନ ଆଦି ସବୁ କର୍ମର ଅଭିନୟ ସୁଚାରୁରୂପେ ସଂପାଦନ କରିବେ । ସରୀସୃପ, କର୍କଟ, ବ୍ୟାଘ୍ରାଦି ଭଙ୍ଗୀରେ ଗତିକରି ତା’ର ନିକଟବର୍ତ୍ତୀ ହେବାମାତ୍ରେ ତା’ର ମର୍ମଭେଦ କରିବେ ।

 

ଏଭଳି ରୌଦ୍ର କର୍ମ କଲାବେଳେ କୌଣସି କ୍ଷେତ୍ରରେ ଶୁଦ୍ଧାଶୁଦ୍ଧ ବିଚାରରେ ବିଚଳିତ ହେବେନାହିଁ । ବିଶୁଦ୍ଧତା ଏକ ଅନିର୍ଦ୍ଦିଷ୍ଟ ଭାବନା; ଏଣୁ ଏକ ଅକାରଣ ପ୍ରତିବନ୍ଧକ । ଯେଉଁଭଳି ପାରିବେ ଧନ ହରଣ କରିବା ଦୋଷା -ବହ ନୁହେଁ; କାରଣ ଉଦ୍ଦେଶ୍ୟ, ଧନ ପ୍ରାପ୍ତି । ସେହିପରି ଯେଉଁଭଳି ପାରିବ ଶତ୍ରୁର ତେଜ ହରଣ, ଯଶ ହରଣ ଏବଂ ପ୍ରାଣ ହରଣ କରିବେ; ଉଦ୍ଦେଶ୍ୟ ନିଷ୍କଣ୍ଟକ ଏବଂ ନିରୁଦ୍‌ବିଗ୍ନ ରାଜ୍ୟ ପାପ୍ତି । ଏ ସମସ୍ତ ଶାସକର ଧର୍ମ । ନଦୀଧାରର ଦୃଷ୍ଟି ନାହିଁ, ସ୍ୱାୟତ୍ତାଧୀନ ଗତି ନାହିଁ, ତେଣୁ ଲକ୍ଷ୍ୟ ନାହିଁ । ତାହା ମୃତ, କ୍ଲୀବ ଅପାରଗ ଜଡ଼ପିଣ୍ଡର ଗତି; କିନ୍ତୁ ପ୍ରଥମେ ଲକ୍ଷ୍ୟ ସ୍ଥିର କରି ଅଭ୍ରାନ୍ତ ଶର ଯେପରି ଇତସ୍ତତଃ ନ ହୋଇ ବିଚାର ଶୂନ୍ୟ ଏବଂ ଏକାଗ୍ର ଗତି କରି ସେଠାରେ ପ୍ରୋଥିତ ହୁଏ ଏବଂ ସିଦ୍ଧି ଓ ଯଶ ଆସ୍ୱାଦନ କରେ, ଆପଣ ସେପରି ଲକ୍ଷ୍ୟଭେଦ କରିବେ । କୌଣସି ବାଧା ଆସିଲେ ତାକୁ ଚ୍ଛିନ୍ନ କରିଯିବେ ।

 

ବାଧା କିମ୍ବା ପ୍ରତିବନ୍ଧକ ଅନେକ ପ୍ରକାର । ତାର ଗୁଣ ଏବଂ ସାମର୍ଥ୍ୟ ଅନୁପାତରେ ଆପଣ ଆଚରଣ କରୁଥିବେ । ଭୟାଳକୁ ଭୟ ଦେଖାଇ, ଶୌର୍ଯ୍ୟଶାଳୀକୁ କୃତାଞ୍ଜଳି ହୋଇ, ଲୋଭୀକୁ ଅର୍ଥଦାନ କରି, ସମକକ୍ଷ କିମ୍ବା ନ୍ୟୂନ-ବ୍ୟକ୍ତିକୁ ତେଜ ଦେଖାଇ ଆୟତ୍ତଧୀନ କରିବେ । ଉପାୟର ନୈତିକତା ବିଚାର ମୁଖତା । ଅସ୍ତ୍ର, ଶସ୍ତ୍ର, ବିଷ, ବିସ୍ଫୋରକ, କପଟତା, କ୍ରୂରତା ଯେକୌଣସି ଉପାୟ ଲକ୍ଷ୍ୟସିଦ୍ଧି ପାଇଁ ଗ୍ରହଣୀୟ ଏବଂ ଶୁଦ୍ଧ । ତଥାପି ଶତ୍ରୁ ସଂହାରରେ ସ୍ୱୟଂ ଲିପ୍ତ ହେବେନାହିଁ । ବରଂ ପ୍ରଚ୍ଛନ୍ନ ରହି ନିୟନ୍ତ୍ରଣ କରିବେ । ଶତ୍ରୁକୁ ବଦ୍ଧ କରିବା ପୂର୍ବରୁ ତା’ ନିକଟରେ ରହି ପ୍ରିୟ ଏବଂ କୋମଳ ବାକ୍ୟ କହିବେ । ନିଧନର ଅବ୍ୟବହିତ ପୂର୍ବରୁ କୋମଳତମ ବାକ୍ୟ ଉଚ୍ଚାରଣ କରିବେ । ଏଥିରେ ଅନ୍ୟଥା କରିବେ ନାହିଁ । ଅନ୍ୟଥା କଲେ ଜୀବିତ ଶତ୍ରୁମାନେ ସତର୍କ ହୋଇଯିବେ ।

 

ଶତ୍ରୁମୋଚନ ଏକ ଘୋର କର୍ମ । ସେଥିରେ ଯେଉଁମାନେ ନିଯୁକ୍ତ ହେବେ ସେମାନେ ଆପଣଙ୍କର ବଶବର୍ତ୍ତୀ ଏବଂ ବଚସ୍କର ହେବା ବିଧେୟ । ସେମାନଙ୍କ ଭିତରୁ ଯେଉଁମାନେ ଅର୍ଥ ଆଶାରେ ଆସିଥିବେ ସେମାନଙ୍କ ପ୍ରତି ସତର୍କ ଥିବେ । ଅର୍ଥପାଇଁ ଯେ ଗ୍ରହଣ କରିପାରେ ସେ ଅର୍ଥ ପାଇଁ ତ୍ୟାଗ ମଧ୍ୟ କରିପାରେ । ସେମାନଙ୍କ ବୃତ୍ତି ଗଣିକା ପ୍ରାୟ । ସେମାନଙ୍କୁ ଗୂଢ଼ ବାକ୍ୟ ଶୁଣିଥିବେ । ବାକ୍ୟରେ ସତ୍ୟ ମିଥ୍ୟା, କେବଳ ପ୍ରୟୋଜନ ସିଦ୍ଧ ବୋଲି ଜାଣିବେ । ସେମାନଙ୍କୁ ପରସ୍ପରର ପ୍ରତିଦ୍ୱନ୍ଦୀ କରାଇଦେବେ । ପାହାଡ଼ ପରି ଅର୍ଥର ପ୍ରତିଶ୍ରୁତି ଦେଇ ଗୋଟିଏ ଗୋଟିଏ ଟେଳା ମାଧ୍ୟମରେ ତାହା ପୂରଣ କରି ଚାଲିଥିବେ । ସେ ଚିର ପ୍ରଲୁବ୍‌ଧ ଏବଂ ଚିର ଆଶାୟୀ ହୋଇପାରିବେ ଅନୁଗତ ରହିବେ । କୁକୁରକୁ ଅର୍ଦ୍ଧଭୁକ୍ତ ରଖିଲେ ସେ ଜାଗ୍ରତ ଏବଂ ହିଂସ୍ର ରହି ଉପଯୁକ୍ତ ସେବା କରିଥାଏ ।

 

ଯେଉଁମାନଙ୍କର ଅର୍ଥାଭାବ ନାହିଁ ସେମାନେ ସ୍ୱତଃ କାମାସକ୍ତ ଏବଂ ମଦ୍ୟଲୋଭୀ । ତାଙ୍କୁ ସେଥିରେ ଆସକ୍ତ ରଖି ତାଙ୍କର ଅର୍ଥକୁ ଦୋହନ କରିବେ । ସେମାନଙ୍କୁ କ୍ଷମତାର ଲୋଭ ଦେଖାଇ ବହୁ ଦୂରବର୍ତ୍ତୀ ଯୋଜନାରେ ଫାନ୍ଦି ରଖିବେ । ମହୁ ପାତ୍ରରେ ବ୍ରଣମକ୍ଷୀପରି ସେମାନେ ଲାଖି ରହିଥିବେ । ସେମାନଙ୍କ ଭିତରେ ଶତ୍ରୁମିତ୍ର ନିର୍ବିଶେଷରେ ଏଭଳି ଆଚରଣ କରିବେ । ପ୍ରୟୋଜନ ଅନୁସାରେ ଯାହାକୁ ମିତ୍ର ନିର୍ବିଶେଷର ଏଭଳି ଆଚରଣ କରିବେ । ପ୍ରୟୋଜନ ଅନୁସାରେ ଯାହାକୁ ଚାହିଁବେ ତାକୁ ବିନାଶ କରିଯିବେ । ସେମାନେ ଆପଣଙ୍କର ଉପକାର କରିବାର ନାମ ସେବା ତାହା ଆପଣଙ୍କର ପ୍ରାପ୍ୟ । ସେଥିପାଇଁ ଆପଣ କୃତଜ୍ଞ ହେବାର କାରଣ ନାହିଁ । ଯେ ସେବା ନ କଲା ସେ ମିତ୍ର ନୁହେଁ ଏବଂ ଅମିତ୍ର ହିଁ ଶତ୍ରୁ । ଶତ୍ରୁ ସର୍ବଦା ହନନଯୋଗ୍ୟ । ଶତ୍ରୁ ଥିବା ପର୍ଯ୍ୟନ୍ତ ଆପଣ ବିପନ୍ନ । ଯେ ବିପନ୍ନ ସେ ଉଦ୍‌ବିଗ୍ନ । ଉଦ୍‌ବେଗ ସୁଖର ଅନ୍ତରାୟ । ଆପଣ ଐଶ୍ୱର୍ଯ୍ୟକାମୀ । ଆପଣ କ୍ଷମତାରୂଢ଼ ରହିବାକୁ ଚାହାନ୍ତି । ଏଣୁ ଶତ୍ରୁବିନାଶ ଏକ ସୁଖକର, ସାର୍ଥକ, ଶକ୍ତିବର୍ଦ୍ଧନକାରୀ କ୍ରିୟା । ଆପଣ ଏଥିରେ ଅଚିରେ ସଂଯୁକ୍ତ ହୁଅନ୍ତୁ ।

 

କ୍ରୋଧକୁ ପ୍ରକାଶ କରିଦେଲେ ଶକ୍ତିର ଅପଚୟ ଘଟେ । ନିଶିତ କ୍ଷୁର ପରି ତାକୁ ସବୁବେଳେ ସଂଗୋପନରେ ବର୍ଦ୍ଧିତ କରୁଥିବେ । ତାକୁ ମୁହୂର୍ତ୍ତକୁ ପାଇଁ କେବଳ କୋଷମୁକ୍ତ କରି କର୍ମ ସଂପାଦନ କରାଯାଇପାରେ । ସବୁବେଳେ କିନ୍ତୁ କୋମଳ ମୃଦୁ ହାସ୍ୟଦ୍ୱାରା ନିଜର ମୁଖମଣ୍ଡଳକୁ ଆବୃତ ରଖି ସମସ୍ତଙ୍କୁ ବିମୁଗ୍‌ଧ କରୁଥିବେ । ଶତ୍ରୁର କାନ୍ଧରେ ଚକ୍ର ପଡ଼ି ମୁଣ୍ଡ ଛିଡ଼ି ପଡ଼ିବା ପର୍ଯ୍ୟନ୍ତ ସେ ଯେପରି ମୂଢ଼ବତ୍‌ ସେ ମଧୁର ମୁହଁକୁ ଚାହିଁ ରହିଥିବ ସେଥିପାଇଁ ଚେଷ୍ଟିତ ଥିବେ । ଶତ୍ରୁର ମର୍ମଭେଦ କଲାବେଳେ ମତ୍ସ୍ୟଜୀବୀ ପରି ନିର୍ବିକାର ଏବଂ ଅଚଞ୍ଚଳ ରହିପାରିବା ପ୍ରକୃଷ୍ଟ ସାଧନା ।

 

ଶଠତାପାଇଁ ସଖ୍ୟ ସର୍ବୋତ୍କୃଷ୍ଟ ଆବରଣ । ମନକୁ ଜୟ କରବାକୁ ଅଶ୍ରୁ ଅତି ଉପାଦେୟ ମାଧ୍ୟମ । କୌଣସି ଅଗ୍ନେୟ ଘରେ ନିକଟତମ ଶତ୍ରୁଙ୍କର ବିଶ୍ୱାସ ଅର୍ଜନ କରି ତାଙ୍କୁ ଦଗ୍‌ଧୀଭୂତ କଲାପରେ ସେମାନଙ୍କ ଅନ୍ୟେଷ୍ଟି ପାଇଁ ବହୁ ଆଡ଼ମ୍ବରରେ ଅର୍ଥବ୍ୟୟ କରିବେ ଏବଂ ଅକୁଣ୍ଠିତ ଅଶ୍ରୁମୋଚନ କରିବେ ।

 

ଭାଇ, ବନ୍ଧୁ, ପୁତ୍ର, ପିତା, ଜାୟା, ଜନନୀ କହିଦେଲେ ଏ ନିର୍ମମ ବିଦ୍ୟାର ପ୍ରୟୋଗ–ବହିର୍ଭୂତ ନୁହନ୍ତି । ବେଳ ପଡ଼ିଲେ ସମସ୍ତଙ୍କୁ ଅପସାରିତ କରିବାକୁ ପଡ଼ିବ । ପୁରୁଷାର୍ଥର ତିନୋଟି ବର୍ଗ ପାଇଁ ଏ ଶତ୍ରୁ ପାଇଁ ଏ ଶତ୍ରୁତାପିନୀ ବିଦ୍ୟାର ତୁଳନା ନାହିଁ । ମନରୁ ସବୁ ସଂଶୟ ଦୂରକରି ଆପଣ ଏହାର ଆଶ୍ରିତ ହୁଅନ୍ତୁ । ଆପଣ ବୃଦ୍ଧ ହୁଅନ୍ତୁ ଅଥବା ଅପାରଗ ହୁଅନ୍ତୁ କିମ୍ବା ଅନ୍ଧ ହୁଅନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ । ଏହି ଦ୍ୱିଧା ଗ୍ଳାନିଶୂନ୍ୟ ମାର୍ଗରେ ଏ ସସାଗରା ଭୂଖଣ୍ଡକୁ ଆପଣ ଭୋଗ କରିପାରିବେ । ପଶୁରାଜ ପରି ଏ ବିସ୍ତୃତ ଅରଣ୍ୟକୁ ଆପଣ ପଦାନତ କରି ଅଶେଷ ପ୍ରଭୃତ୍ୱ ପ୍ରତିପତ୍ତି, କ୍ଷମତା ଏବଂ ଐଶ୍ୱର୍ଯ୍ୟ ଭୋଗ କରି ପାରିବେ ।

 

ମୁଁ କଣିକ, କ୍ଷୁଧାର ବଶବର୍ତ୍ତୀ । ମୋର ନିରନ୍ନ ପରିବାର ଗ୍ରାସାଚ୍ଛାଦନ ପାଇଁ ମୋ ଉପରେ ନିର୍ଭରଶୀଳ । ମୁଁ ଅଶେଷ ବିଦ୍ୟାର ଅଧିକାରୀ ହେଲେ ସୁଦ୍ଧା ନିଜ ପାଇଁ କୌଣସି ବିଦ୍ୟାର ପ୍ରୟୋଗ କରେନାହିଁ । ଯୋଗ୍ୟତା ଏବଂ ପ୍ରୟୋଜନ ବିଚାର କରି ଉପଯୁକ୍ତ ପାତ୍ରରେ ତାହା ଦାନ କରେ । ପ୍ରତିଦାନରେ କିଛି ଅର୍ଥ ହିଁ ମୋର ପ୍ରାପ୍ୟ । ଆହୁରି ଅନେକ ମହତ୍ତର ବିଦ୍ୟା ବିରଳ ପକ୍ଷୀପରି ମୋ ଶାଖାରେ ବାସ କରନ୍ତି । ସେଥିପାଇଁ ଆପଣ ଲୋଭ କରନ୍ତୁନାହିଁ । ଦୁର୍ବଳ ଦାରୁଖଣ୍ଡ ବଜ୍ରାଗ୍ନିରେ ଭସ୍ମୀଭୂତ ହେଲା ପ୍ରାୟ ସେମାନଙ୍କୁ ସ୍ପର୍ଶ କଲାମାତ୍ରେ ଆପଣଙ୍କର ମୋହାନ୍ଧ ଶରୀରର ପତନ ଘଟିବ ! ମୋ ପାଇଁ ବିଦ୍ୟା ଯାହା, ଅବିଦ୍ୟା ତାହା । ଅବିଦ୍ୟାର ଘୋର ଅନ୍ଧକାର ତୁଳନାରେ ବିଦ୍ୟାର ଅନ୍ଧକାର ଘୋରତର । ମୁଁ ସମସ୍ତଙ୍କ ମହତ୍ତ୍ୱ ବୁଝେ; କାହାକୁ ମହତ୍ତ୍ୱ ଦିଏ ନାହିଁ-

 

ଆଜି ଆପଣଙ୍କର ଘୋର ସଂକଟ ଉପସ୍ଥିତ । ଆପଣ ପରମ ତେଜସ୍ୱୀ ଶତ୍ରୁ ଜାଲରେ ଆବୃତ । ମୋତେ ଆପଣ ଧନ-ମାନରେ ସନ୍ତୁଷ୍ଟ କରିଛନ୍ତି । ମୁଁ ଆପଣଙ୍କୁ ଅମୋଘ ଶତ୍ରୁ ବିଧ୍ୱଂସିନୀ, ପ୍ରବଳା ନିରଙ୍କୁଶା ବିଦ୍ୟା ଦାନ କରି ବିଦାୟ ନେଉଛି । ଏଣିକି ଆପଣ ଇଚ୍ଛାମତେ କାର୍ଯ୍ୟ କରିବା ହେବେ ।

Image

 

ଅଜାତଶତ୍ରୁ

 

ଦାଢ଼କୁ ଦାଢ଼ ପରିତାଳ ହେଲେ ସିନା ଶତ୍ରୁତା; କିନ୍ତୁ ଶାଳଗ୍ରାମ ଗୋଟାଳି ପରି ଯେ ସବୁଆଡ଼ୁ ଚିକ୍‌କଣ, ପାଣିପରି ସରଳ, ପବନ ପରି କଅଁଳ, ତା’ର ଦାଢ଼ ବୋଲି କିଛି ନାହିଁ, ଏଣୁ ବିରୋଧ ନାହିଁ କି ଶତ୍ରୁତା ନାହିଁ ।

 

ଏଭଳି ପୁରୁଷ କ’ଣ ସମ୍ଭବ ? ଶତ୍ରୁ ନ ଥାଇ ପୁରୁଷକାର କାହିଁ ? କରମ ପଟାରୁ ଚନ୍ଦହାସ ଖଡ଼୍‌ଗ ଯଦି ଝୁଲିନାହିଁ, କଥା କଥାକେ ଯଦି ନିଶକେଶର ଠିଆ ହେଉନାହିଁ, ଯଦି ସେ ପ୍ରତିଦ୍ୱନ୍ଦୀ ସୃଷ୍ଟି କରିପାରୁନାହିଁ, ପଣ କରି ପାରୁ ନାହିଁ ପ୍ରତିପକ୍ଷକୁ ଦୁଇଫାଳ କରି ଚିରି ଦେବାକୁ ଅଥବା ସେଇ ଯମଦାଢ଼ ଉପରେ ନିଜେ ଦୁଇଖଣ୍ଡ ହୋଇଯିବାକୁ କିବା ସେ ଅସମର୍ଥ ପୁରୁଷ ? କିବା ତା’ର ସେ ନିଷ୍ଫଳ ବେଲଜ୍ଜ ଜୀବନ ? ସେ ହୋଇପାରେ କୌଣସି ଟାଣପଣ ନଥିବା ଅମେରୁଦଣ୍ଡୀ କୃମୀ; ହୋଇପାରେ ସବୁ ଅପମାନ ସହିପାରୁଥିବା କୌଣସି ମାନହୀନ ବୃହନ୍ନଳା; କିନ୍ତୁ ସେ ପୁରୁଷ ପଦବାଚ୍ୟ ନୁହେଁ । ଯେ ପ୍ରକୃତ ପୁରୁଷ, ଯା’ର ନିଶ ଅଗରେ ହୀରାଗୁଣ୍ଡି ଝଟକୁଥାଏ, ଯା’ର ଭୁରୂ ଚମକିଲେ ପୃଥ୍ୱୀ ଦୁଲୁକୁଥାଏ, ତା’ ଆଗରେ ଅକ୍ଷୌହିଣୀ ଅଟେ ଅସିଚର୍ମ ଧରି ତାକୁ ରେରେକାର କଲାବେଳେ ସେ ଏକାକୀ ସିଂହନାଦ କରି ଧନୁଧାରଣ କରେ । ଶତ୍ରୁକୁ ଏଭଳି ସ୍ୱୀକାର କରିବା, ତାକୁ ପରାସ୍ତ କରିବା, ତା’ର ସଂହାର ସାଧନା କରିବା ମର୍ଯ୍ୟାଦାବନ୍ତ ଜୀବନର ସାର୍ଥକତା । ଯଦି କେହି ଯୁଦ୍ଧ କରିନାହିଁ; ତା’ର ଜୀବନ କାହିଁ ଯେ ସେଥିରେ ପୌରୁଷର ମେରୁମନ୍ଦର ସ୍ଥାପିତ ହେବ ? ବୀର, ଯୋଦ୍ଧାପୁରୁଷ ପାଇଁ ପୃଥିବୀ ଶତ୍ରୁମୟ, ଜୀବନ ସଂଗ୍ରାମମୟ, ବିଜୟ ହିଁ ଏକମାତ୍ର ସିଦ୍ଧି, ପରାଜୟ ମୃତ୍ୟୁ ।

 

ଠିକ୍‌ କଥା ! ଲଢ଼ୁଆଳ ପୁରୁଷର ଲକ୍ଷଣ ଗର୍ଜୁଥିବା ସିଂହପରି, ଫୁଫୁକାର କରୁଥିବା ଅହିରାଜପରି । ସେ ଏକ ଜ୍ୱଳମାନ ଅଗ୍ନି । ‘ତିମୁର’ ‘ହାନିବାଲ୍‌’ ଅସୁମାରି ସବୁଜ ଅରଣ୍ୟକୁ ଗ୍ରାସିଯାଉଥିବା ଦାବାଗ୍ନି । ସେମାନେ କ୍ରୋଧୀ । ସେମାନଙ୍କ ବର୍ଣ୍ଣ, ମୁଖ–ବିବର ଫେନାକ୍ତ । ସେମାନେ ବଳତ୍କାର ହତ୍ୟା କରନ୍ତି । ଭୂଜ ବିକ୍ରମରେ ଅପରକୁ ବିଦାରଣ କରନ୍ତି । ସେମାନେ ସମସ୍ତେ ବହୁ ପୁରାତନ ଆଦିମ ପରମ୍ପରାର ପ୍ରତୀକ ଯୋଦ୍ଧା । ଗଣ୍ଡା, ଗୟଳ, ସିଂହ, ଶୁକର ଆଦି ଯେଉଁ ପରାକ୍ରମରେ ବଞ୍ଚି ଆସିଛନ୍ତି କିମ୍ବା ମରି ଯାଇଛନ୍ତି, ସେଇ ଧାରାର ଉତ୍ତର ଦାୟାଦ ହେଉଛନ୍ତି ଏମାନେ । ଜାନୁଆର ତ କେବଳ ହିଂସ୍ର ନୁହେଁ । ସେ ଭୟଙ୍କର, ଚତୁର, ଧୂର୍ତ୍ତ । ସେମାନଙ୍କ ପାଇଁ କ୍ଷୁଧା ହିଁ ଏକମାତ୍ର ସତ୍ୟ; କିନ୍ତୁ ସେଥିରେ ମଣିଷର ବୁଦ୍ଧି ନିର୍ବିଚାର ମିଶିଗଲେ, କ୍ଷୁଧା ଜିହ୍ୱା ଏବଂ ଉପସ୍ଥରୁ ଚହଟିଯାଏ ପ୍ରତ୍ୟେକ କେଶାଗ୍ର ପର୍ଯ୍ୟନ୍ତ । ଆଚରଣ ମଧ୍ୟ ସେହି ଅନୁପାତରେ ଶାଣିତ, କ୍ରୁର, ଏବଂ ଭୟାନକ ହୋଇଯାଏ । ନିଜର ଚର୍ମ ଆବରଣଟିକୁ ସୀମା ବୋଲି ସ୍ୱୀକାର କରିନେଲା ପରେ ସଂଘର୍ଷ ଅନିର୍ବାଯ୍ୟ । ତେଣିକି ହିଂସ୍ରତା ପରିମାଣରେ ବୀରତ୍ୱ କିମ୍ବା ଚତୁରତା ପରିମାଣରେ ସାଫଲ୍ୟ ପରବର୍ତ୍ତୀ ଘଟଣା । ପ୍ରତିଦ୍ୱନ୍ଦୀ ସୃଷ୍ଟି କରିବା, ନଖଦନ୍ତ ସ୍ତରରେ ସଂଗ୍ରାମ କରିବା ହୁଏତ ସେଭଳି କିଛି ପୌରୁଷ ନୁହେଁ । ତାହା ଯେ କୌଣସି ଜନ୍ତୁ ଜୀବନର ବିଡ଼ମ୍ବନା । ଯେ ଶତ୍ରୁକୁ ସ୍ୱୀକାର କରେନାହିଁ, ସେ ଶତ୍ରୁଠାରୁ ଅନେକ ଗୁଣରେ ବିସ୍ତୃତ, ତାର ପରିସର ଅନେକ ବେଶି ବିସ୍ତୀର୍ଣ୍ଣ । ତାର ଶତ୍ରୁଟିଏ ହୋଇ କେହି ଜନ୍ମହେବା ସମ୍ଭବ ନୁହେଁ । ସେ ହୋଇପାରେ ସେହି ପ୍ରସିଦ୍ଧ ଅଜାତଶତ୍ରୁ ।

 

ନିଜେ ଛୋଟ ନ ହେଲେ ସରହଦ ରେଖାଗୁଡ଼ିକ ତୀକ୍ଷଣ ହୁଅନ୍ତିନାହିଁ । ଏଣୁ ବିରୋଧ ପରିସ୍ଫୁଟ ହୁଏନାହିଁ । ଶତ୍ରୁ ପ୍ରତିଦ୍ୱନ୍ଦୀ ହୋଇ ଆଗରେ ଆସି ବାହୁ ମେଲେଇ ଠିଆ ହୁଏନାହିଁ । ଅପରକୁ ନିଜର ସମକକ୍ଷ ବୋଲି ଅନୁଭବ ନ କଲା ପର୍ଯ୍ୟନ୍ତ ଶତ୍ରୁ ସୃଷ୍ଟି ହୁଏନାହିଁ । ଶତ୍ରୁକୁ ନିଭୃତରେ ଭୟକରି ଏବଂ ସେହି ହେତୁରୁ ଘୃଣା କରି ମୁକାବିଲା କରାଯାଏ । କ୍ରୋଧ ଏକ ଆବରଣ । ଯେ ଦୁର୍ବଳ ସେ ଭୟ କରେ । ସେ ହିଁ କ୍ରୋଧ ପ୍ରକାଶ କରେ । ଦୁର୍ବଳ ହିଁ କ୍ରୂର, ନୃଶଂସ ହୋଇପାରେ । ଯେ ସମସ୍ତଙ୍କୁ ଭଲପାଏ ସେ ସବୁଠାରୁ ଉଦାର । କ୍ରୋଧ ତା’ ପାଇଁ ଅବାନ୍ତର । ପ୍ରେମ ଏବଂ ଭୟ ସହାବସ୍ଥାନ କରିପାରନ୍ତି ନାହିଁ । ଭୟ ମୃତ୍ୟୁରେ ଆଶ୍ରିତ । ପ୍ରେମ କିନ୍ତୁ ମୃତ୍ୟୁକୁ ଅସ୍ୱୀକାର କରେ, ତାକୁ ପରାସ୍ତ କରେ । ଏଣୁ ଯେ ନଖ ଦନ୍ତର ପ୍ରତୀକ ଚନ୍ଦ୍ରହାସ ଖଡ଼୍‌ଗକୁ ଅନେକକାଳରୁ କମରପଟାରୁ ଖସେଇ ସାରିଛି, ଯୁଦ୍ଧ କଥା ପଡ଼ିଲେ ଯେ ସାମାନ୍ୟ ଟିକିଏ ହସି ଦେଇଥାଏ, ସେ ଅସମର୍ଥ ନଂପୁସକ ନୁହେଁ । ସେ ବରଂ ନିଶ୍ଚଳ ସମୁଦ୍ରପରି ଅପରିସୀମ ମହାପୁରୁଷ ।

 

ସେ ଯୁଦ୍ଧ କରିନାହିଁ ନୁହେଁ; ସେ ବରଂ ଅନେକ ଯୁଦ୍ଧ କଲାପରେ ତା’ର ବ୍ୟର୍ଥତା ବୁଝିସାରିଛି । ଯୁଦ୍ଧର ପିଲାଖେଳ ପାଇଁ ତା’ର ପ୍ରବୃତ୍ତି ନାହିଁ । ସେ ଅଭିନୟର ରଙ୍ଗଭୂମିକୁ ବୁଝିସାରିଛି । ତା’ର ସାମଗ୍ରିକ ରୂପକୁ ଦେଖିସାରିଛି । କାହା ସାଙ୍ଗେ ଅବା ସେ ଯୁଦ୍ଧ କରନ୍ତା ? କିଏ ଆଉ ତା’ର ସମକକ୍ଷ ? ରକ୍ତ ଥୋପି ପଡ଼ୁଥିବା ଚନ୍ଦ୍ରହା ଖଡ଼୍‌ଗଟିକୁ ପାଟକନାର ଖାପ ନିର୍ବରୋଧ ଗ୍ରହଣ କଲାପରି ସଂଗ୍ରାମୀ କ୍ଳାନ୍ତ ମଣିଷଗୁଡ଼ିକୁ ସେ ଗ୍ରହଣ କରିନିଏ; ବିସ୍ତୃତ ଯୁଦ୍ଧଭୂମିପରି, ଅକୃପଣ ଆକାଶ ପରି । ଜୀବନ ତା’ ପାଇଁ ସଂଗ୍ରାମଠାରୁ ଢେର ବେଶି ଗଭୀର, ପ୍ରଶାନ୍ତ ଏବଂ ଅବିଚଳିତ ସତ୍ତା । ତା’ର ଢେଉଗୁଡ଼ିକ ଉପରେ ଖରା କିମ୍ବା ଛାଇ । ସେ ତା’ର ଉଦାର ବକ୍ଷ ପାତି ନେଇ ଏ ଚପଳ ଲହଡ଼ିଗୁଡ଼ିକ ଖେଳିବାକୁ ଦିଏ । ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଠା କରେ । ନରମ ସ୍ନେହଶୀଳ ଆଖିରେ ଚାହିଁ ରହିଥାଏ ଅବୋଧ କ୍ଷୁଦ୍ରତାଗୁଡ଼ିକୁ । ମୃତ୍ୟୁ ତା’ ପାଇଁ କୌଣସି ପୁରୁଣା ଗଛ କୋରଡ଼ରୁ ଉଡ଼ି ଆସିଥିବା ଅଂଧ ବାଦୁଡ଼ିଟିଏ । ପ୍ରଚଣ୍ଡ ଆଲୋକିତ ସୂର୍ଯ୍ୟସ୍ନାତ ଜୀବନର ବିସ୍ତୀର୍ଣ୍ଣତାରେ ସେ ପକ୍ଷୀଟି ପରି ଅସହାୟ ନୀରବ ଛାଇଟିଏ କେବଳ ।

 

ସେ ତୁମର ଯୁଦ୍ଧ ଭୂମିରେ ନିରସ୍ତ୍ର ଠିଆହେବା ଦେଖି ତୁମେ ପ୍ରଥମେ ତାକୁ ଶଠ ଛଳପୁରୁଷ ବୋଲି ସନ୍ଦେହ କର । ତା’ର ପ୍ରାଞ୍ଜଳ ହସଟିକୁ କପଟ ଅଭିସନ୍ଧ ଭାବି ସତର୍କ ହୁଅ । ତାକୁ ମଧ୍ୟ ତୁମେ ଭୟ କରୁଥାଅ ଯେ କୌଣସି ମୁହୂର୍ତ୍ତରେ ସେ ଛପି ରହିଥିବା ସିଂହପରି ଶଟା ମେଲେଇ ଗ୍ରାସିଯିବ, ଏଇ ଆଶଙ୍କାରେ ତୁମେ ତାକୁ ନିଷ୍ପଲକ ଚାହିଁ ରହିଥାଅ । ସେ କିନ୍ତୁ ନିଷ୍ପନ୍ଦ ଝଟକୁଥାଏ । ତୁମକୁ ଦିଶୁଥାଏ ଆକାଶରୁ ଝୁଲି ରହିଥିବା ଉଲ୍ଲଙ୍ଗ ଅସିପତ୍ର ପରି । ସେଥିପାଇଁ ତୁମେ ତାକୁ ହଠାତ୍‌ ଆଘାତ ମଧ୍ୟ କରିପାରନାହିଁ । ଅନେକ ପରୀକ୍ଷା କଲାପରେ ଯେତେବେଳେ ତା’ ଆଖିରେ କୌଣସି ଛଳନା ତୁମେ ପାଅନାହିଁ, ସେ ତୁମକୁ ତୁମର ସଖାପରି, ବନ୍ଧୁପରି, ଜାୟାପରି, ଜନନୀ ପରି ସ୍ନେହ କରୁଥିବାର ଲକ୍ଷଣ ଆବିଷ୍କାର କର, ଅଥଚ ବିଶ୍ୱାସ କରି ପାରନାହିଁ, ସେତେବେଳେ ତୁମେ ତାକୁ ଉପହାସ କର । ତା’ର ସେ ସମ୍ଭ୍ରାନ୍ତ ଚେହେରା ଉପରେ ଛେପ ପକାଇ ହାସ୍ୟରୋଳ କର । ତାକୁ ଅସଂଖ୍ୟ କୁବଚନରେ ଅପମାନିତ କର, ଖଳବାକ୍ୟ କହି ନିନ୍ଦା କର । ସେ ତଥାପି ତୁମକୁ ଭଲପାଏ । ପ୍ରତିବାଦ କରେନାହିଁ । ତୁମକୁ ଶତ୍ରୁ ତାର ସ୍ୱୀକୃତି ଦିଏନାହିଁ । ତୁମେ ହୁଏତ ଅନୁଭବ କର ଯେ କୌଣସି ପ୍ରକାରେ ସେ ତୁମକୁ ଅକୁଳାନ ହେଉଛି । ତୁମକୁ ସହସ୍ର ଗୁଣରେ ଟପିଯାଇ ଅର୍ଦ୍ଧାକାଶରୁ ତୁମକୁ ଚାହିଁ କରୁଣା କରୁଛି । ଯୋଦ୍ଧା ବିଜିଗୀଷାରେ ଶାଣିତ ହୁଏ-। ହିଂସା ହିଁ ତା’ର ଆଶ୍ରୟ । ଶତ୍ରୁ ନ ହେଲେ ସେ ଭୁଷୁଡ଼ି ପଡ଼େ ପବନକୁ ଚୋଟହାଣି ମୁହଁମାଡ଼ି ପଡ଼ିଗଲାପରି ! କିନ୍ତୁ ଏଠି ଦାଢ଼ରେ ଦାଢ଼ ପରିତାଳ କାହିଁ ? ଏ ନଂପୁସକ ଯେ ଜମା ଉତ୍ତ୍ୟକ୍ତ ହେଉନାହିଁ ! କି ଅଦ୍ଭୁତ ଆଚରଣ ଏ ନିର୍ଲଜ୍ଜ ବ୍ୟକ୍ତିର ? –କ୍ଷମା କ’ଣ ? କରୁଣା କି ପଦାର୍ଥ-??

 

ସେ ତୁମକୁ ତୁମର ଏ କ୍ଷୁଦ୍ରତାରେ ହିଁ ପରାସ୍ତ କରେ, ପରାସ୍ତ କରିବା ତା’ର ଅଭିପ୍ରାୟ ନୁହେଁ; ତୁମେ ବଳେ ପରାଜିତ ହୋଇଯାଅ । ସେ ପବନ ପରି ତୁମ ଚାରିଆଡ଼େ, ତୁମ ଭିତରେ, ବାହାରେ ତୁମକୁ କୋଳାଗ୍ରତ କରୁଥାଏ । ତୁମେ ତା’ର ବିଶାଳ ନୀରବତାରେ ଛୋଟ ହୋଇଯାଉଥାଅ । ଆକାଶକୁ ଅଜସ୍ର ଛେପ ପକାଇଲା ପରେ ଅନୁଭବ କରୁଥାଅ ଯେ ସେ ସବୁ ତୁମ ମୁହଁରେ ଦେହରେ ବର୍ଷା ହୋଇଯାଇଛି । ତାକୁ ଆଘାତ କରିବାକୁ ଯାଇ କେବଳ ତୁମେ ଠିଆହୋଇଥିବା ଭୂମିକୁ ହାଣିଯାଇଛି । ସେ ପୂର୍ବପରି ତୁମକୁ ଏବଂ ତୁମର ସମସ୍ତ ଚପଳତାକୁ ତାର ଜବିଷ୍ଠ ଦୃଷ୍ଟିରେ କ୍ଷମା କରୁଛି ।

 

ପରାଜୟର ଗ୍ଳାନିରେ ତୁମେ ଅନ୍ଧପ୍ରାୟ ଯନ୍ତ୍ରଣାରେ କଲବଲ ହୁଅ । ସେ ତୁମ ପାଇଁ ଅଶ୍ରୁମୋଚନ କରେ । ତୁମେ ଶର ପ୍ରହାର କର । ସେ ପାଦ ପାତି ତାକୁ ଗ୍ରହଣ କରେ । ତୁମେ ତାକୁ ବିଦୀର୍ଣ୍ଣ କରିବାକୁ ଶଲ୍ୟ ପ୍ରୟୋଗ କର । ସେ ଉନ୍ମୁକ୍ତ ବାହୁ ଏବଂ ବକ୍ଷରେ ତାକୁ ଗ୍ରହଣ କର-। ତୁମେ କ’ଣ ତଥାପି ବୁଝିପାରନାହିଁ ସେ ତୁମକୁ କେତେ ଭଲ ପାଏ ? –ତୁମ ପାଇଁ ସେ କେତେ ଉଦ୍‌ବିଗ୍ନ ? –ତଥାପି ବୁଝିପାରନାହିଁ ଯେ ବାରଂବାର ରକ୍ତାକ୍ତ ହେବାରେ ତାର ଅପରିମେୟ ପୌରୁଷ ତୁମର ଯୁଦ୍ଧ ଭୂମିରେ ଏ ପିଲାଖେଳ ପାଇଁ କେତେ ଅନୁପଯୁକ୍ତ; ଏ ଭୂମିଠାରୁ କେତେ ସହସ୍ର ଗୁଣର ସେ ଉତ୍ତୁଙ୍ଗ ଏବଂ ମହାନ ? ଜୀବନକୁ ଶତ୍ରୁମୟ କରିସାରିଲା ପରେ ଶତ୍ରୁକ୍ଷୟ ଏକ ବିଡ଼ମ୍ବନା । ସବୁ ପ୍ରକାର ଆଳରେ ତୁମେ ନିଜକୁ ନିଜେ ନିପାତ କରୁଥାଅ । ରକ୍ତରରେ ଲେଖୁଥାଅ ଅସଂଖ୍ୟ ମାନଚିତ୍ର । ସବୁ ଶତ୍ରୁ ନିପାତ କଲେ ନିଜେ ଅଜାତଶତ୍ରୁ ହେବାର ସ୍ୱପ୍ନ ଦେଖୁଥାଅ । ସେ କିନ୍ତୁ ତୁମକୁ ଅସୀମ ଧୈର୍ଯ୍ୟ ଏବଂ କରୁଣାର ସହିତ ଦେଖୁଥାଏ । ସବୁକାଳର, ସବୁଦେଶର ଅଜାତଶତ୍ରୁ, ସମ୍ରାଟକୁ ତୁମେ ଜାନୁପାତି ସ୍ୱୀକାର କରିପାରୁନାହଁ । ତୁମେ କ’ଣ ଏବେ ମଧ୍ୟ ତା’ ସହିତ ଦାଢ଼କୁ ଦାଢ଼ ପରିତାଳ କରିବାକୁ ମନସ୍ଥ କରିଛ ?—ପ୍ରମାଣ କରିବାକୁ ଚାହୁଁଛ ଯେ ତୁମେ ହିଁ ଏକମାତ୍ର ସମର୍ଥ ପୁରୁଷ ? —ତୁମେ ହିଁ ଯୋଦ୍ଧା ? ତୁମେ କ’ଣ ବିଶ୍ୱାସ କରିପାରୁନାହଁ ଯେ ସେ ତୁମକୁ ମଧ୍ୟ ତା’ର ଭଳି ଅଜାତଶତ୍ରୁ କରିବାକ ଚାହେଁ ? —ଜୀବନର ନିଘଞ୍ଚ ଐଶ୍ୱର୍ଯ୍ୟ ଏବଂ ଅମୃତ ଭିତରେ ତୁମକୁ ପାଳପ କରିବାକୁ ଚାହେଁ ?

 

ତୁମେ ତା’ର ସାମର୍ଥ୍ୟ କଳିବାକୁ ହିଁ ଚେଷ୍ଟା କରି ବିଡ଼ମ୍ବିତ ହେଉଛ । କ’ଣ କଳିବ ସମୁଦ୍ରର ସାମର୍ଥ୍ୟ ? ବରଂ ସେ ଯେଉଁଭଳି ତୁମକୁ ଧରାଦେଉଛି, ସେଭଳି ତାକୁ ବୁଝିଯାଅ । ସେ ତୁମ ଯୋଦ୍ଧୃପୁରୁଷର ପ୍ରେମମୟ ବିକଳ୍ପ ସମ୍ଭାବନା । ସେ ତୁମ ଡାଳରେ ଫୁଟି ପାରୁନଥିବା ଅସଂଖ୍ୟ କଢ଼, ତୁମ ଭିତରର ଅପ୍ରକଟିତ ମୃତ୍ୟୁଞ୍ଜୟ ନିର୍ଭୀକ ଅଜାତଶତ୍ରୁ !!

Image

 

ଗୁରୁ

 

ସେଇଟା ଦିନ ନୁହେଁ କି ରାତି ନୁହେଁ । ଘର ନୁହେଁ କି ବାହାର ନୁହେଁ । ଆକାଶରେ ସୂର୍ଯ୍ୟ ନାହିଁ କି ଚନ୍ଦ୍ର ନାହିଁ । ପୃଥିବୀରେ ଆଲୁଅ ନାହିଁ କି ଅନ୍ଧାର ନାହିଁ । ଏଭଳି ଅପମିଶ୍ରିତ ବେଳା ସବୁବେଳେ ଆଚାର୍ଯ୍ୟଙ୍କୁ ଉତ୍ତ୍ୟକ୍ତ କରି ଆସିଛି ।

 

ସେ ଖୁବ୍‌ ଅସୁସ୍ଥ ବୋଧ କରିବାରୁ ଘର ବାହାରି ଆସି ଦୁଆରେ ପଦଚାରଣ କରୁଥାନ୍ତି-। ୟା’ ପରେ ନିରୋଳା, ଘନିଷ୍ଠ ଅନ୍ଧାର ଆସୁ ଅଥବା ନିରଳସ, ପ୍ରାଞ୍ଜଳ ଆଲୋକ ଆସୁ–ସେଥିପାଇଁ ତାଙ୍କର ସେଭଳି କୌଣସି ଆପତ୍ତି କିମ୍ବା ଉତ୍କଣ୍ଠା ନାହିଁ । ଦେହରେ ଲେସି ହୋଇ, ଲଟେଇ ହୋଇ ତାଙ୍କୁ ଆବିଷ୍ଟ କରୁଥିବା ଶୀତଳରାତ୍ରି ପାଇଁ ତାଙ୍କର ମୋହ ଅଛି । ଧଳା ବାଛୁରୀଟିଏ ପରି ତାଙ୍କ ଚାରିଆଡ଼େ ଡେଇଁ ବୁଲୁଥିବା, ଉଷୁମ ଜିଭ ଲଗେଇ ତାଙ୍କୁ ପାଦଠାରୁ ମୁଣ୍ଡଯାଏ ଚାଟିଯାଉଥିବା, ଉଜ୍ଜ୍ୱଳ ଦିନଟି ପାଇଁ ତାଙ୍କର ମମତା ଅଛି । ସେ ଉଭୟଙ୍କୁ ଚିହ୍ନନ୍ତି ଏବଂ ଉଭୟଙ୍କୁ ଭଲପାନ୍ତି; କିନ୍ତୁ ଏ ଦୋ’ ମିଶା କେତୋଟି ମୁହୂର୍ତ୍ତ ସକାଶେ ତାଙ୍କୁ କ୍ଷୁର ଧାରରେ ଲହୁଲୁହାଣ ହେବାକୁ ପଡ଼େ । ସେତେବେଳେ ସେ ଚାହାନ୍ତି ଏ ପୃଥିବୀ ଦୁଇଫାଳ ହୋଇ ଯାଆନ୍ତା କି ? ଏ ଆକାଶ ଦୁଇଭାଗ ହୋଇଯାନ୍ତା, ନିକିତିର ଗୋଲାର୍ଦ୍ଧପରି ଏବଂ ସେ ନିଜେ ଚିରି ହୋଇଯାନ୍ତେ ଦୁଇଟି ବିଶୁଦ୍ଧ ଉପାଦାନରେ ।

 

ଏତିକିବେଳସେ ସେ ଦୁଇଜଣ ଆସି ତାଙ୍କ ପାଖରେ ପହଞ୍ଚିଲେ ! ବୋଧହୁଏ ଦୁଇଭାଇ ହେବେ ନା’କଣ ? ହୋଇପାରନ୍ତ ଯାଆଁଳା । ଏକା ବୟସ ଏକାପରି ଚେହେରା । ଦୁହେଁ ତରୁଣ । ଦୁହେଁ ସୁନ୍ଦର । ଦୁଇଜଣଯାକ ବିଦ୍ୟାର୍ଥୀ ! ତାଙ୍କୁ ଦେଖୁ ଦେଖୁ ଆଚାର୍ଯ୍ୟେ ଭଲପାଇଗଲେ । ସେ ଅସ୍ଥିରବେଳା ସତ୍ତ୍ୱେ ତାଙ୍କୁ ଗୋଟାଏ ନୂତନ ପୁଲକ ଉଲୁସେଇ ଦେଲା । ସେମାନଙ୍କ ମୁଣ୍ଡ ଉପରେ ହାତ ବୁଲେଇ ଦେଇ ସେ ତାଙ୍କୁ ଚାହିଁରହିଲେ । ମୁହଁରେ ଅଳ୍ପ ହସ ।

 

‘‘ଆଚାର୍ଯ୍ୟ ଦେବ ! ଆମର ଅଭିବାଦନ ଗ୍ରହଣ କରନ୍ତୁ ।’’

 

‘‘ତୁମେ ଦୁହେଁ ସ୍ୱଧର୍ମରେ ବଳଶାଳୀ ହୁଅ । ସାହାସୀ ହୁଅ । ମୋର ମନେ ହେଉଛି ଯେ, ତୁମେ ଏକାଠି ବିଦ୍ୟାଭାସ କରିପାରିବ ନାହିଁ । ତୁମର ଉପାଦାନ ଅଲଗା, ଏଣୁ ଅଧିକାର ମଧ୍ୟ ପୃଥକ୍‌ ।’’

 

ସେ ଈଷତ୍ ପିଙ୍ଗଳ ତରୁଣଟିକୁ କାନ୍ଧରେ ହାତ ପକେଇ ପାଖକୁ ଅପସାରି ନେଲେ ଏବଂ ଆରଜଣକ ଉଦ୍ଦେଶ୍ୟରେ କହିଲେ, ‘‘ତୁମେ ତୁମର ଉପଯୁକ୍ତ ସମୟରେ ଆସିବ । ବର୍ତ୍ତମାନ ଶିଷ୍ୟଶାଳାରେ ବିଶ୍ରାମ କର ।’’

 

ଅନ୍ଧାର କ୍ରମଶଃ ଘନୀଭୂତ ହେଲା ।

 

‘‘ତୁମ ଦେହରେ ଆମିଷର ଗନ୍ଧ ସ୍ପଷ୍ଟ ! ତାହା ଶାସକର ଗନ୍ଧ ! ତୁମେ ଚକ୍ରବର୍ତ୍ତୀର ଲକ୍ଷଣ ନେଇ ଜନ୍ମ ହୋଇଛ ।’’

 

ତରୁଣର କାନ୍ଧ ଉପରେ ରୁମ ଟାଙ୍କୁରି ଉଠିଲା । ନାକପୁଡ଼ା ଫୁଲିଗଲା । ବାହୁ ଏବଂ ବୁକୁ ଉପରେ ମାଂସପେଶୀ ଗୁଡ଼ିକ ସ୍ଫୀତ ହୋଇ ଉଠଇଲେ !

 

ପିଠିରେ ହାତ ମାରିଦେଇ ଆଚାର୍ଯ୍ୟ ତାକୁ ଗୋଟିଏ ପ୍ରକୋଷ୍ଠ ଭିତରକୁ ନେଇଗଲେ । ଅତି ଚମତ୍କାର କସ୍ତୁରୀ ଏବଂ ମୃଗମଦର ଗନ୍ଧ ତରୁଣକୁ ବିଭୋର କଲା । ସେ ପାଦତଳେ ନରମ ଚିକ୍‌କଣ କୌଣସି ଆସନର ସ୍ପର୍ଶ ପାଇଲେ । ଆଚାର୍ଯ୍ୟ ତାଙ୍କ ହାତ ଛାଡ଼ି ଦେଇ କହିଲେ, ‘‘ଏଇଠି ବସ ।’’

 

ଆଚାର୍ଯ୍ୟ ନୀରବି ରହି ଅପେକ୍ଷା କଲେ ।

 

ଚାରିଆଡ଼େ ଘନିଭୂତ ଅନ୍ଧକାର । ତା’ପରେ କିଛି ପାଦ ଶବ୍ଦ । ପ୍ରକୋଷ୍ଠର ଦ୍ୱାରଦେଶରେ କେତେଜଣ ଆସି ରୁଣ୍ଡ ହେବାର ସୂଚନା । ‘‘ଭିତରକୁ ଚାଲିଆସ’’ କହିଲେ ଆଚାର୍ଯ୍ୟ-! ଖୁବ୍‌ ନିଃଶବ୍ଦରେ, ବଣଜନ୍ତୁମାନଙ୍କ ଭଳି ପଶିଆସିଲେ ଅସଂଖ୍ୟ ଛାଇ । କେହି କାହା ସାଙ୍ଗରେ ବାଡ଼େଇ ହେଉ ନଥାନ୍ତି । ଧୁସି ହେଉନଥାନ୍ତି । ଅଣ୍ଡାଳି ହେଉନଥାନ୍ତି । ଗୋଟିଏ ଉପାଦାନର ଅସଂଖ୍ୟ ଲହରୀ ପରି, ସେମାନେ ସମସ୍ତେ ନିର୍ବରୋଧ ଆସି ବୋଧହୁଏ ବସିଗଲେ । ଅନ୍ଧାର ସ୍ତମ୍ଭିତ ହେଲା । କୌଣସି ଅରଣ୍ୟର ବିବିଧ ମର୍ମର ପରି ଗୁଡ଼ିଏ ନିଃଶ୍ୱାସ କେବଳ ଶୁଭୁଥାଏ-

 

ଆଚାର୍ଯ୍ୟଙ୍କ ସ୍ୱର ଶୁଭିଲା, ‘‘ଏ ନବାଗତ ହେଉଛନ୍ତି ନୂତନ ବିଦ୍ୟାର୍ଥୀ । ତାଙ୍କର ସବୁ ପ୍ରକାର ଯୋଗ୍ୟତା ଥିବାର ଆମେ ଅନୁଭବ କରି ତାଙ୍କୁ ଗ୍ରହଣ କରିଛୁଁ । ସେ ଏଭଳି ବିମୂଢ଼ ବିହ୍ୱଳ ହୋଇ ବସି ରହିବାର କାରଣ ହେଲା ଯେ, ସେ ଏ ପର୍ଯ୍ୟନ୍ତ କିଛି ଦେଖି ପାରୁ ନାହାନ୍ତି । ତାଙ୍କର ତିମିର ଦୃଷ୍ଟି ନାହିଁ ।’’ ଅନ୍ଧାରରେ ବିଦ୍ୟାର୍ଥୀଙ୍କ ଆଖି ତରାଟି ହୋଇଗଲା । ବାରୁଦ ଫୁଟିଲାପରି ହଠାତ୍ ଗୋଟାଏ ଦୁଲୁଦୁଲୁ ଶବ୍ଦରେ ହାସ୍ୟରୋଳ ଉଠିଲା । ସେ ଚମକିପଡ଼ି ପୁଣି ବସିଗଲେ । ତାଙ୍କ ପିଠି ଉପରେ ଆଚାର୍ଯ୍ୟଙ୍କର କର ସ୍ପର୍ଶ ସେ ଅନୁଭବ କଲେ । ପୁଣି ସବୁ କ୍ଷଣକ ଭିତରେ ସ୍ତବ୍‌ଧ ହୋଇଗଲା ।

 

‘‘ଚିହ୍ନି ରଖ । ଚକ୍ରବର୍ତ୍ତୀର ସମସ୍ତ ଚିହ୍ନ ନେଇ ଯେଉଁ ଅଧିନାୟକ ଆସିବେ ବୋଲି ଆମେ ଅପେକ୍ଷା କରିଥିଲେ, ସେ ଏଇ ଆସିଗଲେ ।’’

 

ଆନନ୍ଦରେ ପବନ ଶୋଷିବାର, ଟାକରା ମାରିବାର, କୁରୁଳିବାର ଶବ୍ଦ ଶୁଣାଗଲା । ଶୁଣାଗଲା, ଖୁସ୍‌ମୁସ୍‌ ହୋଇ ଗୋଟିଏ ସାମ୍ରାଜ୍ୟ, ତାର ଆନୁଗତ୍ୟ ପ୍ରକାଶ କରିବାର ଶବ୍ଦ ! କାନ୍ଧ ଉପରେ ସବୁ ରୁମ ପୁଣି ଟାଙ୍କୁରି ଉଠିଲା । ବାହୁ ଏବଂ ବୁକୁ ଉପରେ ମାଂସପେଶୀ ସ୍ଫୀତ ହୋଇ ଉଠିଲେ ।

 

ପରମ ସଂଭ୍ରମରେ ସତେ ବା ଅନ୍ଧାରର ସମୁଦ୍ରଟିଏ ତାର ସବୁ ଲହରୀକୁ ଢୋକି ଦେଇ ଆଦେଶର ଅପେକ୍ଷା କଲା ।

 

ଆଚାର୍ଯ୍ୟଙ୍କ ସ୍ୱର ଖୁବ୍‌ ସ୍ପଷ୍ଟ । ଅବାଧ ଗଡ଼ିଯାଉଥିବା ଚିକ୍‌କଣ ମୁକ୍ତାଫଳ ପରି ପ୍ରତିଟି ଶବ୍ଦ ।

 

‘‘ଏହାଙ୍କ ଅବଗତି ପାଇଁ ଏକ ବିକ୍ରମରେ ଅନୁଶାସନ ଆବୃତ୍ତି କର ।’’

 

‘‘ମୁଁ କେବଳ ମୋ ପାଇଁ ବଞ୍ଚିପାରେ ।’’

 

‘‘ମୁଁ ମୋର ଶରୀରଠାରୁ ଅଭିନ୍ନ’’

 

‘‘ମୋର ସୁଖ; ଶରୀରର ତୃପ୍ତି ଏବଂ ସମ୍ଭୋଗ ।’’

 

‘‘କାମନାର ସନ୍ତୋଷ ହିଁ ଏକମାତ୍ର ସିଦ୍ଧି ।’’

 

ୟା ପରେ ଅତଡ଼ା ଦାଢ଼ରେ ଟିପେଇ ଠିଆ ହେଲା ପରି ରେଖାଏ ନୀରବତା । ପ୍ରଶ୍ନୋତ୍ତର ଛଳରେ ଆଚାର୍ଯ୍ୟ ନୂତନ ବିଦ୍ୟାର୍ଥୀକୁ ବୁଝାଇ ଚାଲିଲେ ।

 

ସଂସାର କ’ଣ ?

 

ଉତ୍ତର ଆସିଲା, ‘‘ସମ୍ଭୋଗର ଲୀଳାଭୂମି ।’’

 

‘‘ସୁଖର ସାଧନା କ’ଣ ?’’

 

‘‘ବଳପ୍ରୟୋଗ ।’’

 

‘‘ଅନ୍ୟର ସୁଖ କ’ଣ ?’’

 

‘‘ଅବାନ୍ତର !’’

 

ପୁନରାବୃତ୍ତି ଛଳରେ କହିଗଲେ, ‘‘ମନେରଖ, ଏ ବସୁନ୍ଧରା ବୀରଭୋଗ୍ୟା । ବୀରତ୍ୱ, ଅପରକୁ ପରାସ୍ତ କରିବାର ଯୋଗ୍ୟତା । ଅପର ସବୁବେଳେ ସ୍ୱାର୍ଥର ପରିପନ୍ଥୀ । ଧନ ଲୁଣ୍ଠନ ଯୋଗ୍ୟ । ଦୁର୍ବଳ ଧର୍ଷଣ ଯୋଗ୍ୟ । ନାରୀ ଉପଭୋଗ୍ୟା । ସମର୍ଥ ପୁରୁଷ ପାଇଁ ଅପରାଧ ନାହିଁ । ବଳପ୍ରୟୋଗ ପରି ବୁଦ୍ଧି ପ୍ରୟୋଗ କେବଳ ସିଦ୍ଧି ପାଇଁ । ସତ୍ୟ କିଛି ନାହିଁ । ଏକମାତ୍ର ଇନ୍ଦ୍ରୟାନୁଗତ ସ୍ୱାର୍ଥ ହିଁ ସତ୍ୟ । ମିଥ୍ୟା କିଛି ନାହିଁ, ଅତୀନ୍ଦ୍ରିୟ ପ୍ରଗ୍‍ଳଭତା ହିଁ ଏକମାତ୍ର ମିଥ୍ୟା’’

 

ନିସ୍ତବ୍‌ଧ ଅନ୍ଧାର ପୁଣି ବିଚଳିତ ହେଲା–ଆଚାର୍ଯ୍ୟ ଶିଷ୍ୟ ପିଠିରେ ହାତ ରଖି କହିଲେ, ‘‘ଦୂରକୁ ଦେଖିଲେ ଚାଲି ହୁଏ ନାହିଁ । ଦୂରଦୃଷ୍ଟି ବର୍ଜନ କର । ଅତୀତକୁ ବିସ୍ମୃତି ହୁଅ । ଭବିଷ୍ୟତକୁ ଅସ୍ୱୀକାର କର । ଶକ୍ତି କେନ୍ଦ୍ରୀଭୂତ ହେବ । ଦୂରସ୍ଥକୁ ଅନୁମାନ କରାଯାଏ । ତାହା ପ୍ରତ୍ୟକ୍ଷ ଏବଂ ପ୍ରାଞ୍ଜଳ ନୁହେଁ, ଏଣୁ ଏକ ପ୍ରବଞ୍ଚନା । ଯେତିକି ଦିଶୁଚି ସେତିକି ମାତ୍ର ଗ୍ରହଣୀୟ । ଶରୀର ସବୁଠାରୁ ନିକଟତମ ଏବଂ ସ୍ପଷ୍ଟତମ ବିଷୟ । ସେ ହିଁ ବିଷୟୀ । କ୍ଷୁଧା ଜୀବନର ଅମୂଲ୍ୟ ଆକର୍ଷଣ । କ୍ଷୁଧା ଜାଗ୍ରତ ରହୁ । ଭୋଗ ସାର୍ଥକ ରହୁ । ତାହା ହିଁ ସନ୍ତୋଷ । ଅପରକୁ ବିନାଶ କରିବାର ଆନନ୍ଦ ଅବାରିତ ରହୁ; କାରଣ ତାହାହିଁ ଏକାମତ୍ର ଆନନ୍ଦ ।

 

ବିଦ୍ୟାର୍ଥୀ ଶରୀର ଘନ ଘନ କମ୍ପିତ ହେଲା । ଅନ୍ଧାର ଭିତରେ ଅସ୍ପଷ୍ଟ କିଛି କିଛି ଦେଖାଗଲା । ପ୍ରବଳ ଇଚ୍ଛା ହେଲା ଦୀପଟିଏ ନେଇ ଏ ସମସ୍ତଙ୍କୁ ଦେଖିବାକୁ । ଆଚାର୍ଯ୍ୟ ସର୍ବଜ୍ଞତା-। ସେ ସମସ୍ତଙ୍କୁ ସତର୍କ କଲାପରି ତାକୁ ଶୁଣାଇଲେ, ‘‘ନା, ଏଠି ଆଲୋକ ପ୍ରବେଶ କରିପାରିବ ନାହିଁ ! ଆଲୋକ ଏକ ପ୍ରବଞ୍ଚନା । ଗୋଟିଏ ଅତି ସାମାନ୍ୟ ତାରା ନିକଟକୁ ଚାଲି ଆସି ସବିତା ନାମରେ ବଡ଼ିମା ପ୍ରକାଶ କରେ ! ଆମେ ତା’ଠାରୁ ଶତସହସ୍ର ଗୁଣରେ ମହୀୟାନ୍‌ ନକ୍ଷତ୍ରମାନଙ୍କର ସହଚର । ସ୍ୱୟଂ ମହାମାନ୍ୟ ଆକାଶ ଅନ୍ଧକାରାମୟ ।’’

 

ୟା ପରେ ସାମାନ୍ୟ ଆମୋଦର ସ୍ୱର । ‘‘ଶରୀର ପାଇଁ ସର୍ବୋତ୍କୃଷ୍ଟ ଖାଦ୍ୟ ଆଉ ଏକ ଶରୀର ମାଂସ ! ଜୀବନ୍ତ ଓ ସକ୍ଷମ ଶରୀର, ଦୁର୍ବଳ ଶରୀରକୁ ହତ୍ୟା କରେ, ଭକ୍ଷଣ କରେ ! ସର୍ବୋତ୍କୃଷ୍ଟ ପାନୀୟ ମଦିରା ! ପୃଥିବୀ ଗନ୍ଧବତୀ । ତାର ପୁଷ୍ପ–ମଧୁ, ରସବନ୍ତ ଫଳ ନିର୍ଯ୍ୟାସ ହିଁ ରକ୍ତ ସ୍ରୋତର ଉଦ୍ଦୀପକ !’’

 

‘‘ତା’ହେଲେ ୟାଙ୍କୁ ସ୍ୱାଗତ କରିବାର ଉପଯୁକ୍ତ ବ୍ୟବସ୍ଥା କର । ପାନଭୋଜନ ଉତ୍ସବ ହେଉ !’’

 

ତୁମୁଳ ଶବ୍ଦ କରି ସମସ୍ତେ ଡେଇଁପଡ଼ିଲେ । ଚାରିଆଡ଼େ ବିସ୍ତୀର୍ଣ୍ଣ ହୋଇଗଲା ମେଘ ଲହିଡ଼ି ପରି ଅଟ୍ଟହାସ୍ୟ ! ତା’ ପରେ ଶୁଭିଲା ବିଭିନ୍ନ ଚିତ୍କାର । ପଶୁ-ପକ୍ଷୀ, ମଣିଷମାନଙ୍କର ଆର୍ତ୍ତନାଦ । ବିରାଟ ବିରାଟ ପଥର ଧସିପଡ଼ିବାର ଶବ୍ଦ । ପର୍ବତ ପରି ମହୀରୁହଗୁଡ଼ିକ ମଟମଟ ଭାଙ୍ଗି କୁଢ଼େଇ ହୋଇ ପଡ଼ିବାର ଶବ୍ଦ ।

 

ରଣଝଣ ହୋଇ ଝମକି ଉଠିଲା ଗୋଟାଏ ଲହ ଲହ ଧାତବ ଝଣତ୍‌କାର । ବୋଧହୁଏ ଅସ୍ତ୍ରଶସ୍ତ୍ର ଚାଲିଛି, ସଂଗ୍ରାମ ଚାଲିଛି, ରନ୍ଧନ ଚାଲିଛି, ଲୁଣ୍ଠନ ଚାଲିଛି, ହତ୍ୟା ଚାଲିଛି, ଧର୍ଷଣ ସମ୍ଭୋଗ ଚାଲିଛି !

 

ଶୂକରର ଶଟା ପରି ବିଦ୍ୟାର୍ଥୀର ରୋମଗୁଡ଼ିକ ଆଉ ଶରୀର ସ୍ପର୍ଶ କଲେ ନାହିଁ । ସ୍ଫୀତ ମାଂସପେଶୀ ସେହିପରି ସ୍ପୀତ ହୋଇ ରହିଗଲେ । ମେରୁଦଣ୍ଡ ବାରମ୍ବାର କମ୍ବିତ ହେଲା । ମସ୍ତିଷ୍କ, ଉଦର ଏବଂ ଶିଷ୍ନ ଗୋଟାଏ ଛନ୍ଦରେ ସ୍ଫନ୍ଦିତ ହେଲେ । ତେଜିଉଠିଲା କ୍ଷୁଧାର ଅଗ୍ନି, କାମନା ସନ୍ଦୀପ୍ତ ହେଲା । ଆଚାର୍ଯ୍ୟ ପ୍ରସନ୍ନମୁଦ୍ରାରେ ତା’ର ମସ୍ତକ ସ୍ପର୍ଶ କଲେ: ‘ତୋର ବର୍ତ୍ତମାନ ଘଟାନ୍ତର ଆରମ୍ଭ ହେଲା । ଅପମିଶ୍ରିତ ଜୀବ ବର୍ତ୍ତମାନ ବିଶୁଦ୍ଧ ଉପାଦାନ ଶକ୍ତିରେ ପରିଣତ ହେବ । ତୋତେ ମୁଁ ତିମିର–ଦୃଷ୍ଟି ପ୍ରଦାନ କରୁଛି । ତୋର ପ୍ରବଳ ଅଭିବୃଦ୍ଧି ହେଉ । ତୁ ଏ ପ୍ରଚଣ୍ଡ ବାହିନୀକୁ ନିୟନ୍ତ୍ରିତ କରିବୁ । ତୋର ସମ୍ଭାବନା ଅନନ୍ତ । ତୁ ହିଁ ଚକ୍ରବର୍ତ୍ତୀ । ତୋର ଦ୍ୱନ୍ଦ ଦୂର ହେଉ । ଅପମିଶ୍ରିତ ଭୂମିରୁ ତୁ ଲମ୍ଫ ପ୍ରଦାନ କରି ଏମାନଙ୍କର ଅଧିନାୟକତ୍ୱ ଗ୍ରହଣ କର !’’

 

ଚକ୍ରବର୍ତ୍ତୀର ରୋମ ରୋମେ କ୍ଷୁଧା । ସେ ସେଠାରୁ ଉଠି ଚିତ୍କାର ଭୂମିରେ ପ୍ରବେଶ କଲା ।

 

ଆଚାର୍ଯ୍ୟ ଏକାକୀ ସେ ପ୍ରକୋଷ୍ଠରେ କିଛି ସମୟ ବସି ରହିଲେ । ତା’ପର ଗୋଟାଏ କ୍ଷୁଧାର୍ତ୍ତ ସିଂହ ଗର୍ଜନ କଲାପରି ଗୁରୁଗମ୍ଭୀର ନାଦ ହେଲା । ଆଚାର୍ଯ୍ୟଙ୍କ ସଙ୍କେତ ପାଇ କେହି ଜଣେ ପାନାହାର ଥୋଇଦେଇ ତତ୍‌କ୍ଷଣାତ ଅନ୍ତର ହୋଇଗଲା । ସେଇଠୁ ଚର୍ବିଳ ମୃଦୁଳ ମାଂସ ଶୋଷିବାର, ଚୋବାଇବାର, ହାଡ଼କୁ ରଟମଟ ରେକେଟିବାର ଶବ୍ଦ, ଢକଢକ ପାନୀୟ ପିଇବାର ଶବ୍ଦ, ସନ୍ତୋଷର ଏଉଡ଼ିଗୁଡ଼ିଏ ଶୁଣାଗଲା । ଶୁଣାଗଲା ସମ୍ଭୋଗର ସୀତ୍କାର ଏବଂ ହୁଙ୍କାର । ଶୁଣାଗଲା ନିଦ୍ରାଜଡ଼ିତ କିଛି ଗୁଞ୍ଜନ ଏବଂ ଘୁଙ୍ଗଡ଼ି !

 

ସେହିପରି ଆଉ ଏକ ଅପମିଶ୍ରିତ ବେଳା । ଅନ୍ଧାର ଏବଂ ଆଲୋକର ଫେଣ୍ଟାଫେଣ୍ଟି ସମୟରେ ଆଚାର୍ଯ୍ୟ ଏକାକୀ ଅସ୍ଥିର ପଦଚାରଣ କରୁଥାନ୍ତି । ଧଳା ଛାଇଟିଏ ପରି କେହି ଜଣେ ତାଙ୍କ ପାଖକୁ ଆସିବାର ସେ ଲକ୍ଷ୍ୟ କଲେ । ପଦ୍ମର ଗନ୍ଧ ନେଇ ପଦ୍ମକଢ଼ ପରି ସେ ଆସି ସମୀତ୍‌ପାଣି ତାଙ୍କର ପଦବନ୍ଦନା କଲା । ସେ ସ୍ନେହରେ ତାକୁ ପିଠି ସ୍ପର୍ଶ କରି କହିଲେ, ‘‘ଆସ, ମୁଁ ତୁମକୁ ହିଁ ଅପେକ୍ଷା କରିଥିଲି ।’’

ଚାରିଆଡ଼େ ନୂଆ ପାଖୁଡ଼ା ମେଲିଥିବା ଅସଂଖ୍ୟ ଫୁଲର ସୁଗନ୍ଧ; ଅସଂଖ୍ୟ ପକ୍ଷୀର କଳରବ । ପାଖରେ ପ୍ରଶାନ୍ତ ସରୋବର । ଉଷାଲୋକ ତେଜି ଆସୁଥାଏ । ସେମାନେ ଯାଇ ଗୋଟିଏ ବଟଗଛ ମୂଳେ ପହଞ୍ଚିଲେ । ସେଇଠି ନୂଆ ଘାସର ଶୀତଳ କୋମଳ ସ୍ପର୍ଶ । ଆଚାର୍ଯ୍ୟ କହିଲେ, ‘‘ଏଇଠି ବସ !’’ ସେ ନିଜେ ଯାଇ ବଟଗଛ ମୂଳେ ତା’ ଆଡ଼କୁ ମୁହଁକରି ବସିଗଲେ । ଗୁରୁଙ୍କ ନୀରବ ନିର୍ଦ୍ଦେଶରେ ବିଦ୍ୟାର୍ଥୀ ପଦ୍ମାସନରେ ଆଖିବୁଜି ଅପେକ୍ଷା କଲେ ।

ଅତି ସନ୍ତର୍ପଣରେ କେତୋଟି ପାଦଶବ୍ଦ ପାଖେଇ ଆସିବାର ଶବ୍ଦ ଶୁଭିଲା । ଧଳା ଧଳା ପରିଧେୟ ଏବଂ ଉତ୍ତରୀ ପିନ୍ଧି ଚାରୋଟି ତରୁଣ ଆସି ଆଚାର୍ଯ୍ୟଙ୍କୁ ଅଭିବାଦନ କଲେ ଏବଂ ସେହିପରି ନୀରବ ନିର୍ଦ୍ଦେଶ ପାଇ ସେହିଠାରେ ପଦ୍ମାସନରେ ଉପବେଶନ କଲେ ।

ଆଲୋକ ପ୍ରାଞ୍ଜଳ ହେଲା । ଆକାଶ ଚଞ୍ଚଳ ହେଲା । ଶଖାସବୁ କଳରବରେ ମୁଖରିତ ହେଲେ । ଭଅଁର ଗୁଡ଼ିଏ ଗୁଞ୍ଜରିଗଲେ ଫୁଲରୁ ଫୁଲକୁ ।

ଆଚାର୍ଯ୍ୟ ପୁରାତନ ବିଦ୍ୟାର୍ଥୀମାନଙ୍କୁ ଚାହିଁଲେ କେବଳ ! ସେମାନେ ଉଦାତ୍ତ କଣ୍ଠରେ କ’ଣ ସବୁ ଗହଗହ ନାଦକରି ଗାନ କଲେ । ନବାଗତରେ ସମଗ୍ର ଶରୀର କଣ୍ଟକିତ ହେଲା । ତା’ପରେ ସେମାନେ ଅତି ମୃଦୁ ଅଥଚ ଅବକମ୍ପିତ ସ୍ୱରରେ କହିଲେ–

‘ଆମେ ଜଗତ କଲ୍ୟାଣ ପାଇଁ ଜନ୍ମିଛିୁ ।’

‘ଆମେ ଏ ଶରୀର ନୋହୁଁ, ବସ୍ତୁସଂଘ ନୋହୁଁ ।’

‘ଶରୀରକୁ ଅତିକ୍ରମ କରିବା ଆମର ସାଧନା ।’

‘କାମନାର ସଂପୂର୍ଣ୍ଣ ବିନାଶ ହିଁ ଆମର ସିଦ୍ଧି ।’

‘ସତ୍ୟ, ଧର୍ମ, ନ୍ୟାୟର ପ୍ରତିଷ୍ଠା କରିବାକୁ ଆମେ ପଣ କରିଛୁ । ଆମେ ଧର୍ମଯୋଦ୍ଧା । ବାହୁରେ ବଳ, ହୃଦୟରେ ସାହସ, ବୁଦ୍ଧିର ପ୍ରଖରତା ଆମର ସାଧନା । ଦୁର୍ବଳର ତ୍ରାଣ କରିବା ବୀରତ୍ୱ । ଆମେ ଅନ୍ୟ ପାଇଁ ସଂଗ୍ରାମ କରିବୁ । ସ୍ୱାର୍ଥ ଏକ ଲୋମଶ ଜନ୍ତୁ ପରି ବର୍ଜ୍ଜନୀୟ ।’

ଆଚାର୍ଯ୍ୟ ପ୍ରସନ୍ନମୁଦ୍ରାରେ ଚାହିଁଥାନ୍ତି ।

‘‘ସାଧନାରେ ଭୋଗ ନାହିଁ । ତ୍ୟାଗ ହିଁ ସାଧନା । ତପସ୍ୟା ଏକ ଅଗ୍ନି । ସେଥିରେ ଜଳିବା ଏବଂ ବାରମ୍ବାର ବିଶୁଦ୍ଧ ହେଉଥିବା ହିଁ ଏ ମାର୍ଗର ପ୍ରତିଶ୍ରୁତି ! ଧନ କାହାରି ନୁହେଁ । ତାକୁ ତ୍ୟାଗ କରି ଭୋଗ କରାଯାଏ । କାମନା ଅତଳ ଘଟ ପରି କଦାପି ପୂର୍ଣ୍ଣ ହୁଏ ନାହଁ । ତାର ତୃପ୍ତି ମୃଗତୃଷ୍ଣା ପଛରେ ଗୋଡ଼ାଇଲା ପରି ଏକ ବ୍ୟର୍ଥତା ! ନାରୀ ଜନନୀ, ଏଣୁ ବନ୍ଦନୀୟା ତଥା ସେବନୀୟା ।’’

ଆଚାର୍ଯ୍ୟ ଜ୍ଞାନମୁଦ୍ରାରେ ନିର୍ଦ୍ଦେଶ ଦେବାରୁ ସବୁ ନୀରବ ହୋଇଗଲା । ଦିଗଚକ୍ରରେଖା ଭେଦକରି ସୂର୍ଯ୍ୟ ଦେଖାଦେଲେ । ଆକାଶସାରା ଆଲୋକର ପଦ୍ମପଲାଶ ବିକୀର୍ଣ୍ଣ ହୋଇଗଲେ ।

ଆଚାର୍ଯ୍ୟଙ୍କ ସହିତ ପାଞ୍ଚଜଣ ପୂର୍ବଦିଗକୁ ମୁହଁକରି ଠିଆହେଲା । କରପତ୍ର ଯୋଡ଼ି ସ୍ତୋତ୍ର ପାଠ କଲେ–

‘‘ହେ, ସବିତା ! ଆମକୁ ଆଲୋକ ଦିଅ ! ଦୃଷ୍ଟି ଦିଅ ! ଉତ୍ତାପ ଦିଅ ! ପରମାୟୁ ଦିଅ ! ଆମକୁ ଐଶ୍ୱର୍ଯ୍ୟ ଦାନ କର । ବିଶୁଦ୍ଧ କର ! ଆମକୁ ତୁମର ପ୍ରତିନିଧି କର । ତୀକ୍ଷ୍‍ଣ ଧାର ଦିବ୍ୟାସ୍ତ୍ର ପରି ନିକ୍ଷେପ କର ! ଅନ୍ଧକାର ବିଦୀର୍ଣ୍ଣ ହେଉ ।’’

 

ଆଚାର୍ଯ୍ୟ କହିଲେ–‘‘ନବାଗତ ବିଦ୍ୟାର୍ଥୀ ତୁମର ଅଧିନାୟକ ହେବେ । ତାଙ୍କ ପାଇଁ ଯଥାବିଧି ସ୍ୱାଗତ ବ୍ୟବସ୍ଥା କର ! ପୃଥିବୀ ଶାକମ୍ବରୀ । ଆହାର କେବଳ ପଶୁ-ପୋଷଣର ଅବଲମ୍ବନ ! ଦ୍ୱେଷ କରନାହିଁ । ଲୋଭ କରନାହିଁ । ହତ୍ୟା କରନାହଁ । କ୍ଷୁଧା କେବଳ ଜଠରାଗ୍ନି ନୁହେଁ କିମ୍ବା ଉପସ୍ଥ ଅଗ୍ନି ନୁହେଁ । ତାହା ରୋମେ ରୋମେ ଜଳୁଥିବା କାମନାର ଶିଖା । ତାହା ତୃପ୍ତ ହୁଏ ନାହିଁ । ତାକୁ ଜୟ କର ! ମୃତ୍ୟୁକୁ ଜୟ କର । ସମର୍ଥ ପୁରୁଷପାଇଁ ଅସମ୍ଭବ କିଛି ନାହିଁ । ଭୟ ନାହିଁ, କ୍ଲାନ୍ତି ନାହିଁ, ଅବସାଦ ନାହିଁ !’’

 

ଫଳାହାର ଅତି ନିରାଡ଼ମ୍ବର ଯଜ୍ଞପରି । ସନ୍ତୋଷ ନିରୁଦ୍‌ବିଗ୍ନ ମନର ସ୍ୱାଭାବିକ ଲକ୍ଷଣ-। ସେମାନେ ସନ୍ତୁଷ୍ଟ ହୋଇ ଆଚାର୍ଯ୍ୟଙ୍କୁ ନେଇ ପର୍ବତ ଆରୋହଣ କଲେ । ନଦୀ ଉଲ୍ଲଙ୍ଘନ କଲେ-। ମଲ୍ଲବିଦ୍ୟା, ଧନୁର୍ବିଦ୍ୟା ଅଭ୍ୟାସ କଲେ । ଶ୍ରୁତି, ସ୍ମୃତି ଶାସ୍ତ୍ର, ପୁରାଣ ପାଠ କଲେ । ସୁନାବର୍ଣ୍ଣର ସିଂହଶିଶୁ ପରି ପାଞ୍ଚଜଣକ ଉଜ୍ଜ୍ୱଳ ଦେଖାଗଲେ ।

 

ନବାଗତ ମନେ ମନେ ଚିନ୍ତାକଲେ, ‘‘ପ୍ରେମରେ ଦ୍ୱେଷ ନାହିଁ; ଶାନ୍ତିରେ ସଂଗ୍ରାମ ନାହିଁ । ଧର୍ମ ସମସ୍ତଙ୍କୁ ଧାରଣ କରେ । ଅନ୍ଧକାର, ଶୀତଳ ଛାୟା ରୂପରେ ଏଠି ବିଦ୍ୟମାନ । ତାକୁ ଘୃଣା କରିବ ବିଧିସଙ୍ଗତ ନୁହେଁ ।’’

 

ଆଚାର୍ଯ୍ୟ ଜାଣିପାରି କହିଲେ, ‘‘ନାଁ । ଏଭଳି ଛଳନାରେ ଭୁଲି ଯାଅନାହିଁ । ଅନ୍ଧାର ଏକ ଅଗାଧ ସମୁଦ୍ର । ସେ ପ୍ରଲୁବ୍‌ଧ କରେ । ତୁମର ପଶୁ ଶରୀରକୁ ଲାଳାୟିତ କରେ । ତାର ପ୍ରତିରୋଧ କର । ଏ ରାଜ୍ୟରେ ଅନ୍ଧକାର ପ୍ରବେଶ କରିପାରିବ ନାହିଁ । ତୁମର ଭିତରେ ଏବଂ ବାହାରେ ଆଲୋକ ଏବଂ ଅମୃତ ଲହଡ଼ି ମାରୁଛି । ତାକୁ ସ୍ୱୀକାର କର ! ତନ୍ମୟ ହୁଅ ! ଦେଶ–କାଳର ପରମ ବ୍ୟାପ୍ତି ଅନୁଭବ କର । ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି ! ପ୍ରସାରିତ କବି-ଦୃଷ୍ଟିରେ ତୁମକୁ ତ୍ରିକାଳ ସହିତ ଚତୁର୍ଦ୍ଦଶ ଭୁବନ ଦୃଶ୍ୟ ହେଉ !’’ ଆଚାର୍ଯ୍ୟ ତାଙ୍କ ମସ୍ତକ ସ୍ପର୍ଶ କରି ଆଶୀର୍ବାଦ କଲେ ।

 

ରାତ୍ରିର ଅଧିନାୟକ ବିବିଧ ଅସ୍ତ୍ରର ଝଣତ୍‍କାର ଭିତରେ କୁହାଟିବାର ଶୁଣାଗଲା, ‘‘ଆମର ଏକମାତ୍ର ପ୍ରତିବନ୍ଧକ ଭୟ; ଏକମାତ୍ର ବ୍ୟର୍ଥତା ମୃତ୍ୟୁ ! ଭୟ କେବଳ ଶତ୍ରୁ ଜନିତ । ଆମେ ଶତ୍ରୁସଂହାର କରିବା । ଆଚାର୍ଯ୍ୟ କହିଛନ୍ତି, ଆମର ବିପରୀତ ଉପାଦାନ ହିଁ ଆମର ଶତ୍ରୁ । ସେ ଆମକୁ ବିନାଶକରିବା ପୂର୍ବରୁ ଆମେ ତାକୁ ଗ୍ରାସ କରିଯିବା !’’

 

ହୁଙ୍କାରରେ ପୃଥିବୀ ଏବଂ ଆକାଶ ପ୍ରତିଧ୍ୱନିତ ହେଲା: ‘‘ଆମେ ନିଦ୍ରିତ ଶତ୍ରୁମାନଙ୍କୁ ଛଳ କରି ପରାସ୍ତ କରିବା । ଆହାରରେ ବିଷ ପ୍ରୟୋଗ କରିବା । ଘରେ ନିଆଁ ଲଗେଇ ଦଗ୍‌ଧୀଭୂତ କରିଦେବା । ସେମାନଙ୍କର ସମସ୍ତ ଐଶ୍ୱର୍ଯ୍ୟ ଲୁଣ୍ଠନ କରିନେବା । ସାମ୍ରାଜ୍ୟ ବଳାତ୍କାର ଅଧିକାର କରିବା । ସେମାନଙ୍କର ନାରୀମାନଙ୍କୁ ଭୋଗଶାଳାରେ ଉଲଗ୍ନ କରିବା !’’

 

ପୁଣି ଅସ୍ତ୍ରର ଅରଣ୍ୟ ମର୍ମରିତ ହେଲା ।

 

‘‘ଆଜି ଆମେ ଯୁଦ୍ଧ–ଘୋଷଣା କରିବୁଁ ! ସେମାନେ ବଞ୍ଚିଥିବାଯାଏଁ ଆମର ସୁଖସମ୍ଭୋଗ ନିରୁପଦ୍ରବ ନୁହେଁ ।’’

 

ଆଚାର୍ଯ୍ୟ ନୀରବ ସୁରାପାନ କରି ଶୁଣୁଥାନ୍ତି । କୌଣସିଠାରେ କିଛି ହେଲେ ଆଉ ଅପମିଶ୍ରିଣ ନାହିଁ । ଅନ୍ଧାର ଏକାଥରେ ବିଶୁଦ୍ଧ ଅନ୍ଧାର ! ସେ ଆଶ୍ୱାସ୍ତି ବୋଧକଲେ !

 

‘‘ସତ୍ୟର ସାଧନ କଲେ ଏହିପରି ତାପିତ ହେବାକୁ ହୁଏ । ବନବାସ କଷ୍ଟ ଧର୍ମପୁରୁଷମାନଙ୍କର ବିଧିଲେଖା । ଆଚାର୍ଯ୍ୟ କହୁଥିଲେ ଯେ ଧର୍ମଯୁଦ୍ଧର ବେଳ ଆସିଗଲା । ବିଦ୍ୟାର ପ୍ରୟୋଗ ହେବ । ଧନୁଧାରଣ କରିବାକୁ ହେବ । ନାରୀ ନିର୍ଯ୍ୟାତନାର ପ୍ରତିଶୋଧ ନେବାକୁ ହବେ, ଶିଶୁହତ୍ୟାର, ହିଂସା, ଅସୂୟା, ଛଳନାର ଦଣ୍ଡବିଧାନ ହେବ । ମନରୁ ସବୁ ଦ୍ୱିଧା ଦୂରକରି ଦୃଢ଼ ସଂକଳ୍ପ ହୁଅ ! ଆଜି ଯୁଦ୍ଧଘୋଷଣା ହେଲା !’’

 

ଆଚାର୍ଯ୍ୟ ଦେଦୀପ୍ୟମାନ ଆକାଶକୁ ଚାହିଁ ଧ୍ୟାନସ୍ଥ ହେଲେ ! ଆଶ୍ୱସ୍ତି ବୋଧକଲେ । ଆଲୋକ ବିଶୁଦ୍ଧ । ଏଥିରେ ଅପମିଶ୍ରଣ ନାହିଁ ।

 

‘‘ଅନୁଭବ କର ପୃଥିବୀର କମ୍ପନ । ସେ ଉଲ୍ଲସିତ ହେଉଛି । ଆକାଶ ଉତ୍ସବ ଚକିତ ହେଉଛି ଅଜସ୍ର ଉଲ୍‌କାପାତରେ । ଆମେ ଦୁର୍ମଦ, ଅଜେୟ, ଅକଳୀୟ ଶକ୍ତି । ସଂଘବନ୍ଧ ହୁଅ ! ଏ ଯୁଦ୍ଧରେ ଚିରଦିନର ଦ୍ୱନ୍ଦ ସମାଧାନ ହେଉ । ବିପକ୍ଷ ବିଲୁପ୍ତ ହେଉ । ଗୁପ୍ତ ତୀକ୍ଷଣଧାର ଅସ୍ତ୍ର ଉତ୍ତୋଳନ କରି ପ୍ରସ୍ତୁତ ହୁଅ । ରକ୍ତସ୍ରାବୀ ସଦ୍ୟ ଚର୍ମରେ ପ୍ରସ୍ତୁତ ପଟହ ନାଦ କର । ରଣଶିଂଗା ବୀରକାହାଳି ବଜାଅ !’’

 

‘‘ମହାହବର ସୂଚନା ଦିଶୁଚି । ଦିଗ୍‌ଚକ୍ରରେ ବିଦ୍ୟୁତ ଲିଭିନାହିଁ । ଅରଣ୍ୟ, ନଦୀ, ସାଗର ସ୍ତମ୍ଭିତ ଜଣାପଡ଼ୁଛନ୍ତି । ଆକାଶ ଧୂମ୍ରାଭ୍ୟ । ଶ୍ୟେନ ଶକୁନିମାନେ ଚକ୍ରାକାର ଉଡ଼ି ବୁଲୁଛନ୍ତି । ଶଙ୍ଖନାଦ କର ! ରଥବାଜି ପ୍ରସ୍ତୁତ କର । ଗୁରୁ ସ୍ମରଣ କରି, ଦିବ୍ୟାସ୍ତ୍ରମାନଙ୍କୁ ଆବାହନ କର । ସୁଧନ୍ୱା ଯୋଦ୍ଧାମାନେ ଦୃଢ଼କବଚ ହୋଇ ଆଗୁସାର ହୁଅ ।’’

 

ଅପିମିଶ୍ରିତ ବେଳାରେ ଆଚାର୍ଯ୍ୟ ପୁଣି ଏକାକୀ ଅସ୍ଥିର ବୋଧ କରୁଥାନ୍ତି । ସେ ପ୍ରବହମାନ ନଦୀକୂଳରେ ଉପବେଶନ କରି ଆକାଶକୁ ଚାହିଁ କହିଲେ, ‘‘ଏ ବ୍ୟାମିଶ୍ର ସମୟକୁ କୌଣସି ପୁରୁଣା ଖମ୍ବପରି ବିଦୀର୍ଣ୍ଣ କରି ତୁମେ ଆବିର୍ଭୂତ ହୁଅ ! ମୋତେ ବିଦୀର୍ଣ୍ଣକରି ଆବିର୍ଭୂତ ହୁଅ !! ତୁମେ ହିଁ ତ ଚିରକାଳ ସଦସତ୍‌ ପୁରୁଷ ! ଏ ବିପରୀତକୁ ଏକତ୍ର ଧାରଣ କରିବାର ଶକ୍ତି ଏ ପିଣ୍ଡରେ ନାହିଁ । ଏ ପୃଥିବୀରେ ନାହିଁ । ତୁମେ ଆବିର୍ଭୂତ ହୋଇ ପକ୍ଷ ଗ୍ରହଣ କର । ନିଜକୁ ନିଜେ ସଂହାର କର । ଶୋଧନ କର । ଉପାଦାନ ଦୁଇଟି ବର୍ତ୍ତମାନ ବିଶୁଦ୍ଧ ଏବଂ ବିପରୀତ ! ପରସ୍ପରବିରୋଧୀ ଯୋଦ୍ଧାମାନେ ଉଦ୍ୟତଅସ୍ତ୍ର ! ଅବତୀର୍ଣ୍ଣ ହୁଅ ! ଏଇ ତୁମର ପ୍ରକଟ ହେବାର ମୁହୂର୍ତ୍ତ ! ଏଇ ମୋର ବିଲୟ ହେବାର ମୁହୂର୍ତ୍ତ ! ଏଇ ମୋର ସିଦ୍ଧି ।’’

 

ଆଚାର୍ଯ୍ୟ ଶରୀରରକ୍ଷା କଲେ ବୋଲି ବାର୍ତ୍ତା ପ୍ରସରିଗଲା । ସେତେବେଳେ ରାତି ନାହିଁ କି ଦିନ ନୁହେଁ, ଆକାଶରେ ସୂର୍ଯ୍ୟ ନାହିଁ କି ତାରା ନାହିଁ । ଦୁଇଟି ପ୍ରତିପକ୍ଷ ସେନା ମୁହାଁମୁହିଁ ଠିଆ ହୋଇ ମଧ୍ୟରେଖା ଉପରେ କୌଣସି ଅକସ୍ମାତ୍‌ ସଙ୍କେତ ଅପେକ୍ଷା କରିଥିବାର ସ୍ତବ୍‌ଧ ଶାଣିତ ବେଳା !

Image

 

Unknown

ନୀତି ପ୍ରୟୋଗ

 

କୌଣସି କ୍ରୁଦ୍ଧ କବି ଆମକୁ ଏକଦା ତରଳ ଅଗ୍ନିରେ ନିକ୍ଷେପ କରାହୋଇଥିବା କଥା ପ୍ରଚାର କରିଥିଲେ । ସେ କେବଳ ଆମଦ୍ୱାରା ଅନୁପ୍ରମାଣିତ ହୋଇ ଆମରି ଭଳି ଆଚରଣ କରିଥିଲେ ମାତ୍ର । ଆମେ ସବୁବେଳେ ଏଠାରେ ନିରୂପ୍ରହୃତ ରହି ଆସିଛୁ ଏବଂ ରହିବୁ । ସେ ତରଳ ଅଗ୍ନି ଅଥବା ସେ ତପ୍ତ କଟାହ କସ୍ମିନ୍‌କାଳେ ନ ଥିଲା କିମ୍ବା ନାହିଁ । ନ ଥିଲାକୁ ଥିଲା ବୋଲି, ନ ହେଲାକୁ ହେଲା ବୋଲି ପ୍ରଚାରକରିବା ଆମର ଅତି ବିସ୍ତୃତ ଆଚରଣ–ପଦ୍ଧତିର ଏକ ବିଶେଷ ଅଂଶ । କବି ଆମକୁ ଅନୁସରଣ କରି ଆମର ହିଁ ପୃଷ୍ଟି ସାଧନ କରନ୍ତି । ଏଣୁ ତାକୁ ବିଶେଷ ଗୁରୁତ୍ୱ ନ ଦେଇ ସାବଧାନ ହୋଇଯାଅ, ସମଗ୍ର ମାନବଜାତିକୁ ଗୋଟିଏ ମାତ୍ର ଶାସନରେ ଆଣିବାକୁ ଆମେ ମୂଳରୁ ଯତ୍ନ କରି ଆସିଛି । ସମସ୍ତଙ୍କ ଗୋଟିଏ ଆଚରଣ-ପଦ୍ଧତିରେ ଅବଜ୍ଞା କରିବା ପର୍ଯ୍ୟନ୍ତ ଏ ଯୋଜନା କାର୍ଯ୍ୟକାରୀ ରଖିବାକୁ ପଡ଼ିବ । ଲକ୍ଷ୍ୟ ନିକଟତର ହୋଇଆସିଲେ ନିର୍ଦ୍ଦେଶ ଅତି ଅଭ୍ରାନ୍ତ, ପ୍ରୟୋଗ ଖୁବ୍ ସ୍ଥିର ଓ ଅପ୍ରତିହତ, ଯୋଜନା ବିସ୍ତୃତ, ସୁଚିନ୍ତିତ ଏବଂ ସୁଦୂରପ୍ରସାରୀ କରିବାକୁ ପଡ଼ିବ । ସମୟ ବର୍ତ୍ତମାନ ଅନୁକୂଳ । ଏଣୁ ବନ୍ୟା ବେଗରେ ଚାରିଆଡ଼େ ମାଡ଼ିଯିବାକୁ ହେବ । ସମସ୍ତେ ସାବଧାନ ହୋଇଯାନ୍ତୁ ।

 

ପ୍ରଥମେ ମଣିଷକୁ ତା’ର ଇତିହାସରୁ ମୁକ୍ତ କର । ସେ ତାର ମୃତ ବାପା ମା’ଙ୍କ ପ୍ରେତକୁ ଭୟ କଲାଭଳି ସମଗ୍ର ଅତୀତକୁ ଭୟକରୁ । ସେଥିପାଇଁ ତାକୁ ବୁଦ୍ଧିରେ ନାବାଳକରୁ ଉତ୍ତୀର୍ଣ୍ଣ ହେବାକୁ ଦିଅନାହଁ । ସେ ସେହିପରି ସରଳ ଏବଂ ଅଜ୍ଞ ରହୁ । ତାକୁ କୁହ ଯେ, ଯାହା କିଛି ଅନୁପସ୍ଥିତ ତାହାହିଁ ସବୁ ଏକମାତ୍ର ମିଥ୍ୟା । ଅତୀତ ଯେତିକି ମିଥ୍ୟା, ଭବିଷ୍ୟତ ମଧ୍ୟ ସେତିକି ମିଥ୍ୟା–ଅତୀତ କଙ୍କାଳ ଭଳି ଭୟଙ୍କର । ଭବିଷ୍ୟତ ତଳ ଦିଶୁନଥିବା କୂଅଭଳି ଭୟଙ୍କର–ସେ ପ୍ରଥମେ ପ୍ରଚୁର ଭୟ କରୁ । ସେଥିରେ ତାର ନିଜ ଉପରେ ଗୁଡ଼ାଏ ଅଯଥା ଅହଂକାରୀ ଆସ୍ଥା କଟିଯିବ । ସେ ନଇଁବାକୁ ଏବଂ ଆଉଜିବାକୁ ପ୍ରସ୍ତୁତ ହୋଇଯିବ । ତାହା ହିଁ ଆମର ଲକ୍ଷ୍ୟ ! –ସେ ଭବିଷ୍ୟତରୁ ଓହରିଗଲେ ତା’ର ଗୁଡ଼ାଏ ଅସଂଯତ ସ୍ୱପ୍ନ ଦୂର ହୋଇଯିବ । ନିଶା କଟିଯିବାରୁ ସେ ବାଧ୍ୟ ଗୋରୁପରି ବ୍ୟବହାର କରିବ । ଶୃଙ୍ଖଳା ବା ଶାସନକୁ ସନ୍ଦେହ କରିବନାହିଁ–ଅତୀତରୁ ମୁକ୍ତ ହୋଇ ସେ ନିର୍ମୂଳ ବୃକ୍ଷଟିଏ ପରି ଅତି ବାଧ୍ୟ ଏବଂ ସହଜସାଧ୍ୟ ହୋଇଯିବ ।

 

ତାକୁ ଉପଯୁକ୍ତ ପରିମାଣରେ ଘୃଣାକରି ଶିଖାଅ । ଭୟ ଯେତିକି ଦୁର୍ବଳ କରେ, ଘୃଣା ସେତିକି ଉତ୍ତେଜିତ କରେ । ଘୃଣାକୁ ଶାଣିତ କରି ରଖିୁଥାଅ । ତୁଷାଗ୍ନି ପରି ସେ ସମସ୍ତଙ୍କ ଭିତରେ ସବୁବେଳେ ଜାଗ୍ରତ ଥାଉ । ପ୍ରୟୋଜନ ବେଳେ, ସେଥିରୁ ହିଁ ଆବଶ୍ୟକ ପରିମାଣର ହିଂସା ଏବଂ କ୍ରୋଧ ସଂଗ୍ରହ କରାଯାଇପାରିବ । ଏ କ୍ଷେତ୍ରରେ ଅନେକ ଅଞ୍ଚଳ ଆମ ଆୟତ୍ତକୁ ଆସିସାରିଛି । ତାକୁ ବିସୃତ କରିବାକୁ ହେବ । ନିଜ ପର ଜ୍ଞାନ ନେଇ ସେ ଜନ୍ମ ହୋଇଛି । ତା’ର ସେହି ସହଜାତ ପ୍ରବୃତ୍ତିକୁ ବ୍ୟବାହର କର, ଶରୀର ବର୍ଣ୍ଣ ଭଳି ବିଭିନ୍ନ ଭାଷା, ପୋଷାକ, ଦେଶ, ଧର୍ମ, ବୟସ ଇତ୍ୟାଦି ଆଳରେ ସେମାନଙ୍କୁ ପୃଥକ୍‌ କର । ପୃଥକ୍‌ ହେବାର ଅନୁଭବରୁ ସେମାନେ ନିଜ-ପର ବିଷୟରେ ସଚେତନ ହେବେ । ସେଇଠି ଘୃଣାକୁ ପ୍ରବେଶ କରାଅ ! ନିଜଠାରୁ ବଳି ଆଉ କିଛି ମୂଲ୍ୟ ନାହିଁ । ତଦ୍‌ଭିନ୍ନ ସବୁ ତାର ପରିପୋଷକ କିମ୍ବା ପ୍ରତିବନ୍ଧକ । ନିଜକୁ ଭଲପାଇବାର ଅର୍ଥ ଅନ୍ୟକୁ ଘୃଣାକରିବା । ଘୃଣା କରିବା ସହଜ ଏବଂ ସ୍ୱାଭାବିକ । ସେ ନିଜେ ସବୁଠାରୁ ଗରିଷ୍ଠ ଉପାଦାନ । ଅନ୍ୟ ଅନୁଷ୍ଠାନ ସ୍ୱାଭାବିକ । ସେଇଠି ସେ ଘୃଣା କରୁ ସମସ୍ତଙ୍କୁ । ମୃତ ଗଳିତ ଶବପରି ସେ ଘୃଣାକରି ଶିଖୁ । ସେଥିରେ ସେ ଅଯଥା ସମ୍ପର୍କଜାଲରୁ ବିଚ୍ଛନ୍ନ ହେବ, ମୁକ୍ତ ହେବ । ତା’ର ତର୍କ–ବୁଦ୍ଧିକୁ ବ୍ୟବହାର କର । ସେଥିରେ ସେ କେବଳ ଗଛ ଚଢ଼ୁଥିବ; କିନ୍ତୁ ଫଳ ପାଖରେ ପହଞ୍ଚିବନାହିଁ । ସେଇ ବଳରେ ଅନ୍ୟକୁ ଅବିଶ୍ୱାସ କରିବା ଦ୍ୱାରା ସେମାନେ ପରସ୍ପରକୁ ଅନୁପ୍ରାଣିତ କରୁଥିବେ । ଜାଣିବାର ଇଚ୍ଛାକୁ ସମୂଳେ ଉଚ୍ଛେଦ କର ! ଜାଣିବା ଲୋକଙ୍କର କଦର୍ଥନା ବଢ଼ାଅ ! ତାକୁ ନିରୁତ୍ସାହିତ କର । ଅର୍ଥକାରୀ ଅପେକ୍ଷା ଅନ୍ୟର ଅନର୍ଥକାରୀ ବିଦ୍ୟା ପରିଣାମତଃ ଲାଭଜନକ-। ସେହିପରି ନିଜପାଇଁ ଯଶସ୍କରୀ ଅପେକ୍ଷା ଅନ୍ୟର ଅଯଶସ୍କରୀ କାର୍ଯ୍ୟ ସର୍ବାଦୌ କରଣୀୟ ! ନ ଜାଣି ଜାଣିବାର ଛଳ ଶିଖାଅ ! ସେଥିରେ ପରସ୍ପରକୁ ସେମାନେ ପ୍ରତାରିତ କରିପାରିବେ ! ଉଭୟେ ବିଡ଼ମ୍ବିତ ହେବେ । ଘୃଣା ଦୃଢ଼ୀଭୂତ ହେବ । ଭୟ ସାକାର ହେବ ! ସେଥିରେ ସେମାନେ ବଞ୍ଚିବାର ଉତ୍ତେଜନା ଲାଭକରିବେ ! ତାକୁ ମୂଲ୍ୟ ରୂପେ ଗ୍ରହଣ କରିବେ ।

 

ଲାଳସା, ସ୍ୱାର୍ଥକୁ ପୋଷଣ କରେ । ହିଂସା ପରାର୍ଥକୁ ପ୍ରତିହିତ କରେ । ଉଭୟେ ଜୀବନର ମୌଳିକ ଉତ୍ତେଜନା । ଶରୀରରେ ମନେ ନିଆଁ ଜଳାଅ ! ପ୍ରେମ, ସ୍ନେହ, ବାତ୍ସାଲ୍ୟ ଆଦି ଭାଷା ଭ୍ରମ । ମୂଳତଃ ସେ ସମସ୍ତ କ୍ଷୁଧା । ସେଥିପାଇଁ ଲାଳସାକୁ ଅକୁଣ୍ଠିତ କର ! ଅନ୍ୟ ଜନ୍ତୁର ଦୃଷ୍ଟାନ୍ତ ଦେଖାଇ ତାକୁ ପ୍ରଲବ୍‌ଧ କର ! ଜନ୍ତୁର କାମନା ପ୍ରାଞ୍ଜଳ । କ୍ଷୁଧା ନିଷ୍କପଟ । ସେ ସମ୍ଭୋଗ ପାଇଁ, ତୃପ୍ତି ପାଇଁ ହିଂସ୍ର ହୁଏ । ମଣିଷ ମୁଖ୍ୟତଃ ଜନ୍ତୁ । ନିଜ ପରମ୍ପରାରୁ ସାମାନ୍ୟ ବିଚ୍ୟୁତ ନିଶ୍ଚୟ; କିନ୍ତୁ ସେ ଜନ୍ତୁ, ତାକୁ ଏଇ ବୋଧ ଦେଇପାରିଲେ, ତାର ଅନେକ କୁଣ୍ଠା ଖସିପଡ଼ିବ । ସେ ଲୁଚି ଲୁଚି ରାତିରେ ଯାହା କରୁଚି, ତାକୁ ସ୍ପଷ୍ଟ ଦିବାଲୋକର କରିପାରିବ ! ତାର ଲଜ୍ଜା ସଂକୋଚ ଆଦି ସ୍ୱାଭାବିକ ଭୟର ବିକୃତ ରୂପ ଆଉ ରହିବ ନାହିଁ । ସେ ନିଜ ତର୍କଜାଲରେ ନିଜେ ଛନ୍ଦିହୋଇ ଯାଉଛି । ତରା ତର୍କ–ବୁଦ୍ଧିକୁ ସରଳ କର । ସେ ନିଃଶ୍ୱାସ ପ୍ରଶ୍ୱାସ ପରି ସ୍ୱପକ୍ଷ ଓ ପ୍ରତିପକ୍ଷକୁ ପ୍ରତି ମୁହୂର୍ତ୍ତରେ ଖଣ୍ଡନ କରୁଥାଉ । ସେଥିରେ ସେ ନିର୍ବିଚାର ଏବଂ ନିର୍ବିକାର ହିଂସା କରିପାରିବ, ହତ୍ୟା କରିପାରିବ ! ଅନ୍ୟକୁ ହତ୍ୟା ନ କରି ନିଜେ ବଞ୍ଚିବା ଏକ ସ୍ୱୟଂବିରୁଦ୍ଧ ଅବସ୍ଥା । କୁକୁଡ଼ାଟିକୁ କାଟି ଆନନ୍ଦରେ ତା’ର ମାଂସ ଆହାର କଲାପରି ସେ ଅପରକୁ ହତ୍ୟା କରି, ଅକୁଣ୍ଠିତ ତା’ର ସମ୍ପତ୍ତି ଭୋଗକର । ସେ ସେଭଳି ଅନେକ ହତ୍ୟା କରୁଛି; କିନ୍ତୁ କୁଣ୍ଠା ଛାଡ଼ି ପାରୁନାହିଁ । ତାକୁ ସେ କୁଣ୍ଠାରୁ ମୁକ୍ତ କର । ହତ୍ୟା ଏକ ଚରମ ଉତ୍ତେଜନା । ଆତ୍ମହତ୍ୟା ପରି । ତାକୁ ଉଭୟ ପାଇଁ ଉପାଦାନ ଯୋଗାଇ ଦିଅ, ଉତ୍ସାହିତ କର । ତା’ର ସ୍ମୃତିମନ୍ଦିର, ଶ୍ରାଦ୍ଧସଭା, ତୈଳଚିତ୍ର ଆଦି ପୁରସ୍କାର ମାଧ୍ୟମରେ ତାକୁ ପ୍ରଲୁବ୍‌ଧ କର !

 

ମନେରଖ, ଆମର ସଂଗ୍ରାମ ସେଇ ମୃତ ଇତିହାସ ବିରୁଦ୍ଧରେ । ସେ ମରି ସୁଦ୍ଧା ମରୁନାହିଁ । ତା’ର ଶ୍ମଶାନରୁ ହାଡ଼ ସଂଗ୍ରହ କରି ଗୁଡ଼ିଏ ଶାସ୍ତ୍ରୀ ଏଠି ସେଠି ଏ ଯୁଗକୁ ବିଭ୍ରାନ୍ତ କରୁଛନ୍ତି । ଯୁଗସ୍ୱର ସେମାନଙ୍କ ପାଇଁ ସ୍ପଷ୍ଟ ହୋଇ ଶୁଭୁନାହିଁ । ସେମାନେ ଶାସ୍ତ୍ର ନାମରେ ଯାହା ରଟୁଛନ୍ତି. ତାକୁ ସେମାନେ ସ୍ୱୟଂ ବୁଝିନାହାନ୍ତି । ବିଶାଳ ଅତୀତରୁ ଛିଟିକି ପଡ଼ିଥିବା ସାମାନ୍ୟ କାଳୋଚ୍ଛିଷ୍ଟ ପରି ସେ ସବୁକୁ ବର୍ଜନ କରାଅ । ସେ ବୃଦ୍ଧ ଅଧ୍ୟାପକ ଗୋଟାଏ ଅର୍ଥହୀନ ରୂଢ଼ି । ସୂର୍ଯ୍ୟୋଦୟ ପୂର୍ବରୁ ଯେତେବଳେ ନିଦ ଛାଡ଼ିନଥାଏ ଏବଂ ସ୍ୱପ୍ନ ତରଳିନଥାଏ, ସେମାନେ ଗୁଡ଼ାଏ ଉପଦେଶ ଭୁଞ୍ଜେଇ ଦିଅନ୍ତି । ଦୁର୍ବଳ ମୁହୂର୍ତ୍ତ ଦେଖି ଗୁଡ଼ିଏ ଭୀରୁ ମଣିଷଙ୍କୁ କାବୁ କରିପକାନ୍ତି ! ସେମାନଙ୍କୁ ଉଦ୍ଧାର କର । ତାଙ୍କୁ ଭୀରୁ ବୋଲି ବିଚ୍‌ ବଜାରରେ ଘୋଷଣା କରିଦେଲେ ସେମାନେ ଉତ୍‌କ୍ଷିପ୍ତ ହୋଇଯିବେ ଏବଂ ସେ ନିଶାସକ୍ତ କୁପ୍ରଭାବରୁ ଛିଟିକି ଆସିବେ । ଅବଶ୍ୟ ସେ ଗୁରୁକୁ ଏକଦା ନିରୀହ ବିଚାର କରି କେବଳ ଶୁଷ୍କବିଦ୍ୟା ଚାଷ କରିବାକୁ ଛାଡ଼ି ଦିଆହୋଇଥିଲା । ଏବେ ସେମାନଙ୍କୁ ତିନିପ୍ରକାର ହତ୍ୟା କରାଯାଇପାରେ । ଛୁରି କଟୁରିରେ ତାଙ୍କୁ ବଧ କରିବା ଅତି ଅନାୟାସସାଧ୍ୟ ହୋଇଥିଲେ ହେଁ, ସେଭଳି କାର୍ଯ୍ୟକୁ ସେ ଯୋଗ୍ୟ ନୁହେଁ । ତାକୁ ଗୋଟାଏ କାହାର ଆଦେଶନାମା ସହିତ ଗିନାଏ ବିଷ ଧରେଇଦେଲେ ସେ ତାହା ପିଇଦେଇ ପାରେ ! ସେଇବା ଖୁବ୍ ସୁବିଧା ! ତା’ ନ ହେଲେ ନିଜକୁ ଯାହା ବୋଲି ବିଶ୍ୱାସ କରୁଥାଏ ଏବଂ ପ୍ରଚାର କରିବାକୁ ଆଗ୍ରହୀ ହେଉଥାଏ, ତାର ସଂପୂର୍ଣ୍ଣ ବିପରୀତ ପ୍ରଚାରକଲେ ତା’ର ସଂହାର ହୋଇଯିବ; ପ୍ରଚାର କାର୍ଯ୍ୟ ଆମ ବିଦ୍ୟା । ସେଥିରେ କେତେବେଳେ କାର୍ପଣ୍ୟ କରନାହିଁ । ପ୍ରଚାର ମାଧ୍ୟମରେ ନୂତନ ବ୍ୟକ୍ତିଟିଏ ଜନ୍ମଲାଭ କରେ । ସେ ଭିତରେ ଯାହା ଥାଉ, ତା’ର ସାର୍ବଜନୀନ ରୂପ ସବୁବେଳେ ଆମ ଆୟତ୍ତରେ ! କଳା ଧଳା ଉଭୟ ରଂଗ ଆମ ହାତରେ । ଚିତ୍ର କରିବା ଆମ କୂଟନୀତିର ଗୂଢ଼ କର୍ମ-। ତା’ପରେ ତାକୁ ମାରିବାର ଆଉ ଗୋଟିଏ ଉତ୍କୃଷ୍ଟ ପନ୍ଥା ଅଛି । ତା ବିଦ୍ୟାକୁ ବ୍ୟଭିଚାରିଣୀ କରିଦିଅ ! ସେ ଯାହା କରୁଛି, ଆଉ ଶହେ ଅବିକଳ ତାହା କରନ୍ତୁ । ଯାହା କହୁଛି, ତା’ କୁହନ୍ତୁ–ତା’ ଭଳି ଶହେ ଜଣ ଅତ୍ର ତତ୍ର ଦେଖିବାକୁ ମିଳିଲାବେଳେ ତାର ତେଜ ହରଣ ହୋଇଯିବ ! ଜଣେ ଜାଗାରେ ଶହେଜଣ ସାଧୁ ବୋଲାଉଥିବେ ଏବଂ ପ୍ରତ୍ୟେକ ନିଜକୁ ସଚ୍ଚା କହି ଅନ୍ୟମାନଙ୍କୁ ନକଲି ବୋଲି ଅହରହ ନିନ୍ଦା କରୁଥିବେ ! ତାହାହିଁ ସେହି ବିଦ୍ୟାର ମୃତ୍ୟୁ ! –ସେ ଗୁରୁଗୋଷ୍ଠୀକୁ ହତ୍ୟାକର ! ଘାସ ପଡ଼ିଆରେ ଦାଆ ଚଳାଉଥାଅ, କାହାରି ଶିଖା ଉଠିବାକୁ ଦିଅନାହିଁ ! ସବୁଠାରୁ ଶିଖା କାଢ଼ିନିଅ । ତେଜ ହରଣ କରିନିଅ ! ଗୁଣୀ, ଜ୍ଞାନୀ, ମାନୀ, କବି, କଳାକାର, ଶିଳ୍ପୀ ବୋଲାଉଥିବା ବ୍ୟକ୍ତିଙ୍କୁ ବେଢ଼ିଯାଅ ! ବେଢ଼ଙ୍ଗ କୋଳାହଳ କରି ସେମାନଙ୍କ ଛନ୍ଦ ଭାଙ୍ଗି ଦିଅ । ତାକୁ ବୁଡ଼େଇଦିଅ । ଅପ-ମିଶ୍ରିତ କର । ଲକ୍ଷେ ଚକମକି କାଚ ଭିତରେ ଗୋଟାଏ ବିଜାତୀୟ ମଣିର ତେଜ ହଜିଯିବ । ତାହାହିଁ ତାର ମୃତ୍ୟୁ !

 

ଆମର ଉପଯୁକ୍ତ ପ୍ରତିନିଧି ବାଛିନିଅ । ସେମାନଙ୍କୁ ତରୁଣ ଅବସ୍ଥାରେ ହିଁ ବଶୀଭୂତ କର । ଅପରିପକ୍ୱ କିମ୍ବା ଶିଥିଳ ସ୍ନାୟୁ ଶୋଣିତକୁ ନେଇ କିଛି କାର୍ଯ୍ୟ ହୁଏନାହିଁ । ଏଣୁ ଶିଶୁ ଏବଂ ବୃଦ୍ଧମାନଙ୍କୁ ସମାନଭାବରେ ଉପେକ୍ଷା କର । ତରୁଣର ସ୍ୱାର୍ଥକୁ ବ୍ୟବହାର କର । ସେ ଅତି ଅନାୟାସରେ ଉତ୍ତେଜିତ ହୋଇପାରିବ । ତାକୁ ଅସନ୍ତୁଷ୍ଟ ଏବଂ କ୍ରୋଧୀ କରାଅ । କ୍ରୋଧ ହିଁ ମୁକ୍ତ ସାହସ । ଗୁଡ଼ାଏ ହିତାହିତ ଜ୍ଞାନ, ପକ୍ଷ ବିଚାର, ବା ଗୋଟାଏ ଦିଗରେ ଲମ୍ଫ ପ୍ରଦାନ କରିବା ସାହାସ ନାମଧେୟ ମୂର୍ଖତା । ବଳବାନ୍‌ କ୍ରୋଧୀ ହେଲେ ଯଥେଷ୍ଟ । ସେ ଇଚ୍ଛା ଅନୁସାରେ ତାର କ୍ରୋଧ ପ୍ରକାଶ କରିପାରେ । ହିତାହିତ ବିଚାର ଅନ୍ୟମାନଙ୍କ ପାଇଁ ! ତରୁଣକୁ ଅନର୍ଗଳ କର ! ସେ ତାର ପିତୃକୂଳ ଗୁରୁକୁଳର ପ୍ରଭାବରୁ ମୁକ୍ତ ହେବାପାଇଁ ସେମାନଙ୍କୁ ସର୍ବପ୍ରଥମେ ଅସ୍ୱୀକାର କରୁ । ମୁକ୍ତି ଘୋଷଣା କରିବାକୁ ସେମାନଙ୍କୁ ଅପମାନିତ କରୁ, ଉଲଗ୍ନକରି ପାଦପ୍ରହାର କରୁ ! ସବୁଠାରୁ ମାନନୀୟ ବୋଲାଉଥିବା କୁଳାଭିମାନୀ ବ୍ୟକ୍ତି ଏ ପ୍ରକାର ଉପଚାର ପାଇଁ ଉତ୍କୃଷ୍ଟ ! ବାପଟାଏ ହେବା ଏକ ସବର୍ସାଧାରଣ ଅଧିକାର ! ଯେ କେହି ପୁରୁଷ ବାପ ହୋଇପାରୁଥିବାରୁ, ଅଯଥା କୌଣସି ନିର୍ଦ୍ଦିଷ୍ଟ ବାପଟାଏ ଉପରେ ଗୁରୁତ୍ୱ ଦେବା ପ୍ରୟୋଜନ ନାହିଁ–ପୁରୁଷାନୁକ୍ରମେ ଘୋଡ଼ା କିମ୍ବା କୁକୁର ଉପଜାତ କରିବାରେ ବିଚାର ଯୋଗ୍ୟ ! ମଣିଷ ସେଥିରୁ ମୁକ୍ତ ! ତରୁଣର ଯୌନଭିଳାଷ ଏକ ଉତ୍ତମ ଏବଂ ସୁସ୍ଥ ପ୍ରବୃତ୍ତି । ତାକୁ ସେଥିରେ ଅବାଧ କର । ତାକୁ ପ୍ରଲୁବ୍‌ଧ ଏବଂ ବଶୀଭୂତ କରିବାକୁ ମୁକ୍ତ ଯୌନାଚାର ଏକ ବଳିଷ୍ଠ ଉପାୟ । ତାକୁ ଉପଭୋଗର ସ୍ୱାଦ ଚଖାଅ ! ସେ ଯଥାଶୀଘ୍ର ମଦ୍ୟାଦି ନିଶାଦ୍ରବ୍ୟ ସେବନ କରୁ ! ବିଳାସୀ ହେବାପାଇଁ ଲାଳାୟିତ ହେଉ । ଭୋଗ ହିଁ ତା’ର ଏକମାତ୍ର ଲକ୍ଷ୍ୟ ହେଉ । ତେଣିକି ସେ ସବୁ ତଥାକଥିତ ନୀତି ଲଙ୍ଘନ କରିଯିବ । ଉପଦେଶକୁ ବିଷପ୍ରାୟ ବର୍ଜନ କରିବ । ବିଦ୍ୟାକୁ ବ୍ୟାଧିବତ୍‌ ପରିହାର କରିବ । ଅଂଧ ପ୍ରାୟ ନିର୍ବିଚାର କ୍ରୋଧୀ ହୋଇପାରିବ । ଅକୁଣ୍ଠିତ ବଳାତ୍କାର, ଲୁଣ୍ଠନ ଏବଂ ହତ୍ୟା କରିପାରିବ । ତାକୁ ନଂପୁସକ ବଳଦ ପରି ଅନ୍ୟର ସେବାକାଯ୍ୟରେ କେହି ନିୟୋଜିତ କରିପାରିବେ ନାହିଁ । ଅଧିକାର, ଦାୟିତ୍ୱ, ନୀତି, ନିୟମାଦିର ସୀମାରେଖା ଆଉ ରହିବ ନାହିଁ । ତଦ୍ଦ୍ୱାରା ସମାଜ ଉଚ୍ଛୃଙ୍ଖଳିତ ନୁହେଁ; ବରଂ ମୁକ୍ତ ହୋଇଯିବ । ସମସ୍ତେ ସ୍ୱେଚ୍ଛାଚାରୀ ଏବଂ ସ୍ୱଭାବାଚାରୀ ହେବାକୁ ଉପଯୁକ୍ତ ମଣିବେ !

 

ସମସ୍ତେ ସେଭଳି ମୁକ୍ତ ହୋଇଗଲେ ଚରମ କୋଳାହଳ ଏବଂ ଚରମ ମୁକ୍ତିର ରାଜ୍ୟରେ କୌଣସି ଶାସନର ପ୍ରୟୋଜନ ରହିବ ନାହିଁ । ଆମେ ମୂଳରୁ ଶାସନ-ବିରୋଧୀ । ସବୁ ଆବରଣକୁ ମୁକ୍ତ ହୋଇ ମଣିଷ ସ୍ୱଚ୍ଛନ୍ଦ ଏବଂ ଉଲଗ୍ନ ବିଚରଣ କରୁ । ଏହାହିଁ ଆମର ଚରମ ଲକ୍ଷ୍ୟ-! କିନ୍ତୁ ସେ ଲକ୍ଷ୍ୟ ଏବେ ମଧ୍ୟ ସୁଦୂରପରାହତ । ଏଣୁ ଶାସନର ପ୍ରୟୋଜନ ରହିଛି । ସେ କ୍ଷେତ୍ର ସଂପୂର୍ଣ୍ଣ ଆମର । ତରୁଣାବସ୍ଥାରୁ ତାଲିମ ପାଇଥିବା କୌଣସି ବିଦ୍ୟାର ବିନ୍ଦୁ-ବିସର୍ଗ ଜାଣିନଥିବା ବିଶୁଦ୍ଧ ଏବଂ ନିଦା ଜୀବଗୁଡ଼ିକ ଶାସନକାର୍ଯ୍ୟ ଦିଅ । ସେମାନଙ୍କୁ ବୁଝାଇଦିଅ ଯେ ଶାସନ ସହିତ ପାଳନର କୌଣସି ସଂପର୍କ ନାହିଁ । ପ୍ରଗଳ୍‌ଭ ହିଁ ଜ୍ଞାନୀ, ସେମାନଙ୍କର ଯଥେଚ୍ଛାଚାର ହିଁ ନିୟମ; ସେମାନଙ୍କୁ ଏକାକୀ କେତେବେଳେ ରହିବାକୁ ଦିଅନାହିଁ । ସେ ଅବସ୍ଥାରେ ବେଳେବେଳେ ବିଚାର ବ୍ୟାଧି କ୍ରିୟାଶୀଳ ହୋଇଉଠେ । ସେ ଏକାକୀ ଅନୁତାପପ୍ରିୟ, ଏକାଠି ହିଂସାପ୍ରବଣ; ଏଣୁ ତାକୁ ଉତ୍ତେଜିତ ଉନ୍ମତ୍ତ ରଖିବାକୁ ଗୋଷ୍ଠୀର କୋଳାହଳ ଆବଶ୍ୟକ । ଚିନ୍ତା କରିବାକୁ ଅବସର ଦିଅ ନାହିଁ । କାହକୁ କିଛି ଜାଣିବାକୁ ଅବକାଶ ଦିଅନାହିଁ । ସେମାନେ ଅହରହ ଗର୍ଜୁଥାନ୍ତି । ପାନ ଭୋଜନ ରମଣାଦି ଅହରହ କରୁଥାନ୍ତୁ । ଏହିପରି ଅବସ୍ଥାରୁ ଯେଉଁ ନିଷ୍ପତ୍ତି ବାହାରିବ, ତାହାହିଁ ଅନ୍ୟମାନଙ୍କୁ ଉତ୍‌କ୍ଷିପ୍ତ କରି ଶାସନକ୍ଷମ ଏବଂ ହିଂସ୍ର କରବ । ମେଷଙ୍କୁ ପାଳନ କରାଯାଏ; କିନ୍ତୁ ପ୍ରଜାଙ୍କୁ ପୀଡ଼ନ କରାଯାଏ । ପୀଡ଼ିତ ହେଲେ ସେମାନେ ସ୍ୱଭାବ ପ୍ରକାଶ କରିପାରିବେ । ସେମାନେ ଯେତିକି ଉତ୍‌କ୍ଷିପ୍ତ ହେବେ ଏବଂ ନୀତିଭ୍ରଷ୍ଟ ହେବେ, ସେତିକି ମୁକ୍ତ ହେବେ । ସେହି ପରିମାଣରେ ରାଜ୍ୟରେ ଏକାଚାର ଦେଖାଦେବ । ଶାସକ ଶାସିତ ସମାନ ଯୋଗ୍ୟ ହୋଇ ବାହରିବେ । ଅହରହ ଶାସକ ଶାସିତର ସ୍ଥାନ ପରିବର୍ତ୍ତନ ଘଟୁଥିବ; ତାହା ହିଁ ଲକ୍ଷ୍ୟ ।

 

ଶାସକମାନେ ପ୍ରଥମେ ସାହାଯ୍ୟ ନକରି ଶାସନ କରନ୍ତୁ; ନେତୃତ୍ୱ ନ ଦେଇ ଆଦେଶ ଦିଅନ୍ତୁ । ପ୍ରତିଭାକୁ ସନ୍ଦେହ କରନ୍ତୁ । ତାକୁ ନିର୍ବିଚାର ହତ୍ୟା କରନ୍ତୁ; କାରଣ ତାହାହିଁ ଏ ପ୍ରକାର ରାଜକାର୍ଯ୍ୟରେ ପ୍ରଧାନ ଶତ୍ରୁ । କାରଣ ସେହି ଧାରଣା ଦେଇଥାଏ ଯେ, ଶକ୍ତି କେବଳ ସଂଖ୍ୟାଗରିଷ୍ଠତାରେ ନଥାଇ ବ୍ୟକ୍ତିବିଶେଷରେ ମଧ୍ୟ ରହିପାରେ । ଶିକ୍ଷା ଅନୁଷ୍ଠାନରେ ବିଦ୍ୟାକୁ ଘୃଣା କରୁଥିବା, ତାକୁ ବାରନାରୀ ପରି ବିକ୍ରି କରୁଥିବା ଗୁଡ଼ିଏ ଦରିଦ୍ର ଅଭାବଗ୍ରସ୍ତ ଲୋକକୁ ପ୍ରବେଶ କରାଅ । ସେମାନେ ଅହରହ ଅସନ୍ତୁଷ୍ଟ ରହନ୍ତୁ । ବିଦ୍ୟାକୁ ନିନ୍ଦା କରନ୍ତୁ । ନିଜ ଆଚରଣରେ ତାର ନିକୃଷ୍ଟ ପ୍ରଭାବ ପ୍ରମାଣିତ କରୁଥାନ୍ତୁ । ବେଳେ ଶିକ୍ଷା ଲୋପପାଇଯିବ । ମନ ସ୍ଥିର ଏବଂ ସୁସ୍ଥ ରହିବା ଏକ ଭ୍ରାନ୍ତ ଧାରଣା ! ମନ ଅସ୍ଥିର ହେବା ହିଁ ତା’ର ସ୍ୱାଭାବିକ ସ୍ୱାସ୍ଥ୍ୟ । ସେହିପରି ଶରୀର ରୋଗଶୂନ୍ୟ ହେବା ଏକ ହାସ୍ୟାସ୍ପଦ ଚିନ୍ତା; ବରଂ ପୀଡ଼ିତ ହେବା ତାର ସୁଲକ୍ଷଣ । ସେଥିପାଇଁ ଭେଷଜବିଦ୍ୟାକୁ ପ୍ରାଚୀନ ଧାରଣାରୁ ମୁକ୍ତକର । ବୈଦ୍ୟ ରୋଗର ସେବକ; ରୋଗୀର ନୁହେଁ । ରୋଗ ହିଁ ତାର ଅନ୍ନ-ସଂସ୍ଥାନ କରାଏ । ଏଣୁ ରୋଗର ଅଭିବୃଦ୍ଧି ତା’ର ଏକମାତ୍ର କାମ୍ୟ ହେଉ । ସେଥିରେ ରୋଗୀର ଯନ୍ତ୍ରଣା କିମ୍ବା ମୃତ୍ୟୁ ଏକ ଅତି ଗୌଣ ବିଚର । ରୋଗ ଚିରସ୍ଥାୟୀ; ରୋଗୀ କିନ୍ତୁ ଅସ୍ଥାୟୀ । ଏଣୁ ରୋଗ ହିଁ ପରମ ସେବ୍ୟ । ଏହି ପ୍ରକାର ଦୃଷ୍ଟିରେ ଦେଖିଲେ ଔଷଧକୁ ସାମାନ୍ୟ ପରିବର୍ତ୍ତନ କରିବା ପ୍ରୟୋଜନ । ଶାସନ ସେଥିପାଇଁ ତତ୍‌ପର ହେଉ-। ଅସଂଖ୍ୟ ବେପାରୀଙ୍କୁ ଔଷଧର ଏକଚାଟିଆ ଅଧିକାର ବିକ୍ରିକରି ଦେଉ । ସେମାନେ ଚେଷ୍ଟାକରି ଅପମିଶ୍ରିଣ ସାହାଯ୍ୟରେ ଅନେକ ପୁରୁଣା ଗୋଟାଏ ବିଶ୍ୱାସ ଭଙ୍ଗ କରିଦେଇ ପାରିବେ-। ଔଷଧରୁ ମଣିଷ ମୁକ୍ତ ହେଇପାରିବ । ଔଷଧ ଅପେକ୍ଷା ମନ୍ତ୍ର ଆହୁରି ଫଳପ୍ରଦ ଜଣାପଡ଼ିବ-! ମନ୍ତ୍ର ପାଇଁ ଅଧିକରୁ ଅଧିକ ନିରକ୍ଷର ନିଯୁକ୍ତ କର । ଅଧିକରୁ ଅଧିକ ବିଶ୍ୱାସଭଙ୍ଗ ହେଉ । ହତ୍ୟା ହେଉ । ସ୍ୱଭାବ ମୁକ୍ତ ହେଉ–

 

ଉତ୍କୋଚ ସର୍ବୋଚ୍ଚ ବିଚାରରୂପେ ନ୍ୟାୟ ବିତରଣ କରୁ । ନ୍ୟାୟ ବିଷୟରେ ଶୁଚି ବାୟୁଗ୍ରସ୍ତ ମନୋଭାବର ଅବସାନ ହେଉ । ନ୍ୟାୟବିଚାର ଦୁର୍ବଳ ଏବଂ ଅଯୋଗ୍ୟଙ୍କର ସୃଷ୍ଟି । ସେମାନଙ୍କର ସାମର୍ଥ୍ୟ ନଥାଇ ବଳବାନ୍ ପୁରୁଷର ସମକକ୍ଷ ହେବାପାଇଁ ଏହା ଏକ ଅପଚେଷ୍ଟା । ବଳଶାଳୀଙ୍କୁ ବୁଝାଇଦିଅ ଯେ ସେମାନେ ଯାହା କରିବେ ତାହାହିଁ ନ୍ୟାୟ । ସେମାନେ ବଳାତ୍କାର ଭୋଗ କଲେ ତାକୁ ଅନ୍ୟମାନେ ଲୁଣ୍ଠନ ବୋଲି ଆଖ୍ୟା କରିପାରନ୍ତି । ସେଥିରେ ବିବ୍ରତ ହେବାର କିଛି ନାହିଁ । ଦୁର୍ବଳ ସବୁବେଳେ ପରାଜିତ ମନୋବୃତ୍ତିରେ ଅନିଷ୍ଟ ଚିନ୍ତା କରୁଥାଏ । ବଳବାନ୍‌ ଆତ୍ମ-ବିଭୋର ଥାଏ । ବଳବାନ୍‌ ହେବାକୁ, ସମର୍ଥ ଏବଂ କ୍ରୋଧୀ ହେବାକୁ, ତରୁଣକୁ ଉତ୍ସାହିତ କରେ । ପ୍ରଗ୍‌ଳଭ ଏବଂ ବଚନମୁକ୍ତ ହେବାକୁ ଉପଦେଶ ଦିଅ । ବାକ୍ୟର ଚଟୁଳତାର ଥିବାକୁ ନଥିବା ବୋଲି ବୁଝେଇବାକୁ କୁହ । ଏଥିରେ କୁଶଳୀ କଳାକାର ପରି ସେମାନେ କଥା ଏବଂ କାର୍ଯ୍ୟକୁ ପୃଥକ ରଖିବେ; କାରଣ କଥା ମାନି କାର୍ଯ୍ୟ କରିବା କ୍ରୀତଦାସର ଲକ୍ଷଣ । ମୁକ୍ତ ମଣିଷପାଇଁ କୌଣସି ବନ୍ଧନ ନାହିଁ ।

 

ଶାସକ ମୋଚି ନୁହେଁ । ଏଣୁ ଜୋତା ସିଲାଇ ପରି ଶାସନତନ୍ତ୍ରରେ ତାଲିମ ପ୍ରାପ୍ତ ହେବା ତା’ପାଇଁ ଜରୁରୀ ନୁହେଁ । ସେ ନୀତିବାନ୍‌ ହେବା ଅପେକ୍ଷା ବଳବାନ୍‌ ହେବା ବେଶି ପ୍ରୟୋଜନ । ସେ ଯେକୌଣସି ସଂପତ୍ତିକୁ ନିଜର ବୋଲି କହିପାରିବ । ଅନ୍ନଥାଳି ଉପରେ ମାଛିଟାଏ ବସିଛିବୋଲି ଥାଳିଯାକ ଖାଦ୍ୟ ତାହାର ନୁହେଁ । ତା’କୁ ଆଡ଼େଇ ଦେଇ ଭୁଞ୍ଜିବା ଅତି ଉତ୍ତମ କାର୍ଯ୍ୟ । ଅଯୋଗ୍ୟକୁ ସବୁ ଅଧିକାରରୁ ତଡ଼ିବା ବିଧେୟ । ସବୁ ଦୁର୍ବଳମାନେ ଅଯୋଗ୍ୟ । ଏଭଳି ପରସ୍ପରକୁ ଲୁଣ୍ଠନକରି ସେମାନେ ସବୁ ଅଧିକାର ଲୋପ କରନ୍ତୁ । ସମସ୍ତେ ବିପନ୍ନ ବୋଧ କରନ୍ତୁ । ସବୁ ଅନିଶ୍ଚିତ ହେବାରୁ ଭବିଷ୍ୟତ ଯୋଜନା ଲୋପହେଉ । ସେମାନେ ତଦ୍ୱାରା ଦାୟାଦ ଦାୟିତ୍ୱର ମୁକ୍ତ ହେବେ । ଯେପରି ପିତୃ ପ୍ରଭାବରୁ ମୁକ୍ତ ହୋଇଛନ୍ତି–ଏହା ହୋଇଗଲେ ଏକାକୀ, ଭୟାର୍ତ୍ତ, ଘୃଣାଜଡ଼ିତ ମଣିଷ ସଂପୃକ୍ତ ଗୋଷ୍ଠୀ ଚିତ୍କାରରେ ଦିନେ ଭୟାବହ ଯୁଦ୍ଧ ଘୋଷଣା କରିବ । ସର୍ବଶ୍ରେଷ୍ଠ ବୁଦ୍ଧି ଆତ୍ମରକ୍ଷା ପାଇଁ ନିଯୁକ୍ତ । ଆତ୍ମରକ୍ଷା ଅନ୍ୟର ବିଧିବଦ୍ଧ ସଂହାର । ଏଣୁ ଗଣହତ୍ୟା ପାଇଁ ଉପାଦେୟ ଅସ୍ତ୍ର ଉଦ୍ଭାବନ କରିବା ମନୁଷ୍ୟ-ବୁଦ୍ଧିର ସର୍ବଶ୍ରେଷ୍ଠ ଅବଦାନ । ଘୋର ଯୁଦ୍ଧରେ ବିପୁଳ ହତ୍ୟା ହେବା ସ୍ୱାଭାବିକ । ଅନଟନ, ଦାରିଦ୍ର୍ୟ ହେବା ମଧ୍ୟ ସ୍ୱାଭାବିକ । ଘରେ ଭାଇକୁ, ଗାଁରେ ପଡ଼ୋଶୀକୁ, ସମାଜରେ ରାଜ୍ୟରେ ବୟୋଜ୍ୟେଷ୍ଠ ନାଗରିକକୁ ହତ୍ୟା କରିବା ଏ ଯୋଜନାର ଅନ୍ତର୍ଭୂକ୍ତ । ଜୀବନରୁ ସବୁ ମୂଲ୍ୟ ମୂଳପୋଛ ନ ହେବାଯାଏ ନୂତନ ମୂଲ୍ୟ ଆସିବ କେମିତି ? ଏହା ଆମର ଆଧିପତ୍ୟ ପାଇଁ ଅତି ଉତ୍କୃଷ୍ଟ ବିଚାର ।

 

କିନ୍ତୁ ସାବଧାନ ଥିବ । ହଜାର ହଜାର ବର୍ଷଧରି ଆମର ସବୁ ଚେଷ୍ଟା ସତ୍ତ୍ୱେ ଶତ୍ରୁ ମରିନାହିଁ । ସେ ଖାଲି ଉଭାନ ହୋଇଯାଇଛି । ଆମର ଏ ସମସ୍ତ ବିଚାରକୁ ଶୁଣିବାକୁ ତା’ର ଚାର ନିଯୁକ୍ତ କରୁଛି । ସାବଧାନ ଥିବ, ଏସବୁ ମନ୍ତ୍ରଣା ଅବିକଳ ଏହିଭଳି ମୁକୁଳି ଯାଇପାରେ । କେହି ଜଣେ ଏହାକୁ ଲେଖି ଛାପିଦେଇପାରେ । ମଣିଷକୁ ଯେତେ ଆଡ଼ବାଙ୍କରେ ତୁମେ ରଖିଥାଅ, ସେ ଥରେ ଫୁଙ୍କିଦେଇ ଚାଲିଗଲେ ପୁଣି ଏମାନେ ଚାବିଦିଆ କଣ୍ଢେଇପରି ଯେ ଯାହା ମାର୍ଗରେ ଚାଲିବେ । ଫେର୍‌ ସମସ୍ତେ ଧର୍ମ ଧର୍ମ ହୋଇ ମାତିବେ, ପୁଣି ଉପରକୁ ଚାହିଁ ହଜାରେ ଗୀତ ବୋଲିବେ । ସେ ଆମକୁ ହସିଦେଇ ଚାଲିଯିବ । ତାକୁ ଯେତେ କଣ୍ଟାପିଟି ଲଗାଅ, ବିଷ ଦେଇ ନିଆଁରେ ପୋଡ଼ିମାର, ସେ କେଉଁ ମାର୍ଗେ ଖସି ଚାଲିଯିବ । ଏ ମଣିଷଟା ବି ସେମିତି । ତାକୁ ନୀତିରେ ତୋଳି ଧର–ସେ କିଛି ସମୟ ପରେ ଲେସେଡ଼ି ଆସିବ । ଅନୀତିରେ ତୋଳି ଧର–ସେ ସେଇଆଡ଼ୁ ତେଜିଆସିବ । ଆମ ସାଙ୍ଗରେ ଏଇଟା ଗୋଟାଏ ଖେଳ ଚାଲିଛି ଯୁଗ-ଯୁଗଧରି । ଏବେ ଆମର ଜିତାପଟ୍‌ ଚାଲିଛି । ସାବଧାନ ହୋଇ ଜଗିଥିବ । ବାମନ ହେଇ ସେ ଗଳିଆସିପାରେ । ତାକୁ ମାରି ଗୁଣ୍ଡ କରିଦେବ । ଏଥର ହୁଏତ ସଂପୂର୍ଣ୍ଣ ବିଜୟ ହୋଇପାରେ । ମୂଳକଥା ମୁଁ ସନ୍ଦେହ କରୁଛି ଯେ, ଅନ୍ୟ ପକ୍ଷରେ ଗୁପ୍ତଚର ଏସବୁ ଟିପି ନେଉଛି । ତାକୁ ଜଗି, ତା’ ବେକରେ ବାଉଁଶ ମଡ଼େଇଦିଅ । ସେ ଯେମିତି ପଦେ ପ୍ରଘଟ ନକରୁ । କେହି ନ ଜାଣନ୍ତୁ ଯେ ଆମେ ହିଁ ସଦଳବଳେ ଏ ଯୁଗଟାକୁ ଆକର୍ଷି ଧରିଛୁ ।

Image

 

ଆପଣା କଲା କର୍ମମାନ

 

ଢେଲାଟିଏ ପକାଇଲେ ପଥରଟିଏ ଥୁଆ ହୋଇଛି ବୋଲି କହି ଆମକୁ ନିବର୍ତ୍ତାଯାଏ । ପଇସାଟିଏ ଦାନକଲେ ଲକ୍ଷେ ଟଙ୍କାର ପୁଣ୍ୟଫଳ ଆତ୍ମାକୁ ଆଢ଼ୁଆଳ କରେ ବୋଲି ସେହପରି ଆମକୁ ପ୍ରବର୍ତ୍ତାଯାଏ । ଭୟ ଏବଂ ପ୍ରଲୋଭନ ଦେଖାଇ ସର୍କସର ସିମ୍ପାଞ୍ଜିକୁ ସିଗ୍ରେଟ ପିଆଇଲା ପରି ଆମକୁ ମଧ୍ୟ ନିୟନ୍ତ୍ରିତ କରାଯାଏ । ଆମ ପାଇଁ ଚଉରାଶି ପ୍ରାଣର ଭୟ ଏବଂ ଚଉଷଠି ପ୍ରକାର ପ୍ରଲୋଭନ । ତା’ରି ଭିତରେ ଆମ କିଛି କର୍ମ କରୁ ବା’ କରିବାକୁ ପ୍ରୟାସ କରୁ ଏବଂ ଆଉ କିଛି କର୍ମ ନକରୁ ବା’ ନକରିବାକୁ ଚେଷ୍ଟାକରୁ ! ୟା ଭିତରେ ଗୋଟିଏ କଥା କିନ୍ତୁ ସ୍ଥିର ସତ୍ୟରୂପେ ଦେଖାଦିଏ ଯେ ଆମେ ଯାହା କରୁ ସେଥିପାଇଁ ଆମେ ସର୍ବତୋଭାବେ ଦାୟୀ; ଏଣୁ ତା’ର ଫଳାଫଳ ପାଇଁ ମଧ୍ୟ ଦାୟୀ । କୌଣସି କୁକର୍ମ କରି ତା’ର ପରିଣାମରୁ ଖସିଯିବାର ଉପାୟ ନାହିଁ-। ଜଣେ ୠଷିଙ୍କ ଦୃଷ୍ଟାନ୍ତ ଏଥିପାଇଁ ଦିଆଯାଇଥାଏ । ସେ ତାଙ୍କର ପିଲାଦିନେ ଗୋଟିଏ କୁଲିବେଙ୍ଗକୁ ନେଇ ଖେଳୁଥିଲା ବେଳେ ସ୍ୱାଭାବିକ ଚଗଲାପଣିଆରେ ତାକୁ ଗୋଟିଏ କଣ୍ଟାରେ ଫୋଡ଼ି ହତ୍ୟା କରିଥିଲେ । ପରିଣାମତଃ ତାଙ୍କୁ ରାଜଦଣ୍ଡ ସ୍ୱରୂପ ପରିଣତ ବୟସରେ ଗୋଟିଏ ନିର୍ମମ ଶୂଳି ଉପରେ ପ୍ରାଣତ୍ୟାଗ କରିବାକୁ ପଡ଼ିଥିଲା । ଶୂଳିରେ ଚଢ଼ିବାକୁ କାହାରି ପ୍ରବୃତ୍ତି ନହେବା କଥା; କିନ୍ତୁ ସେଥିରୁ ବଞ୍ଚିବାକୁ ହେଲେ ଆମକୁ ଗୋଟିଏ ନିର୍ଦ୍ଦିଷ୍ଟ ଆଚରଣକୁ ସ୍ୱୀକାର କରିବାକୁ ପଡ଼ିବ । ସେଇଟା ହେଲା, କେବଳ କୁଲିବେଙ୍ଗ ନୁହେଁ, କାହାକୁ ହେଲେ କଣ୍ଟାରେ ଫୋଡ଼ି ହତ୍ୟା କରିବନାହିଁ । କେବଳ କଣ୍ଟା ନୁହେଁ, ଆଉ କୌଣସି ଉପାୟରେ ମଧ୍ୟ କାହାକୁ ହତ୍ୟା କରିବନାହିଁ । ମୋଟ ଉପରେ ହତ୍ୟା କରିବନାହିଁ; ହତ୍ୟା ପାପ । ହତ୍ୟା ଏକ ଅପରାଧ । ସେହିପରି କାହାରି ଅନିଷ୍ଟ କରିବନାହିଁ । କାହାରି ଦ୍ୱାରା ହରଣ କରିବନାହିଁ; ତାକୁ ମା’ ବୋଲି ଜ୍ଞାନ କରିବ । କାହାରି ଦ୍ରବ୍ୟ ଲୁଣ୍ଠନ କରିବ ନାହିଁ, ତାହା ମାଟିଟେଳା ବୋଲି ଜ୍ଞାନ କରିବ । ମିଛ କହିବ ନାହିଁ । ଅପ୍ରିୟ କହିବନାହିଁ । ଅସତ୍‌ ଚିନ୍ତା କରିବ ନାହିଁ । ... ଇତ୍ୟାଦି ଇତ୍ୟାଦିର ତାଲିକା ହିସାବ କଲେ ସରିବ ନାହିଁ । ସାଙ୍ଗକୁ ଆହୁାରି ଯୋଡ଼ିଦିଆହୁଏ, ନଈ ପହଁରିବ ନାହଁ । ଗଛ ଚଢ଼ିବ ନାହିଁ । ବିରୁଡ଼ି ବସା ଭାଙ୍ଗିବନାହିଁ । ଗୁଡ଼ାଏ ହସିବ ନାହିଁ କି କାନ୍ଦିବ ନାହିଁ–ଅତି ଭକ୍ତି, ଅତି ପ୍ରୀତି ସବୁ ତ୍ୟାଗ କରିବ । ଏ ସମସ୍ତ ହେଲା ଆଚରଣର ନିଷିଦ୍ଧ ଅଙ୍ଗ । ଅନ୍ୟଟି ହେଲା ପ୍ରସିଦ୍ଧ ଅଙ୍ଗ । ସତ୍ୟ କହିବ । ମିତଭାଷୀ, ପ୍ରିୟଭାଷୀ ହେବ ! ସମସ୍ତଙ୍କର ମଙ୍ଗଳ କରିବ ! ବିନୟୀ ହେବ: ମାତୃଦେବ, ପିତୃଦେବ, ଆଚାର୍ଯ୍ୟଦେବ ହେବ । ...ଏ ତାଲିକା ମଧ୍ୟ ସେହିଭଳି ଦୀର୍ଘ । ଏ ଦୁଇଟି ଫର୍ଦ୍ଦ ନିର୍ଦ୍ଦେଶନାମାକୁ ବେକରେ ଓହଳେଇଦେଇ ଏ ସମାଜରେ ଚଳିବା ପାଇଁ ଆମକୁ କୁହାଯାଏ । ସ୍ମୃତିକାରମାନଙ୍କର ଧାରଣା ଯେ ଏହାଦ୍ୱାରା ଖୁବ୍‌ ଦୃଢ଼ ଲୁହା ପଇ ପକେଇଦିଆଗଲା, ଏଣିକି ରେଳଗାଡ଼ିଟିଏ ପରି ଜୀବନ ପୂର୍ବରୁ ପଶ୍ଚିମକୁ ଅତି ସହଜରେ ନିର୍ବରୋଧ ଗଡ଼ିଯିବା କଥା ।

 

କିନ୍ତୁ ଗଡ଼େନାହିଁ ଦୁଇଟି ନିର୍ଦ୍ଦିଷ୍ଟ କାରଣରୁ । ପ୍ରଥମଟି ହେଲା ତାଲିକାଭୁକ୍ତ କୁକର୍ମମାନଙ୍କର ପରିଣାମ ଯେତିକି ଭୟାବହ, ସେହି କର୍ମଗୁଡ଼ିକ ସେତିକି ଲୋଭନୀୟ । ରୌରବ କିମ୍ବା କୁମ୍ଭୀପାକରେ ପଡ଼ିବାକୁ ଆମର କାହାରି ସାହସ ନାହିଁ, କି ଇଚ୍ଛା ନାହିଁ ସତ; କିନ୍ତୁ ଜୀବନରେ ଉଠିପଡ଼ି ସଂଗ୍ରାମ କଲାବେଳେ, ଏଠିସେଠି ଟିକିଏ ମୋହ ଲାଗିଗଲେ, ତାକୁ ଏଡ଼ିଯିବା ପାଇଁ ଆମର ସାମର୍ଥ୍ୟ କୁଳାଏ ନାହିଁ । ନାରୀ, ସୁରାର ଆକର୍ଷଣ, କାମିନୀକାଞ୍ଚନର ଦୁର୍ବାର ଲୋଭପାଇଁ ଇନ୍ଦ୍ରିୟାନୁଗତ ଜୀବନଟି ସାର୍ଥକ ବୋଧହୁଏ । ଡେଣା ବାରମ୍ବାର ପୋଡ଼ିଯାଉଥିଲେ ସୁଦ୍ଧା ପତଙ୍ଗ–ଜୀବନର ଏକମାତ୍ର ସ୍ୱାଭାବିକ ମୂଲ୍ୟ ଏଇ ଅଗ୍ନିପରୀକ୍ଷା ! ସେ ସେତେବେଳେ ବୋଧକରୁଥାଏ ଯେ ସେ ଅଗ୍ନିରେ ଝାସ ଦେଉନାହିଁ; ବରଂ ସେ ତରଳ ଶିଖା ଗୁଡ଼ିକୁ ଆକଣ୍ଠ ପାନକରୁଛି । ସେ ଦହନକୁ ସ୍ୱୀକାର କରୁନାହିଁ, ତା ପଶ୍ଚାତ୍‌ରେ ଆଉ ଗୋଟାଏ କ’ଣ ସ୍ୱାଦ ତାକୁ ବିଭୋର କରୁଛି । ସେ ସ୍ୱାଦ କ’ଣ ଜାଣିବାକୁ ହେଲେ ନିଜେ ପତଙ୍ଗ ହେବାକୁ ପଡ଼ିବ । ସେହିପରି ମିଛ କହିବାର ସ୍ୱାଦ ମଧ୍ୟ ଦୁର୍ବାର । ଗଛରେ ଚଢ଼ିବାକୁ, ଗଛର ଉଞ୍ଚ ଡାଳଗୁଡ଼ିକ ହିଁ ତରୁଣକୁ ଆମନ୍ତ୍ରଣ କରୁଥା’ନ୍ତି । ଖଳଖାଳ ହୋଇ ବହିଯାଉଥିବା ନଦୀ ଆମନ୍ତ୍ରଣ କରୁଥାଏ ତା’ର ଗଜେଇ ଆସୁଥିବା ପୌରୁଷକୁ ! ସମଗ୍ର ପୃଥିବୀରେ ଅନେକ ଶୋଭା, ଅନେକ ଉପଭୋଗ୍ୟ ସାମଗ୍ରୀ...ତାକୁ ତ୍ୟାଗ କରିବାର ସତ୍‌କର୍ମ ଖୁବ୍ କଷ୍ଟସାଧ୍ୟ ! ପ୍ରଲୋଭନ ହେତୁ କଷ୍ଟସାଧ୍ୟ; କିନ୍ତୁ ଲାଗେ ଯେ ଏପରି ରସବନ୍ତ ଶୋଭାବନ୍ତ ଜୀବନକୁ ସବୁଆଡ଼ୁ ନିବୃତ୍ତକରି ରଖିବାରେ ଲାଭ କ’ଣ ? ଏକଦା ଜଣେ ଲୋହିତ ଭାରତୀୟ ତାଙ୍କର ଶହେ ପଚାଶ ବର୍ଷବ୍ୟାପୀ ଜୀବନର ରହସ୍ୟ ବଖାଣୁଥିଲେ । ସେ କିପରି ସଂଯମ ଅଭ୍ୟାସ କରିଛନ୍ତି, ତା’ର ବୟାନ ଦେଉଥିଲେ । ସେ ମିଠା ଖାଇନାହାନ୍ତି, ସୁରା ଛୁଇଁନାହାନ୍ତି । ଶହେ ବର୍ଷ ତଳେ ଜଣେମାତ୍ର ନାରୀକୁ ସହଧର୍ମିଣୀ କରି ଗ୍ରହଣ କରିଛନ୍ତି, ସିନେମା ଦେଖିନାହାନ୍ତି, ସମୁଦ୍ର କୂଳରେ ବିହାର କରିନାହାନ୍ତି... । ଏ ସବୁ ଶୁଣି, ହାସ୍ୟ ଅଭିନେତା ଡେନିକୋୟଙ୍କୁ ସଂବୋଧନ କରିବା ଭଙ୍ଗିରେ ତାଙ୍କ ବନ୍ଧୁ କହିଲେ, ‘‘ଦେଖ ବନ୍ଧୁ, କେମିତି ଏ ଲୋହିତ ଭାରତୀୟଟି ବଞ୍ଚିଛି !’’ ସଙ୍ଗେ ସଙ୍ଗେ ଡେନିକୋୟ ଉତ୍ତରଦେଲେ–‘‘ସତେ ତ, କାହିଁକି ଏ ବେକୁବ୍‌ ଏମିତି ବଞ୍ଚିଛି କେବଳ !’’ ଦୀର୍ଘ ଜୀବନର ପୁରସ୍କାର ଭଳି ସ୍ୱର୍ଗସୁଖର ପ୍ରତିଶ୍ରୁତି ମଧ୍ୟ ଅନେକ ସମୟରେ ଜୀବନର ତଥାକଥିତ ମଧୁଭଣ୍ଡାର ଆମକୁ ନିବୃତ୍ତ କରିପାରେନାହିଁ । ଆମର ଧାରଣା ହୁଏ ଯେ ଆମକୁ ଅଯଥା ଭଣ୍ଡେଇ ଦିଆହେଉଛି । ପିଲାଙ୍କୁ ମିଛ କହି, ଭେଳେଇ, ବହଲେଇ ଦେଲାପରି ଆମ ସାଙ୍ଗରେ ଏମିତି କେବଳ ଗୋଟିଏ ଖେଳାଚାଲିଛି ।

 

ଜବୀନ ନ ଗଡ଼ିବାର ଦ୍ୱିତୀୟ କାରଣ ଏହାର ପରିପୂରକ । ସୁକର୍ମମାନଙ୍କର ତାଲିକା ପିତା ଓଷଦ ଭଳି ଉତ୍କଟ, ପାହାଡ଼ଚଢ଼ା ଭଳି ଦୁଃସାଧ୍ୟ । ବୈଶାଖ ମାସ ମଧ୍ୟାହ୍ନରେ ଆକାଶରୁ ନିଆଁ ଛିଡ଼ିପଡ଼ୁଥିବାବେଳେ ତାତିଲା ଭୂଇଁ ଉପରେ ଗୋଟାଏ ଗୋଡ଼ରେ ଠିଆହୋଇ ଚାରିଆଡ଼େ ଚାରିଟା ଧୂନି ଜାଳି ନାକ ଆଗକୁ ଚାହିଁଲେ ସତ୍ୟଦର୍ଶନ ହୁଏ । କେହି ନ ଶୁଣିଲାପରି ଆମ କହୁ, ‘‘ସେ ସତ୍ୟ କ’ଣ ଏମିତି ଜରୁରି ?’’ ଭୋକିଲା ଛଞ୍ଚାଣକୁ କପୋତ–ଓଜନର ମାଂସ ନିଜ ଦେହରୁ କାଟି ଦେଉ ଦେଉ କଙ୍କାଳସାର ଦାତା ନିକିତିରେ ସ୍ୱୟଂ ବସିଯିବା ଦାନଧର୍ମର ଚୂଡ଼ାନ୍ତ ଉଦାହରଣ । ଆମେ ପୁଣି କହୁ, ‘‘ଏଭଳି ଦାନ କରିସାରିଲାପରେ ତା’ର ଫଳ କିଏ ଭୋଗକରେ ?’’ ଏହିପରି, ଭାଇ ବିନା ଦୋଷରେ ଫାଶୀ ପାଉଥିଲେ ସୁଦ୍ଧା ସତ କହିବା, ବିନା ଦୋଷରେ ପେଟରେ ଗୁଳିମାଡ଼ ଖାଇଲେ ସୁଦ୍ଧା ହତ୍ୟାକାରୀକୁ କ୍ଷମା କରିବା, କାଠ ଛକିରେ କଣ୍ଟାପିଟା ହୋଇ ଝୁଲୁଥିଲେ ସୁଦ୍ଧା ନିର୍ବୋଧକଙ୍କ ପାଇଁ ପ୍ରାର୍ଥନା କରିବା–ସବୁକାର୍ଯ୍ୟ ସତ୍‌କର୍ମର ଅପରୂପ ଓ ଅନନ୍ୟ ଦୃଷ୍ଟାନ୍ତ ! –ଆମେ ସାଧାରଣ ଭୂମି, ସାଧାରଣ ସଂଭାବନା ଏବଂ ସାମର୍ଥ୍ୟର ମଣିଷ । ଏସବୁ ଆମ ଆଚରଣ ପରିସର ଭିତରେ ଗ୍ରହଣ କରିବାକୁ ଆମେ ରାଜି ନୋହୁଁ । ହଁ, ଏସବୁ ଶୁଣି ଆମେ ନିଶ୍ଚୟ ବିସ୍ମିତ ହେବୁ । କେମିତି ଆମରି ଭଳି ଗୋଟାଏ ଦେହ ଧରି ଆକ୍ଷି, ନାକ, କାନ, ମେଦ ରକ୍ତର ଶରୀର ଧରି ସେମାନେ ଏ ଅଦ୍ଭୁତ କାର୍ଯ୍ୟ କରିପାରିଲେ ? ଏହା କିଭଳି ସମ୍ଭବ ହେଲା ? ମଣିଷ ଜୀବନରେ କ’ଣ ଆଉ ଗୋଟାଏ ରହସ୍ୟଭୂମି ରହିଯାଇଛି ଆମ ଅଜ୍ଞାତସାରରେ, ଯେଉଁଠି ଏମିତି ସାମର୍ଥ୍ୟ ମିଳେ ? ଏ ବିସ୍ମୟରୁ ସାମାନ୍ୟ କୌତୂହଳ ହୁଏ । ଖୁବ୍ ନିଭୃତରେ ଇଚ୍ଛାଟିଏ ଉଙ୍କିମାରେ ଯେ ଯେତେ ଛୋଟ ହେଲେ ମଧ୍ୟ, ହେଉ ନହେଉ, ଏମିତି ଟିକେ ଚେଷ୍ଟାକଲେ କେମିତି ହୁଅନ୍ତା ? ରାଜ୍ୟ ଛାଡ଼ିଯିବା ପାଇଁ ଆମର ବୈଶାଳୀ ନଗରୀ ନାହିଁ; କିନ୍ତୁ ଜନ୍ତୁଭଳି ଦଶହାତ ଭୂଇଁରେ ସରହଦ ପାଖରେ ପଡ଼ୋଶୀକୁ ହାଣିଦେବା ପାଇଁ ଆମେ ଯେଉଁ ଫାର୍ଶା ଟେକିଧରୁ, ସେ ଜାବ ଟିକିଏ ହୁଗୁଳା କଲେ କେମିତି ହୁଅନ୍ତା ? ଅଭାବରେ ପଡ଼ି ଚୋରିକରିବା ଯଦି ଅପରାଧ ନହେଲା, ଅନ୍ତତଃ ନିର୍ଦ୍ଦୋଷ ଚାକର ଟୋକା ମୁଣ୍ଡରେ ସବୁ ଅଠା ବୋଳି ନିଜେ ସାଧୁ ହେବାର ଅଭିଳାଷଟାକୁ, ଖଂଜାଖଂଜି କରି ମିଛ ପାଚେରିଟିଏ ଟେକିବାର ପ୍ରୟାସଟାକୁ ଟିକିଏ ଛାଡ଼ିଦେଲେ କେମିତି ହୁଅନ୍ତା-

 

ହୁଅନ୍ତା ଯେ, ଖୁବ୍‌ ବଢ଼ିଆ ହୁଅନ୍ତା ! ଆମେ ନିଜେ ସବୁ ମିଠାଫଳ ଖାଇ ବାକି କଷାଯାକ ଖୁଆଇବାର ବିଚିତ୍ର ଆନନ୍ଦରୁ ନିଜକୁ ବଂଚିତ କରିବାକୁ ପଡ଼ନ୍ତା । କାରଣ ଆମର ଯୁକ୍ତି ହେଲା ଯେ ଆମେ ମନଇଚ୍ଛା ଆମକୁ ଯାହା ସୁହାଇଲା କରିବୁ, ଆମକୁ କେହି ବାରଣ କରିବେ ନାହିଁ; କିନ୍ତୁ ଫଳ ଭୋଗିଲାବେଳକୁ ଆପଣମାନେ ଅଛନ୍ତି । ସେତେବେଳେ ମଧ୍ୟ ଆମକୁ ଯାହା ସୁହାଇବ ଆମେ ସେଭଳି ଫଳ ବାଛିନେବୁ; ଆମକୁ କେହି ବାରଣ କରିବେନାହିଁ । ନିଜପାଇଁ ଏହାଠାରୁ ଚମତ୍କାର ଯୁକ୍ତି ଆଉ କ’ଣ ଥାଇପାରେ ? ଏଇଟା କିନ୍ତୁ ଏଇଠି ସମ୍ଭବ ନୁହେଁ । ଏ ସୃଷ୍ଟିର ନିୟମରେ ସମ୍ଭବ ନୁହେଁ ! ଏଇଠି ମଞ୍ଜିଟିଏ ପୋତିଲେ ଗଛଟିଏ ହେବ, କିନ୍ତୁ ଆମ୍ବଡ଼ା ପୋତିଲେ ଆମ୍ବ ହେବନାହିଁ । ବିଛୁଆତି ଗଛଟିଏ ଲଗାଇଦେଇ ମଧୁମାଳତି ଆଶା କରୁଥିବା ହିଁ ଆମ ଜୀବନର ବିଡ଼ମ୍ବନା । ପରିବାର ପୋଷିବାପାଇଁ ଡକାୟତି କରିବାକୁ କେହି ମନାକରୁନାହିଁ; କିନ୍ତୁ ମଣିଷ ମାରିବାର ଫଳ ରତ୍ନାକର ହିଁ ଭୋଗିବ, ଆଉ କେହି ନୁହେଁ; ଏପରିକି ପ୍ରତିପାଳିତ ପୁଅଝିଅ ମାଇପ ମଧ୍ୟ ନୁହନ୍ତି । ତେବେ ? ....ତେବେ ଆଉ କ’ଣ ? ଏ କାର୍ଯ୍ୟଟିଏ ଛାଡ଼, ନହେଲେ ତା’ର ଫଳ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ । ଅବହେଳାରେ ସୁଦ୍ଧା ଶୁଖିଲା ବଣରେ ନିଆଁ ଲଗେଇଦେଲେ ବହୁ ନିରୀହ ଜନ୍ତୁ ତ ପୋଡ଼ିଯିବେ; କଞ୍ଚା, ଜୀଅନ୍ତା ସହସ୍ରେ ଗଛ ଫଳ ଫୁଲ ସହିତ ପାଉଁଶ ହୋଇଯିବେ; କିନ୍ତୁ ସେଇ ବନାଗ୍ନି ଅତର୍କିତ ଆସି ଶେଷରେ ତୁମକୁ ଘେରିଯିବ ! ନିଆଁ ସବୁବେଳେ ନିଆଁ । ଖେଳିବାକୁ ମୁଁ ଆଙ୍ଗୁଠି ଦେଖେଇଥିଲି କହିଲେ ସେ ଛାଡ଼ିଦେବନାହିଁ । ଅବଶ୍ୟ ଝଲସେଇ ଦେବ । ସେହିପରି ପାଣି ସବୁବେଳେ ପାଣି; ଅର୍ଥାତ୍ ସେମାନଙ୍କର ସ୍ୱଧର୍ମ ଅବିଚଳିତ । ସେହିପରି ପ୍ରତ୍ୟେକ ମଣିଷର ଗୋଟାଏ ସ୍ୱଧର୍ମ ଅଛି ।

 

ସେଇଟା ପୁଣି କ’ଣ ? ସେଇଟା ଗୋଟାଏ ସୂତ୍ର । ଯେ କର୍ମ କ’ଣ ଜାଣିଛି, ସେ ଧର୍ମକୁ ମଧ୍ୟ ଜାଣିଛି; କିନ୍ତୁ ସ୍ମୃତିଶାସ୍ତ୍ରର ତାଲିକା ଯେତେ ଦୀର୍ଘ କଲେ ସୁଦ୍ଧା ସମସ୍ତଙ୍କ ପାଇଁ ସବୁକାଳର କର୍ମ ଏବଂ ଅକର୍ମ ନିର୍ଦ୍ଦିଷ୍ଟ ହୋଇପାରିବ ନାହିଁ । କର୍ମ କ’ଣ ଅକର୍ମ କ’ଣ, ଏଥିରେ ପରା ତ୍ରିକାଳଦ୍ରଷ୍ଟା ମଧ୍ୟ ବାଉଳା ହୋଇଛନ୍ତି । ଏଇଟା ଯେତେ ସହଜ ଦିଶେ, ପ୍ରକୃତରେ ସେତେ ସହଜ ନୁହେଁ । ଆମେ ପାଇଁ ଏଇଠି ଏବେ ଯାହା କର୍ମ, ହୁଏତ ଆଉଠାଏ, ଆଉ କେବେ ତାହା ଅକର୍ମ । ଏଣୁ ଜଣେ କହିଛନ୍ତି ଯେ ପାପ ଭୌଗୋଳିକ । ଅର୍ଥାତ୍‌ ସ୍ଥାନରୁ ସ୍ଥାନକୁ, କାଳରୁ କାଳକୁ, ଏପରିକି ବ୍ୟକ୍ତିରୁ ବ୍ୟକ୍ତିକୁ ତାହା ବଦଳୁଥାଏ । ଆମେ ସବୁ ଯଦି ଗୋଟିଏ ମହାଶୂନ୍ୟରେ ଏକା ଏକା ପହଁରୁଥା’ନ୍ତେ, ସେଇଠି କାର୍ଯ୍ୟକାରଣ ଆଉ ପ୍ରକାରେ ହୁଅନ୍ତା–ହୁଏତ ସରଳ, କିନ୍ତୁ ଖୁବ୍ ଗହୀର ହୁଅନ୍ତା । ଆମେ କିନ୍ତୁ ଆଉ ସହସ୍ରେ ସାଙ୍ଗେ ରହିଥିବାରୁ ଏଠି କର୍ମଟିଏ ଏତେ ଜଟିଳ ଏବଂ ଏତେ ଗୁରୁତ୍ୱପୂର୍ଣ୍ଣ । ଆମେ ପରସ୍ପରକୁ ପ୍ରଭାବିତ କରୁ । ଆମକୁ ଆମର ସାମୂହିକ ଇତିହାସ ପ୍ରଭାବିତ କରେ । ଆମ ପୂର୍ବପୁରୁଷମାନଙ୍କର ସମସ୍ତ କର୍ମ ଅକର୍ମ ଆମ ରକ୍ତପ୍ରବାହରେ ମିଶି ଆମକୁ ପ୍ରଭାବିତ କରୁଥାଏ । ଏକଦା ଲୋମଶ ବଣଜନ୍ତୁରୂପେ ବୁଲୁଥିବା ପ୍ରାଣୀମାନେ ଏବେ ମଧ୍ୟ ଆମ ମନଗହନ ଭିତରେ, ଆମ ଚେତନାରେ ବିଚରଣ କରୁଛନ୍ତି; ଆମକୁ ପ୍ରଭାବିତ କରୁଛନ୍ତି । ଏଣୁ ଆମେ ଯାହା କରୁ ସେଥିପାଇଁ କ’ଣ କେବଳ ଆମେ, ଏବଂ ନିଚ୍ଛକ ଭାବରେ ଆମେ ହିଁ ଦାୟୀ ? ଅତଏବ ତା’ର ଫଳଭୋଗ କରିବାକୁ କ’ଣ ଆମେ, ଏବଂ କେବଳ ଆମେ ହିଁ ଦାୟୀ ? —ଆଉ କେହି ନୁହେଁ ? ଯଦି ଆମେ କର୍ମଫଳ ହିଁ ଭୋଗୁଥାଉ, ଆମର ସୁଖ-ଦୁଃଖ ଯଦି କେବଳ ପରିଣାମ, ତେବେ କର୍ମ ଆରମ୍ଭ କରିନଥିବା ଅବୋଧ ଶିଶୁ କାହିଁକି ଉତ୍କଟ ମହାମାରୀ ରୋଗରେ ଚିତ୍କାର କରି କରି ମରିଯାଏ ? ଏବଂ କାହିଁକି ଆମ ଆଖି ଆଗରେ ଆପଣଙ୍କ ତାଲିକାଭୁକ୍ତ ଅସଂଖ୍ୟ ଅପକର୍ମ କରିଥିବା ବ୍ୟକ୍ତି ପରମ ଐଶ୍ୱର୍ଯ୍ୟରେ ଲୋଟି ଲୋଟି କୌଣସି ଯନ୍ତ୍ରଣା ଜାଣିବା ପୂବର୍ରୁ ଏ ଦେହ–ପଞ୍ଜୁରିରୁ ଚୁପ୍‌ଚାପ ଖସିଯାଇପାରେ ? —କେଉଁଠି ଆମ ଜୀବନର ଗୁପ୍ତଚିତ୍ର ବିଚାର କରବାକୁ ସେ ଚିତ୍ରଗୁପ୍ତ ମହାଶୟ ବସିଛନ୍ତି ?

 

ହୁଁ, ଆମେ ଅବଶ୍ୟ ମାନୁଛୁ ଯେ ମୋଟାମୋଟି ଆମକୁ ଏକାଠି ରହିବାକୁ ହେବ ଏବଂ ସେଥିପାଇଁ ଗୋଟାଏ ଆଚରଣ ପଦ୍ଧତି ପ୍ରୟୋଜନ ଅନୁସାରେ, ଯୁଗ ଅନୁସାରେ, ଦେଶ, ପରମ୍ପରା, ବିଶ୍ୱାସ ଅନୁସାରେ ମାନିନେବାକୁ ହେବ । ନହେଲେ ଏକାଠି ବଞ୍ଚିବା ତ ସମ୍ଭବ ହେବନାହିଁ, ଏକାଠି ମରିବା ମଧ୍ୟ ସମ୍ଭବ ହେବନି ।

Image

 

ଶାସନ-ଚିନ୍ତା

 

ଗଣତନ୍ତ୍ରରେ ଥାଇ ଗଣତନ୍ତ୍ରର ବିକଳ୍ପ ଚିନ୍ତା କରିବା ସକ୍ରେଟିସ୍‌ଙ୍କ ପାଇଁ ମଧ୍ୟ ନିରାପଦ ନୁହେଁ; କିନ୍ତୁ ସେ ଥିଲେ ସତ୍ୟଦ୍ରଷ୍ଟା ୠଷି ଏବଂ ସତ୍ୟକୁ ନିରାବରଣ ପ୍ରକାଶ କରିବା ତାଙ୍କର ଧର୍ମ । ଦ୍ୱିତୀୟରେ ରାଷ୍ଟ୍ରର ଆତ୍ମାପୁରୁଷ ସହିତ ସେ ଘନିଷ୍ଠ ଭାବରେ ପରିଚିତ ଥିଲେ ଏବଂ ତା’ର ପାଳନ ପାଇଁ ଶାସନତନ୍ତ୍ର ଅସମର୍ଥତା ତାଙ୍କୁ ବିଚଳିତ କରିଥିଲା । ସେ ଲକ୍ଷ୍ୟ କରିଥିଲେ ଯେ ଗୁଡ଼ିଏ ନୀତିହୀନ ପ୍ରଗଳ୍‌ଭ ବ୍ୟକ୍ତି ମିଥ୍ୟା ପ୍ରଚାର ସାହାଯ୍ୟରେ ଶାସନକ୍ଷମତାକୁ ଅଧିକାର କରିନେଇଛନ୍ତି-। ପ୍ରଶାସନ ବିଦ୍ୟା ଏବଂ ରାଷ୍ଟ୍ର ଚେତନାରେ ସଂପୂର୍ଣ୍ଣ ଅନଭିଜ୍ଞ ଥିବାରୁ ସେମାନେ ନିଜର ବାକ୍‌ପଟୁତାକୁ ଏକମାତ୍ର ଯୋଗ୍ୟତା ବୋଲି ଭାବିଛନ୍ତି ଏବଂ ଶାସନତନ୍ତ୍ରକୁ ଏକ ବିତର୍କ-ସଭାରେ ପରିଣତ କରିଛନ୍ତି । ବିତର୍କ-ସଭାର ପାଟିତୁଣ୍ଡ ଭିତରେ କୌଣସି ସୁଚିନ୍ତିତ କାର୍ଯ୍ୟ କରିହେବ ନାହିଁ କିମ୍ବା ସେଥିପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରିହେଉ ନାହିଁ । ପରିଷଦର କେହି କେହି ସଭ୍ୟ ବିଜ୍ଞ ହୋଇପାରନ୍ତି; କିନ୍ତୁ କେବଳ ସଂଖ୍ୟାଗରିଷ୍ଠ ମତ ହିଁ ଚୂଡ଼ାନ୍ତ ମତରୂପେ ଗୃହୀତ ହେଉଛି, ଏବଂ ଏହି ମତ ଅଧିକାଂଶ କ୍ଷେତ୍ରରେ ଭ୍ରାନ୍ତ ବୋଲି ଜଣାପଡ଼ୁଛି । ରାଷ୍ଟ୍ରର ସ୍ୱାର୍ଥ ଦୃଷ୍ଟିରୁ ସକ୍ରେଟିସ୍‌ ଏ ପ୍ରକାର ଶାସନ-ପଦ୍ଧତିର ଦୋଷତ୍ରୁଟି ନିର୍ଦ୍ଦେଶ କରି ତା’ର ବିକଳ୍ପ ଚିନ୍ତା କରିଥିଲେ ।

 

କିନ୍ତୁ ସକ୍ରେଟିସ୍‌ ଏବଂ ତାଙ୍କର ଧୀମାନ ଶିଷ୍ୟ ପ୍ଳାଟୋଙ୍କର ସମସ୍ତ ବିଜ୍ଞତା ସତ୍ତ୍ୱେ ପୃଥିବୀରେ କାଳକ୍ରମେ ଗଣତନ୍ତ୍ର ହିଁ ଏକାମାତ୍ର ପଦ୍ଧତିରୂପେ ସ୍ୱୀକୃତି ଲାଭ କଲା । ମଣିଷର ମୌଳିକ ସ୍ୱାଧୀନ ଚେତନାରୁ ଏହା ଜନ୍ମଲାଭ କରିଛି । କୌଣସି ବ୍ୟକ୍ତି ଆଉ କାହା ଦ୍ୱାରା ଶାସିତ ହେବାକୁ ଚାହେଁ ନାହିଁ; ଅଥଚ ଉଚ୍ଛୃଙ୍ଖଳ କିମ୍ବା ଅଣଶାସିତ ହେବାକୁ ଚାହେଁ ନାହିଁ । ସେ ସ୍ୱୟଂ-ଶାସିତ ହେବାକୁ ଚାହେଁ । ନିଜେ ନିଜକୁ ନିୟନ୍ତ୍ରିତ କରିବାକୁ ଚାହେଁ । ନୈତିକ କିମ୍ବା ଆଧ୍ୟାତ୍ମିକ କ୍ଷେତ୍ରରେ ଏହା ସମ୍ଭବ ଯେଉଁଠି ବ୍ୟକ୍ତି ଅନେକ ପରିମାଣରେ ସ୍ୱତନ୍ତ୍ର ଅସଂପୃକ୍ତ ଏବଂ ଏକାକୀ; କିନ୍ତୁ କୌଣସି ସମାଜର ସଭ୍ୟରୂପେ ଏବଂ ରାଷ୍ଟ୍ରର ନାଗରିକରୂପେ ସେ ସେଭଳି ନିରୋଳା ସ୍ୱାତନ୍ତ୍ର୍ୟ ପାଇପାରିବ ନାହିଁ । ସେଇଠି ସେ ଅନ୍ୟମାନଙ୍କୁ ନେଇ ଏକାଠି ବଞ୍ଚିବାକୁ ବାଧ୍ୟ । ଏହି ବାଧ୍ୟତା ହିଁ ଶାସନ । ଏଥିରେ ତା’ର ଆଚରଣ, ଅଧିକାର, ଦାୟିତ୍ୱ ନିଦ୍ଧାରିତ ହୁଏ । ସେ ଏକାକୀ ସ୍ୱତନ୍ତ୍ର; ସେଇଟା ତାର ଅଧିକାର । ଏକତ୍ର ସେ ଶୃଙ୍ଖଳିତ ସହନଶୀଳ, ସେଇଟା ତାର ଦାୟିତ୍ୱ । ଏ ଯୁଗ୍ମ-ଭୂମିକୁ ସନ୍ତୁଳିତ କରି ସ୍ୱୟଂଶାସିତ ହେବାକୁ ହେଲେ ପ୍ରତିନିଧି ମାଧ୍ୟମରେ ଶାସିତ ହେବା ଅନିବାର୍ଯ୍ୟ । ସେଇ କାରଣରୁ ଗଣତନ୍ତ୍ର ପଦ୍ଧତି ମଧ୍ୟ ଅନିବାର୍ଯ୍ୟ । ଅନ୍ୟ କୌଣସି ବିକଳ୍ପ ମାଧ୍ୟମରେ ସାଧାରଣ ନାଗରିକ ବ୍ୟକ୍ତି-ସମ୍ମାନ ଏଭଳି ସଂରକ୍ଷିତ ହେବା ସମ୍ଭବ ନୁହେଁ । ଏହାର ଅଧିକାଂଶ ତ୍ରୁଟି ପ୍ରୟୋଗରେ; ପଦ୍ଧତିରେ ନୁହେଁ । ୟାର ଅସଫଳତା ପାଇଁ ସମସ୍ୟାର ବହୁଳତା ଦାୟୀ; ଅପାରଗତା ନୁହେଁ ।

 

ତଥାପି ଅପାରଗତା ଏବଂ ତ୍ରୁଟି ନିଶ୍ଚୟ ରହୁଛି । କାରଣ ଏ ପଦ୍ଧତିରେ ନିର୍ବାଚିତ ପ୍ରତିନିଧି ଏକ ଜଟିଳ ବ୍ୟକ୍ତିତ୍ୱ । ସେ ପ୍ରକୃତିରେ କାହାର ପ୍ରତିନିଧି ? ନିର୍ବାଚନମଣ୍ଡଳୀର ନିର୍ଦ୍ଦିଷ୍ଟ ଦଳର ? ଦେଶର ? ନା ଏକକ ମତଦାତାର ? ନା ଏ ସମସ୍ତଙ୍କର ? ନା ସେହି କାରଣରୁ କାହାରି ନୁହେଁ ? ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତି ମତଦାନ କରନ୍ତି ନାହିଁ । ଯେଉଁମାନେ କରନ୍ତି, ସେମାନଙ୍କ ଭିତରୁ ସମସ୍ତେ କୌଣସି ଜଣେମାତ୍ର ପ୍ରତିନିଧିକୁ ସମର୍ଥନ କରନ୍ତି ନାହିଁ । ଦଳୀୟ ବିଚାରରେ ବ୍ୟକ୍ତିର ଯୋଗ୍ୟତା ଅନ୍ୟପ୍ରକାର । ଦେଶ ଏବଂ ରାଷ୍ଟ୍ର ବହୁ ଦୂରରେ ଅପେକ୍ଷା କରି ରହିଥିବା ପରିବ୍ୟାପ୍ତ ସୂକ୍ଷ୍ମ ସତ୍ତା ! ଏକକ ମତଦାତା ଏବଂ ମତଗ୍ରହୀତା ଅଧିକାଂଶ କ୍ଷେତ୍ରରେ ପରସ୍ପର ସକାଶେ ସମ୍ପୂର୍ଣ୍ଣ ଅପରିଚିତ । ଏଣୁ ସାଧାରଣତଃ ଏ ପଦ୍ଧତିର ପ୍ରତିନିଧି କାହାରି ସମସ୍ୟା ବା ସ୍ୱାର୍ଥ ପାଇଁ ଦାୟୀ ନୁହେଁ; କାରଣ ସେ ବିଷୟରେ ସେ ସଚେତନ ନୁହେଁ । ସେ କେବଳ ଦଳୀୟ ମତ ଏବଂ ସ୍ୱାର୍ଥ ବିଷୟରେ ସଚେତନ; ହୁଏତ ବେଳେବେଳେ ନିଜର ବ୍ୟକ୍ତଗତ ବିଶ୍ୱାସ ବିଷୟରେ ମଧ୍ୟ ସଚେତନ । ଏଣୁ ଗଣତନ୍ତ୍ର ପଦ୍ଧତିରେ ରାଜନୀତି ମୁଖ୍ୟତଃ ଦଳୀୟ ରାଜନୀତି ହେବା ଏକପ୍ରକାର ଅନିବାର୍ଯ୍ୟ ।

 

ଏକଚ୍ଛତ୍ର ଶାସନର ସ୍ୱରୂପ

 

ଏକଚ୍ଛତ୍ର ଶାସନରେ କେବଳ ଜଣେ ବ୍ୟକ୍ତି ସମଗ୍ର ଦେଶ ପାଇଁ ନିଷ୍ପତ୍ତି ଗ୍ରହଣ କରେ । ପ୍ରକୃତିରେ କିନ୍ତୁ ତା’ର ଆତ୍ମୀୟସ୍ୱଜନ ଏବଂ ବଚସ୍କର ଭୃତ୍ୟମାନେ ମିଶି ଗୋଟିଏ ଦଳ ଗଠନ କରିଥାନ୍ତି ଏବଂ ବସ୍ତୁତଃ ଏହି ଦଳ ହିଁ ଶାସନ କରିଥାଏ । ଛତ୍ରପତିଙ୍କ ଇଚ୍ଛା, ତାଙ୍କର ବିଶ୍ୱାସ ଏବଂ ବ୍ୟକ୍ତିତ୍ୱ ଶାସନରେ ପ୍ରତିଫଳିତ ହେଉଥାଏ । ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ନହେଲେ ସୁଦ୍ଧା ସମସ୍ତ ପ୍ରକାର ଭିନ୍ନ ମତ ଏବଂ ବିଶ୍ୱାସକୁ ଅପ୍ରକଟିତ ରଖାଯାଏ । ଭିନ୍ନ ମତ ପ୍ରକାଶ କରିବା ରାଜଦ୍ରୋହ ଅପରାଧ । ଶାସକଗୋଷ୍ଠୀ ଏ ପ୍ରକାର ବିରୋଧ ଦମନ କରିବାକୁ ସଦା ତତ୍ପର । ଗଣତନ୍ତ୍ରରେ କିନ୍ତୁ ସବୁପ୍ରକାର ରାଜନୈତିକ ମତବାଦର ସହାବସ୍ଥାନ ସମ୍ଭବ । ମତବାଦ କେବଳ ବିଶ୍ୱାସ ପର୍ଯ୍ୟାୟରେ ରହିଲେ ତା’ର ତଥ୍ୟଗତ ମୂଲ୍ୟ ଥାଇପାରେ; କିନ୍ତୁ ପ୍ରୟୋଗ ନ ହେବାଯାଏ ତା’ର କାର୍ଯ୍ୟକାରିତା ପ୍ରମାଣିତ ହୋଇପାରେ ନାହିଁ । ଏଣୁ ପ୍ରତ୍ୟେକ ମତବାଦୀ ଦଳ ଶାସନ କ୍ଷେତ୍ରକୁ ଅଧିକାର କରିବାକୁ ଅନ୍ୟ ସହିତ ପ୍ରତିସ୍ପର୍ଦ୍ଧା କରେ । ସହାବସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଏ । ରାଜନୈତିକ ପ୍ରତିଦ୍ୱନ୍ଦିତା ଏକପ୍ରକାର ରାଜ୍ୟପ୍ରାପ୍ତିର ଯୁଦ୍ଧ । ମଧ୍ୟଯୁଗରେ ସିଂହାସନ ପାଇଁ ସଂଗ୍ରାମ ହେଲାଭଳି ଏହା ଏକ ଶକ୍ତି ସଂଘର୍ଷ । ଏଥିରେ ହୁଏତ ରକ୍ତପାତ ଏବଂ ହତ୍ୟା ଉପରେ ସେଭଳି ଗୁରୁତ୍ୱ ଦିଆଯାଏନାହିଁ; କିନ୍ତୁ ଯୁଦ୍ଧକାଳୀନ ସମସ୍ତ ପ୍ରକାର କୂଟନୀତି, ଗୁପ୍ତଚାରଣ, ପ୍ରଚାର ଏବଂ ପ୍ରତିପ୍ରଚାର ଆଦି ଅବାଧ ପ୍ରୟୋଗ କରାଯାଏ । ରାଜ୍ୟ ସଂଗ୍ରହ କିମ୍ବା ଅର୍ଥ ସଂଗ୍ରହପରି ମତ ସଂଗ୍ରହ କରାଯାଏ ଏବଂ ଏ କ୍ଷେତ୍ରରେ ମଧ୍ୟ ଶକ୍ତି ଓ ସଫଳତା ପରିମାଣଗତ ।

 

ପ୍ରତ୍ୟେକ ଦଳ ଏକ ନିର୍ଦ୍ଦିଷ୍ଟ ମତବାଦକୁ କେନ୍ଦ୍ରକରି ଗଢ଼ିଉଠିଥାଏ; କିନ୍ତୁ ମତବାଦର ପ୍ରତିଷ୍ଠାତା ଜଣେ ବ୍ୟକ୍ତି ହୋଇଥିବାରୁ ଦଳ ବ୍ୟକ୍ତିକୈନ୍ଦ୍ରିକ ହେବାର ଦେଖାଯାଏ । ଏଭଳି ବ୍ୟତିକ୍ରମକୁ ନିୟମ ବୋଲି ଭାବି ଜଣେ ଜଣେ ନେତା ଗୋଟିଏ ଗୋଟିଏ ଦଳ ସୃଷ୍ଟିକରନ୍ତି; ପ୍ରୟୋଜନ ହେଲେ ପରେ କୌଣସି ଗୋଟିଏ ନୀତିର ବୟାନ କରିଦିଆଯାଏ । ଫଳତଃ ଅସଂଖ୍ୟ ଦଳ ନୀତିହୀନ ଭାବେ ସୃଷ୍ଟି ହୋଇଯାଏ । ସମସ୍ତଙ୍କର ଲକ୍ଷ୍ୟ କେବଳ ଶାସନକୁ ଅଧିକାର କରିବା-। ଦେଶ ଏବଂ ଦେଶବାସୀଙ୍କର ସେବା କରିବେ ବୋଲି ପ୍ରତ୍ୟେକ ଦଳ ପ୍ରଚାର କରିବାକୁ ଭୁଲନ୍ତି ନାହିଁ; କିନ୍ତୁ ଶାସନ ଯେ କେବଳ ସେବା ନୁହେଁ ଏବଂ ଲଢ଼ୁଥିବା ଦଳଗୁଡ଼ିକର ଉଦ୍ଦେଶ୍ୟ ଯେ ସେଭଳି କିଛି ମହତ୍‌ ନୁହେଁ, ଏକଥା ସମସ୍ତେ ଜାଣିନ୍ତି । ଶାସକର ଭାବମୂର୍ତ୍ତି ଏବେ ସୁଦ୍ଧା ସେଇ ମଧ୍ୟଯୁଗୀୟ କ୍ଷମତା, ପ୍ରତିପତ୍ତି, ବୈଭବ ଏବଂ ବିଳାସର ଲୋଭନୀୟ ଜ୍ୟୋତିବଳୟରେ ଆବୃତ୍ତ ହୋଇ ରହିଛି । ଶାସନ କହିଲେ ଏବେ ମଧ୍ୟ ରାଜତ୍ୱକୁ ହିଁ ବୁଝାଏ । ବହୁକାଳରୁ ଶାସିତର ଶୋଣିତରେ ଶାସକର ଅଧିକାରକୁ ଭୋଗ କରିବାର ସ୍ୱପ୍ନ ଜଡ଼ିତ ହୋଇ ରହିଛି । ଦଳୀୟ ଶାସନରେ ତାହା କେତେକାଂଶରେ ଚରିତାର୍ଥ ହୁଏ । ଶାସକର ଚାରିଆଡ଼େ ଭାଟବନ୍ଦନା, ସମ୍ଭ୍ରମ, ସମ୍ମାନ, ଫୁଲମାଳ ଏବଂ ଜୟଜୟକାର ସେଇ ମଧ୍ୟଯୁଗୀୟ ରାଜୋପଚାରର ଛାୟା ମାତ୍ର ।

 

ଏହି ପ୍ରକାର ଚିନ୍ତାଧାରାରୁ ସଂପୂର୍ଣ୍ଣ ମୁକ୍ତ ହେବା ପୂର୍ବରୁ ଯେଉଁମାନେ ଗଣତାନ୍ତ୍ରିକ ଶାସନର ଗୁରୁଦାୟିତ୍ୱ ବହନକରନ୍ତି, ସେମାନେ ସ୍ୱତଃ ନିଜର ସ୍ୱାର୍ଥ ପାଇଁ କ୍ଷମତାର ଅପବ୍ୟବହାର କରିବାକୁ ପ୍ରଲୁବ୍‌ଧ ହେବେ । ସ୍ୱତଃ ଅନ୍ୟ ଦଳ ପ୍ରତି ଅସହନଶୀଳ ହେବେ, ରାଷ୍ଟ୍ରର ଜନସାଧାରଣଙ୍କୁ ପ୍ରଜା ଜ୍ଞାନ କରି ଦୟା ବିତରଣ କରିବେ, ଏଥିରେ ସନ୍ଦେହ ନାହିଁ । ଯଦି ପରିଶେଷରେ ବ୍ୟବସାୟଗତ ପ୍ରୟୋଜନ ଦୃଷ୍ଟିରୁ ମାତ୍ର ଦୁଇଟି ଦଳ ଏହି ପ୍ରକାର ମନୋବୃତ୍ତିରେ ଦେଶର ରାଜନୈତିକ ଜୀବନକୁ ଅଧିକାର କରନ୍ତି ଏବଂ ପ୍ରତ୍ୟେକ କିଛି କାଳ ସୁଖ–ସମ୍ଭୋଗ କରି କ୍ଷୁଧା ନିବୃତ୍ତ କରିବାକୁ ସେମାନଙ୍କର ବୁଝାମଣା ହୋଇଯାଏ, ତେବେ ଗଣତନ୍ତ୍ର ପରିବର୍ତ୍ତେ ଏକ ଗର୍ହିତ ଧରଣର ଏକଚ୍ଛତ୍ରବାଦର ପ୍ରତିଷ୍ଠା ହୋଇଯିବ । କୌଣସି ଗିରିସଙ୍କଟ ଉପରେ ଧନ ଜୀବନ ଲୁଣ୍ଠନ କରିବାକୁ ଦୁଇଟି ଭଳି ସେମାନେ ପରସ୍ପରର ପରିପୋଷକ ହୋଇଯିବେ । ବିରୋଧୀଦଳ ତାର ଗଣତାନ୍ତ୍ରିକ ଦାୟିତ୍ୱ ଭୁଲିଯାଇ ଶାସକର ଉଚ୍ଛୃଙ୍ଖଳତା ପାଇଁ ଲଗାମ ହେବା ପରିବର୍ତ୍ତେ କେବଳ ନିଜର ସୁଯୋଗକୁ କ୍ଷୁଧାର୍ତ୍ତ ହୋଇ ଅପେକ୍ଷା କରି ବସିରହିବ । ଏହା ଗଣତନ୍ତ୍ର ଶାସନପଦ୍ଧତିର ସବୁଠାରୁ ବିକଟ ରୂପ ।

Image

 

ଶାସନ ରାଜତ୍ୱ ନୁହେଁ

 

ଶାସନକୁ ରାଜତ୍ୱ ବୋଲି ମଣୁଥିବାଯାଏ ରାଜନୀତିରୁ ସୀମିତ ସ୍ୱାର୍ଥର ଆମିଷ ଗନ୍ଧ ଦୂର ହେବାନାହିଁ । କ୍ଷମତା ପାଇଁ ଲଢ଼ୁଥିବାଯାଏ ପରସ୍ପର କୁତ୍ସା ହିଁ ଏକମାତ୍ର ରାଜନୀତି, ଶଠତା ହିଁ ଏକମାତ୍ର କୌଶଳ, ଲାଭ ହିଁ ଏକମାତ୍ର ଶୁଭ ବୋଲି ଗୃହୀତ ହେବା ସ୍ୱାଭାବିକ । ରାଜନୀତିରୁ ନୈତିକତା ସଂପୂର୍ଣ୍ଣ ବିଦାୟ ନେଇଯିବା କିଛି ବିଚିତ୍ର କଥା ନୁହେଁ । ଏଣୁ ଏଭଳି ସାଂଘାତିକ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ନ ହେଲେ ଦେଶର ମଙ୍ଗଳ ହେବ କିପରି ? କିଏ ଚିନ୍ତା କରିବ ଦେଶର ସାମୂହିକ ସ୍ୱାର୍ଥ ବିଷୟରେ ? କିଏ ଉଦ୍ଧାର କରିବ ଏ ଜାତିକୁ ଭୟାବହ ସଂକଟରୁ ?

 

ଯେଉଁ ଦେଶରେ ବିକଟ ଦାରିଦ୍ର୍ୟ, ଖାଦ୍ୟାଭାବ, ଅନଟନ, ନିରକ୍ଷରତା ଚତୁର୍ଦ୍ଦିଗ ଆଚ୍ଛନ୍ନକରି ରଖିଛି, ସେ ଦେଶରେ ଶାସନ ରାଜତ୍ୱ ବିଳାସ ନୁହେଁ, କିମ୍ବା ରାଜନୀତି ଜୁଆଖେଳ ନୁହେଁ । ବନ୍ୟାଗ୍ରସ୍ତ ଅଞ୍ଚଳରେ ବିପନ୍ନ ଧନ ଜୀବନକୁ ରକ୍ଷାକରିବାକୁ ଯଦି କେହି ବ୍ରତ ବୋଲି ଗ୍ରହଣ କରିଥା’ନ୍ତି, ସେ କରାଳ ବିଭୀଷିକା ପାଖରେ ଛୋଟ ଛୋଟ ଡଙ୍ଗାନେଇ ପହଞ୍ଚନ୍ତି, ସେଇଠି ପ୍ରତିଦ୍ୱନ୍ଦିତା ନିତାନ୍ତ ଅଶୋଭନୀୟ । ସହଯୋଗିତା ନ ହେଲେ ସୁଦ୍ଧା, ଅନ୍ତତଃ ଗୋଟାଏ ଲକ୍ଷ୍ୟରେ ପ୍ରତିଯୋଗିତା ସେମାନଙ୍କଠାରୁ ଆଶ କରାଯାଇପାରେ । ସେଇଠି କ’ଣ କେବେ ହେଲେ କଳ୍ପନା କରାଯାଇପାରେ ଯେ ବିପନ୍ନ ଲୋକଙ୍କର ଅସହାୟତାର ସୁଯୋଗ ନେଇ, ଜଳଦସ୍ୟୁଭଳି ସେମାନଙ୍କୁ ଦଳ ଦଳ ହୋଇ ଲୁଣ୍ଠନ କରାଯାଉ ! ଲୁଣ୍ଠନର ସୁବିଧା ସେମାନଙ୍କର ଅବସ୍ଥାର ପରିବର୍ତ୍ତନ ନ କରି, ତାଙ୍କୁ ସେଇ ପାଣିଘେର ଭିତରେ ରଖିବାର ଚେଷ୍ଟା କରାଯାଉ !

 

ଦେଶ ବର୍ତ୍ତମାନ ଏହିପରି ସଙ୍କଟରେ ପଡ଼ିଛି । ଏହା ଅନୁଭବ କରିପାରିଲେ ଆଧ୍ୟାତ୍ମିକ ପୀଡ଼ା ଜାଗ୍ରତ ହେବ, ଚେତନାର ବିସ୍ତାର ଘଟିବ । ଲୋକପ୍ରତିନିଧି ଆଖିରୁ ପରଳ ଖସିପଡ଼ିବ । ସେ ଅବଶ୍ୟ ଜାତୀୟ ଜୀବନର ବିପୁଳ ପ୍ରସାର ଭିତରେ ନିଜକୁ ଖୋଜି ପାଇବନାହିଁ ! ଶାସନର ଗୁରୁଦାୟିତ୍ୱ ଚାପ ସେ ଅନୁଭବ କରିପାରିବ । ଅସଂଖ୍ୟ ସମସ୍ୟାରେ ସମାକୀର୍ଣ୍ଣ ଏ ବିରାଟ ଦେଶକୁ ଶାସନକରିବା କିଛି ପିଲାଖେଳ ନୁହେଁ । ସେଥପାଇଁ ଯୋଗ୍ୟତା ଅର୍ଜନ କରିବାକୁ ହେବ । ରାଜନୀତି ବୃତ୍ତି ନୁହେଁ । ରାଜନୀତି ଏ ଦୃଷ୍ଟିରୁ ଏକ ସାଧନା । ଉଦାର, ସହନଶୀଳ, ତ୍ୟାଗୀ, ତପସ୍ୱୀର ସାଧନା । ନିଜର ଚରିତ୍ର ଶୋଧନପରେ ଯଥେଷ୍ଟ ଶରୀର ଏ ମନର ଶକ୍ତି ସଞ୍ଚୟପରେ, ନିଜକୁ, ନିଜ ସାମର୍ଥ୍ୟକୁ, ଦେଶକୁ ଏବଂ ତା’ର ବିସ୍ତାରକୁ ସଂପୂର୍ଣ୍ଣ ବୁଝିସାରିବା ପରେ, ଅନ୍ୟକୁ ସମାନ ଅଧିକାରୀ ସହଯୋଗୀ ବୋଲି ଗ୍ରହଣ କଲାପରେ, ଅନ୍ୟଦଳ ଏବଂ ନୀତିକୁ ସମ୍ମାନଦେଇ ଶିଖିଲାପରେ, ଜଣେ ରାଜନୀତିକୁ ବ୍ରତରୂପେ ଗ୍ରହଣ କରିପାରେ । ଦେଶନିଷ୍ଠା ଚେତନାରେ ରାଜନୀତି ମଙ୍ଗଳମୟ, ନଚେତ୍‌ ବିଧାନରେ, ଏହା ଜୁଆଖେଳ କିମ୍ବା ନିଆଁଖେଳ ଭଳି ବିପଜ୍ଜନକ ।

Image

 

ରଚନା ସଂପର୍କରେ

(୧)

 

ଆପଣମାନଙ୍କର ପରିଚିତ କୌଣସି ସଂଜ୍ଞାରେ ସିଧା ସଳଖ ପଡ଼ିପାରୁ ନ ଥିବାରୁ, ଏ ପ୍ରକାର ନିବନ୍ଧକୁ ଆପଣ ଅପାଙ୍‌କ୍ତେୟ କହିବା ପରିବର୍ତ୍ତେ ‘ରମ୍ୟ ରଚନା’ କହିଥା’ନ୍ତି । କୌଣସି କାରଣରୁ ଏ ଗୁଡ଼ିକ ଆପଣଙ୍କପାଇଁ ‘ରମ୍ୟ’ ବିବେଚିତ ହେଉଥାଇପାରେ; କିନ୍ତୁ ପ୍ରକୃତରେ ଏ ଗୁଡ଼ିକ କେବଳ ‘ରଚନା’ ।

 

ରଚନା କରିବା କବିର ଧର୍ମ । ସେଥିରେ ସେ ଅବାଧ ସୃଷ୍ଟି କରିବାକୁ ଚାହେଁ । ସୃଜନଧର୍ମୀ ରଚନାରେ ଢେର୍‌ ସ୍ୱାଧୀନତା, ବିଭିନ୍ନ ପ୍ରକାର ପରୀକ୍ଷା କରିବାପାଇଁ ଅନେକ ଅବକାଶ-! ଇଂରେଜୀରେ Essay କହିଲେ ଯାହା ବୁଝାଏ, ଯେତିକି ପରିମାଣରେ ଲେଖକ ମନର ସାବଲୀଳତା ସ୍ୱୀକାର କରେ, ବିଷୟବସ୍ତୁ ପାଇଁ ଯେମିତି ସେଥିରେ ବାଗ-ଲଗାମ କିଛି ନାହିଁ, ‘ପିମ୍ପୁଡ଼ି’ ଠାରୁ ‘ଚକ୍‌’ ଖଡ଼ି’ ପର୍ଯ୍ୟନ୍ତ, ‘ଟୋପି ପଛରେ ଧାଇଁବା’ ଠାରୁ ‘ଖାଦ୍ୟ ସମସ୍ୟା’ ପର୍ଯ୍ୟନ୍ତ, ସୁଚିନ୍ତିତ ରଚନାପାଇଁ ଏକ ଉଦାର କ୍ଷେତ୍ରରୁ ଯେପରି ବାଡ଼ବନ୍ଧ ଟେକି ନିଆଯାଏ, ସେପରି ଏ ରଚନାଗୁଡ଼ିକ !

 

ମନ ରଞ୍ଜେଇବା ଏହାର ଉଦ୍ଦେଶ୍ୟ ନୁହେ; ଆଉ ମଧ୍ୟ ଉଦ୍ଦେଶ୍ୟ ନୁହେ ଭାରି ଗମ୍ଭୀର ମୁଦ୍ରାରେ ନାକ, ଆଖି ଚିପି କେବଳ ପ୍ରଣବ ମାଧ୍ୟମରେ ନିଛକ ଜ୍ଞାନ ପିଆଇବା । *‘ରସେଲ୍‌’ ଙ୍କ ଭଳି ବହୁ ଜ୍ଞାନିଲୋକଙ୍କୁ ଆଖି ମିଟିକା ମାରି ବେଶ୍‌ ବଡ଼ବଡ଼ କଥା କହିବାର ଯେ ଶୁଣିଛି, ତା’ର ବଳେ ବିଶ୍ୱାସ ଜମି ଯିବ ଯେ ଜ୍ଞାନପାଇଁ ଏତେ ଗମ୍ଭୀର ମୁଦ୍ରାର ପ୍ରୟୋଜନ ନାହିଁ । ଅତଏବ ନିଷ୍ଠାର ସହିତ ଜୀବନର ବିଭିନ୍ନ ବିଭାବକୁ ମିଞ୍ଜେଇ ଅନୁଭବ କଲାବେଳେ ଯଦି କେତେବେଳେ କିଛି ଦିଶିଗଲା, ତାକୁ ନିଜ ଭଂଗୀରେ ଖଣ୍ଡିଏ ‘ରଚନା’ ଆକାରରେ ଗ୍ରାହକ ପାଠକ ପାଖରେ ପହଞ୍ଚେଇ ହେଲେ କ୍ଷତି କ’ଣ ?

 

* ବିଭିନ୍ନ ସଂକଳନରେ ମୁଖବନ୍ଧ ରୂପେ ପ୍ରକାଶ ପାଇଥିବା ।

 

ବ୍ୟାସ, ବାଲ୍ମିକୀ, ସାରଳା, ଜଗନ୍ନାଥ ଯେଉଁ ସାହିତ୍ୟର ପରଂପରା ସେଥିରେ କ’ଣ ଗୋଟାଏ ସଂପୂର୍ଣ୍ଣ ନୂଆ କଥା କହିଦେବି, ସେ ଧୃଷ୍ଟତା ମୋର ନାହିଁ; କିନ୍ତୁ ଜୀବନ ଜାହ୍ନବୀରେ ଐରାବତ ସ୍ନାତକରି ଚାଲିଗଲା ପରେ ସ୍ରୋତ ସରିଯାଏ ନାହିଁ ଏବଂ ପିମ୍ପୁଡ଼ିଟିଏ ମଧ୍ୟ ତା’ ଶକ୍ତି ଅନୁସାରେ ସେଥିରେ କିଛିବାଟ ପହଁରିଯିବାପାଇଁ ନୂତନ ସମ୍ଭାବନା ଥାଏ । ବ୍ୟାସେ ଯାହା ଦେଖିଛନ୍ତି, ହୁଏତ’ ମଣିଷ ଜନ୍ମର କେହି ସେତେ ଦେଖିବନାହିଁ । ତଥାପି ପୁରୁଣାକୁ ମଧ୍ୟ ନୂଆ ଭଂଗୀରେ ଦେଖା ଯାଇପାରେ । ବେଳେ ବେଳେ ଏ ଅନନ୍ତ ଧାରାରେ ସଂପୂର୍ଣ୍ଣ ନୂଆଟାଏ ମଧ୍ୟ ଆସିନଯିବ ଏପରି ନୁହେଁ । ପାହାଡ଼ ଦେହରେ ଲଟେଇଥିବା କୁନ୍ଦଲଇ ମୂଳରେ କାଲିର ଫୁଲଯାକ ଆଉରି ମଉଳି ନାହିଁ; କିନ୍ତୁ ତା’ର ଚୂଳେ ଚୂଳେ ନୂଆ କଢ଼ ସବୁ ପାଖୁଡ଼ାମେଲି ଆସୁଛନ୍ତି । ଦେଖିବାକୁ ଅବିକଳ ସେମିତି; କିନ୍ତୁ ଏ ଫୁଲ କ’ଣ ସେଇ ଫୁଲ ? ଫୁଲର ଆଉ ଅନେକ ଗୁଣପରି ଗୋଟିଏ ଗୁଣ ହେଲା, ଆମ ମନ ଭିତରେ ଫୁଲ ଫୁଟେଇବା । ଚିନ୍ତାର ଗୁଣ ହେଲା, ପାଠକର ଚିନ୍ତା କେନ୍ଦ୍ରକୁ ଆଲୋଡ଼ିତ କରିବା । ସମୟ ସମୟରେ ସଂପୂର୍ଣ୍ଣ ମୁହ୍ୟମାନ କରିବାର ଶକ୍ତି ମଧ୍ୟ ତା’ର ଅଛି । ସେଥିପାଇଁ କିନ୍ତୁ ଉପନିଷଦ୍‌ର ‘ଆରଣ୍ୟକ’ ବିପୁଳତାର ପ୍ରୟୋଜନ ! ଗୋଟିଏ କୁନ୍ଦଲଇ ଠାରୁ ସେତକ ଆଶା ନ କଲେ ଚଳନ୍ତା !

 

ବିଷୟ ବସ୍ତୁ ଉପରେ ବିଭିନ୍ନ ଚିନ୍ତାର ତୋରଣ ଟେକିବା ଅବଶ୍ୟ ଅନିବାର୍ଯ୍ୟ; କିନ୍ତୁ ତାହା ସଂପୂର୍ଣ୍ଣ ନୈବୈର୍କ୍ତିକ ହେବା କ’ଣ ସେଭଳି ଅନିବାର୍ଯ୍ୟ ? ନୈବୈର୍କ୍ତିକ ହେବା ଅନେକଙ୍କ ମତରେ ପ୍ରକୃତ ସତ୍ୟଦ୍ରଷ୍ଟାର କାମ । ସେ ସବୁ କଥା ସ୍ଥିର ଭାବରେ ବୁଝିଯାଇଥାଏ । ତା’ର ଆଉ ଗୋଳମାଳ କିଛି ନାହିଁ । ଏଣୁ ଅସଂପୃକ୍ତଦ୍ରଷ୍ଟା ରୂପେ ସେ ଦୂରରୁ ରହି କଥାଟାକୁ ଦେଖେ ବା କହେ-। ଟିକିଏ ବିଚାରକଲେ ଜଣାଯାଉଛି, ସତେ ବା ଏଇଟା ଗୋଟାଏ ଠାଣି ମାତ୍ର । କୌଣସି ପ୍ରକାଶିତ ବା ଭାଷାରେ ରୂପାୟିତ ସତ୍ୟ କ’ଣ କେବେ ନୈବୈର୍କ୍ତିକ ହୋଇପାରେ ? ନିଜକୁ ବିଷୟ ସହିତ ସଂଶ୍ଳିଷ୍ଟ ନ କଲା ପର୍ଯ୍ୟନ୍ତ ତା’ ଭିତରେ ନିଜ ପ୍ରାଣ ର ପ୍ରତିଷ୍ଠା ନ କଲା ପର୍ଯ୍ୟନ୍ତ ସେ କ’ଣ କେବେ ପ୍ରାଣବନ୍ତ ହୁଏ ? ଯେ ସଂପୂର୍ଣ୍ଣ ନୈବୈର୍କ୍ତିକ, ଅସଂଯୁକ୍ତ ଦ୍ରଷ୍ଟା, ସେ ଅବିକ୍ରିୟ; ନିଜକୁ ପ୍ରକାଶ କରିବାର ଜ୍ୱାଳାରୁ ମୁକ୍ତ । ଏଣୁ ସେପରି ‘ବ୍ରହ୍ମ ହୋଇ ଯାଇଥିବା ବ୍ରହ୍ମବିଦ୍‌’ କୁ ନେଇ ସାହିତ୍ୟ କ’ଣ କରିବ ?

 

ଆମେ କହୁ ହୋମର୍‌, ବାଲ୍ମୀକୀ, ସେକ୍‌ସ୍‌ପିଅର ଆଦିଙ୍କର କୃତି ସବୁ ନୈବୈର୍କ୍ତିକ, କାହିଁକି ନା ତାଙ୍କର ବ୍ୟକ୍ତିଗତ କୌଣସି ଗୋଟିକିଆ ମତକୁ ଟିପ ମଡ଼େଇ କୌଣସିଠାରେ ଧରିହୁଏ ନାହିଁ । ଆମ ଭଳି ସଂକୀର୍ଣ୍ଣ ପରିସର ଭିତରେ ସିନା ଗୋଟାଏ ମାତ୍ର ମତପାଇଁ ସ୍ଥାନ ଥାଏ, ସେତିକିରେ ସବୁ ସମ୍ଭାବନା ସରିଯାଏ; କିନ୍ତୁ ଯେ ବିଷୁବୀୟ ମହାଅରଣ୍ୟ ପରି ନିରନ୍ଧ୍ର, ଦିଗନ୍ତ-ପ୍ରସାରୀ ସେ ନୈବୈର୍କ୍ତିକ ପରି ଆମକୁ ଦିଶୁଥିଲେ ମଧ୍ୟ, ସେ ତା’ର ବିଶାଳତାରେ ହିଁ ନିଜର ବ୍ୟକ୍ତିତ୍ୱକୁ ପ୍ରକାଶିତ କରିଥାଏ । ଜରତା, ସୂର୍ପଣଖା, ରାବଣ, ବିଶିଷ୍ଠ, ଦଶରଥ ଏବଂ ରାମଚନ୍ଦ୍ର ଏ ସମସ୍ତଙ୍କୁ ଧାରଣ କଲାଭଳି କ’ଣ ବାଲ୍ମିକୀଙ୍କ ବ୍ୟକ୍ତିତ୍ୱ ଏତେ ପ୍ରଶସ୍ତ, ଯେଉଁଠି ବିପରୀତ-ବିରୋଧ ମଧ୍ୟ ହଜିଯାଏ ? ଆମକୁ ତାଟକା ଲାଗେ, ଆଫା ଆଫା ଲାଗେ; କିନ୍ତୁ ବିସ୍ତାରର ବିଭିନ୍ନ ପ୍ରଦେଶ ପରି ଗଭୀରତାର ବିଭିନ୍ନ ସ୍ତର ନେଇ ପ୍ରଶାନ୍ତ ମହାସାଗର । ସେଇଠି କୌଣସି ଏକକ ବ୍ୟକ୍ତିତ୍ୱ ମିଳୁନାହିଁ ବୋଲି ତାକୁ ସଂପୂର୍ଣ୍ଣ ନୈବୈର୍କ୍ତିକ କହିବା ଟିକିଏ ଅବିଚାର ହେଲାପରି ଜଣାପଡ଼ୁଛି ।

 

ଏଣୁ ବ୍ୟକ୍ତି ପରି ବ୍ୟକ୍ତିର ଅଭିମତ ଓ ଅଭିରୁଚି ମଧ୍ୟ ସ୍ୱତନ୍ତ୍ର ମୂଲ୍ୟ ପାଇବା ପାଇଁ ଅଧିକାରୀ । ‘ରଚନା’ରେ ଏଇ ବ୍ୟକ୍ତିଗତ ସ୍ୱରଟି ଅତି ସ୍ପଷ୍ଟ । ସମୟ ସମୟରେ ନୈବୈର୍କ୍ତକ ଠାଣିରେ କଥାଟା କୁହାଯାଏ, ଯଥା–କୌଣସି ନିରପେକ୍ଷ ସମାଚାର–ସନ୍ଦର୍ଭ ବା କୌଣସି ବୈଜ୍ଞାନିକ-ତଥ୍ୟ ସଂବଳିତ ଲେଖା; ଯେଉଁଥିରେ ବ୍ୟକ୍ତିଗତ ମତପାଇଁ ଅବକାଶ ନାହିଁ । ଏଗୁଡ଼ିକର ସାହିତ୍ୟିକ ମୂଲ୍ୟ ନିରୂପଣ କରିବାପାଇଁ ଅବଶ୍ୟ ବିଶେଷ ଯୁକ୍ତିତର୍କର ଆବଶ୍ୟକତା ନାହିଁ; କିନ୍ତୁ ଖୋଦ୍‌ ସାହିତ୍ୟର ପରିସୀମା ଭିତରେ ମଧ୍ୟ ଆଲୋଚନାମୂଳକ ପ୍ରବନ୍ଧ ଲେଖାହୁଏ । ସ୍ୱର୍ଗତ ରତ୍ନାକର ପତି ଏବଂ ଶଶିଭୂଷଣ ରାୟ ମହାଶୟ ଏ ଦିଗରେ ଢେର୍‌ କାର୍ଯ୍ୟ କରିଛନ୍ତି । ଜଣାପଡ଼େ ସତେ ବା ଖୁବ୍‌ ମୋଟା ମୋଟା କାନ୍ଥର ବେଶ୍‌ ମଜବୁତ୍‌ ସାତଶେଣିଆ ଘର ସବୁ ସାହାଲା ହୋଇ ପିଟାହେଉଛି । ‘ଲଘୁ ସାହିତ୍ୟ’ ବା ‘ମାନବାଟେ କଥା ଚାଲେ’ ପ୍ରାୟ ଚାଳିଶ ପୃଷ୍ଠା ପର୍ଯ୍ୟନ୍ତ ଚାଲନ୍ତି-! ଖୁବ୍ ଟାଣୁଆ ଶବ୍ଦ ମଧ୍ୟ ଭାଷାକୁ ବଳ ଯୋଗାଏ । ମଧୁରାୟଙ୍କ ‘ଜୀବତତ୍ତ୍ୱ’ ବା ‘ପୂର୍ଣ୍ଣଧର୍ମ’, ରାଧାନାଥଙ୍କ ‘ବିବେକୀ’ ଆଦି ଏହାର ଅନ୍ୟ ଉଦାହରଣ । ଭାଷାର ଏପରି ରୂପକୁ ଗୋଟାଏ ପ୍ରକାର ଆଭିଜାତ୍ୟ କୁହାଯାଇପାରେ । ଗୋଟାଏ ତିଖ ଉପରେ ଚଢ଼ି ଯାଇ ସତେ ବା ସେ ଆଉ ଓହ୍ଲେଇ ପାରୁନାହିଁ ।

 

କିନ୍ତୁ ପ୍ରହରାଜଙ୍କ ‘ବାଇମହାନ୍ତି ପାଞ୍ଜି’ ‘ଭାଗବତ ଟୁଙ୍ଗିରେ ସଂଧ୍ୟା’ ବା ଗୋବିନ୍ଦ ତ୍ରିପାଠୀଙ୍କ ‘ବଟୁଆ’ ତାଙ୍କ ଯୁଗରେ ଗୋଟାଏ ଲେଖାଁ ବ୍ୟତିକ୍ରମ । ଏଠି ପ୍ରକୃତରେ ‘ରଚନା’ ଲେଖାର ଅୟମାରମ୍ଭ । ବେଶ୍‌ ସ୍ୱାଭାବିକ ଭଂଗୀରେ କୌଣସି ଅଟାଟୋପ ନଥାଇ, ଏ ଗୁଡ଼ିକ ଖୁବ୍‌ ପାକଳ ଚିନ୍ତାର ସାବଲୀଳ ପରିପ୍ରକାଶ ।

 

ଅନେକ ସମୟରେ କୌଣସି ବିଷୟରେ ମନ ମଜ୍ଜିଗଲେ, ସେଇ ସ୍ୱପ୍ନରେ ରହି ସ୍ୱପ୍ନର ଭାଷା କହିବାକୁ ଭାରି ଇଚ୍ଛାହୁଏ । ସଂପୂର୍ଣ୍ଣ ଜାଗତିଆର ହୋଇ ଲେଖିଲେ ଖାଲି ବ୍ୟାକରଣ ଗୁଡ଼ିଏ ଲେଖି ହୋଇଯାଏ ବୋଲି ଭାରି ରବେଇ ଖବେଇ ଲାଗେ, ଅସନ୍ତୁଷ୍ଟ ଲାଗେ । ଭାଷାରେ ଆଉ କବିତା–ଆତ୍ମା ସଂଚରି ପାରେନାହିଁ, କଥାର ପ୍ରାଣପ୍ରତିଷ୍ଠା ହୁଏନାହିଁ । ଭୂଇଁରୁ କଞ୍ଚା ଡାଳ ପତ୍ର ମେଲି ଉଦ୍ଭିଦ ଉଠିଆସିଲା ପରି ଗୋଟାଏ ଗହୀରିଆ ପ୍ରତ୍ୟୟ ଭିତରୁ କଞ୍ଚା ଜୀଅନ୍ତା ଭାଷାଟାଏ ମୁଣ୍ଡ ଟେକି ଉଠି ଆସିଲେ ଲାଗେ ଯେ ଭାବ ସ୍ୱୟଂ-ପ୍ରକାଶ ହେଲା ! ଏଣିକି ହୁଏତ’ ଏଥିରେ ପାଠକ ଅନୁଭବ ପାରିଲାଭଳି କିଛି ସ୍ପନ୍ଦନ ରହିବ । ଲେଖକ ଓ ପାଠକର ସବୁ ବାହାରିଆ ନିର୍ମୋକ ଖସିଗଲେ ମୌଳିକ ବୁଝାମଣାର ଭାଷା ହୁଏତ’ ଏମିତି ଆପଣେଇ ହେବ । ବେଳେବେଳେ ଶବ୍ଦଟାଏ ନୂଆ ତିଆରି ହୋଇଯାଏ, କେତେବେଳେ ବା ପୁରୁଣା ଶବ୍ଦଟା ନୂଆ ସଂପର୍କରେ, ନୂଆ ରଂଗରେ ମୁହଁ ତୋଳି କହେ–‘ମତେ ଚିହ୍ନିଛୁ ?’ ଏ ଅସରନ୍ତି ଅର୍ଥ-ସଂପଦରେ ଭାଷା ନୂଆ ନୂଆ ବସନ୍ତରେ ପୁଷ୍ପିତ ହୋଇ ଚାଲିଥିବ ଯେତେ ଦିନ ପର୍ଯ୍ୟନ୍ତ ମଣିଷ ବଞ୍ଚିଛି । ମୁଖା ଆଡ଼େଇ ଭାଷାର ସ୍ୱରୂପ ଦେଖିବାକୁ ଅହରହ ଚେଷ୍ଟା ଚାଲେ; କିନ୍ତୁ ବାରପଣ ହୁଏତ, ଲୁଚି ରହିଯାଏ; କେବଳ ପାଏ ଚଉଠେ ଭିତରେ ସାହିତ୍ୟରେ ଯେତେ ସବୁ କାରବାର ।

 

ବ୍ୟଙ୍ଗ ପରିହାସ ଦେଇ, ମନ ରଞ୍ଜେଇ ଆପ୍ୟାୟିତ କରିବା ପାଇଁ ‘ରଚନା’ ରେ ଅବକାଶ ଖୁବ୍ କମ୍‌; କିନ୍ତୁ ତାହା ଆଦୌ ନିଷିଦ୍ଧ ନୁହେଁ । ଯେମିତି ଆର ବାଗେ ଖୁବ୍ ଗମ୍ଭୀର ହୋଇ ଆଧ୍ୟାତ୍ମ୍ୟ ଚିନ୍ତା କରିବା ମଧ୍ୟ ନିଷିଦ୍ଧ ନୁହେଁ । ଯେତେବେଳେ ଲେଖକ ବିଚାରା ତା’ ଜୀବନର କୌଣସି ଏକ ମୁହୂର୍ତ୍ତର ଶ୍ରେଷ୍ଠ ଚିନ୍ତାଟିକୁ ଯେତେଦୂର ସମ୍ଭବ ଲୋଚାକୋଚା ନ କରି ପ୍ରକାଶ କରିବାକୁ ଆପ୍ରାଣ ଚେଷ୍ଟା କରୁଥାଏ; ଆଉ ମଧ୍ୟ ଚେଷ୍ଟା କରୁଥାଏ କେମିତି ପ୍ରତିଟି ସ୍ୱାଭାବିକ ଶବ୍ଦରେ ମୂଳ ସ୍ୱର ହିଁ ଅନୁରଣିତ ହେଉ, ସେତେବେଳେ ସେମିତି ଖେଳୁଆଡ଼ ହୋଇ ନ ଥିଲେ, ଆପଣଙ୍କ ସହିତ ପରିହାସ କରିବା ତା’ ଶକ୍ତିର ବାହାରେ ! ଆପଣଙ୍କୁ ସେ ତା’ର ଗଭୀର ପ୍ରତ୍ୟୟର ଆନ୍ତରିକ ଭାଷାରେ ହୁଏତ’ କେତେବେଳେ କେମିତି ଆତ୍ମୀୟତାରେ ଛୁଇଁଯାଏ ବୋଲି ଆପଣ ତାକୁ ପଢ଼ିବାକୁ ସୁଖ ପାଆନ୍ତି । ସମୟ ସମୟରେ ହୁଏତ’ ଆପଣ ଅନୁଭବ କରନ୍ତି ଯେ, ସେ ଆପଣଙ୍କ ଭାବକୁ ପ୍ରାୟ ଆପଣଙ୍କ ଘରୋଇ ଭାଷାରେ ଖୁବ୍ ନିଷ୍ଠାର ସହିତ କହି ଯାଉଛି । ଏଣୁ ମଧ୍ୟ ଆପଣ ତାକୁ ସୁଖ ପାଇଥାଇପାରନ୍ତି !

 

‘ରଚନା’ରେ କବିତାର ପ୍ରାଣ, ତା’ର ଆଙ୍ଗିକ ଭାଷା ଓ ଭଙ୍ଗୀ, ଗଳ୍ପର ରଞ୍ଜକତା ଓ ଚାତୁରୀ, ପ୍ରବନ୍ଧର ବୌଦ୍ଧିକତା, ଶାଣିତ ଚିନ୍ତାର ଦୀପ୍ତି, ସମୟ ସମୟରେ ନାଟକର ଛଟା ଏବଂ ସଂଳାପ ଥିଲେ ମଧ୍ୟ ଏହା ଏ ସମସ୍ତଠାରୁ ଭିନ୍ନ, ନିଜ ଗୋଡ଼ରେ ନିଜେ ଠିଆହେଲା ଭଳି ଏକ ସ୍ୱତନ୍ତ୍ର ସାହିତ୍ୟିକ ଅଭିବ୍ୟକ୍ତି । ଆପଣ କ’ଣ ତଥାପି କହିବେ ଯେ, ‘ରଚନା’ ଇଂରାଜୀର Bell’s letters ର ଏକଦେଶିଆ ଅନୁକରଣ ମାତ୍ର ? ସେମିତି ପାରିଲା ହାତରେ ପଡ଼ିଲେ ‘ରଚନା’ କି ଅଦ୍ଭୁତ ସାଧନ କରିପାରେ, ଇଂରେଜୀ ସାହିତ୍ୟ ତା’ର ଯଥେଷ୍ଟ ପ୍ରମାଣ ଦେଇସାରିଛି ।

 

(୨)

 

ପୁରୁଣା ଗଛ ପରି ପୁରୁଣା ସାହିତ୍ୟ ମଧ୍ୟ ପ୍ରତି ବସନ୍ତରେ ନୂଆ ଶାଖା ମେଲିଯିବା କଥା-। ଯେତେଦିନ ପର୍ଯ୍ୟନ୍ତ ସେ ବଞ୍ଚିଛି ଏ ଧାରା ଅବଶ୍ୟ ଚାଲିଥିବ । ଯଦି କୌଣସି କାରଣରୁ ନ ଚାଲେ, ତେବେ ଜଣାଯିବ ଯେ, ଶିଖ ଆଡ଼ୁ ଗଛ ମରିଆସୁଛି । ଅନେକ ଗଛ ପରି ଅନେକ ସାହିତ୍ୟ ମଧ୍ୟ ଏଭଳି ମରିଗଲେଣି । ସେମାନେ ଅଧିକରୁ ଅଧିକ ଆଉ ବଢ଼ିପାରିଲେ ନାହିଁ, ନୂଆ ଆକାଶରେ ଶାଖା ମେଲିବା ସହଜ ହେଲାନାହିଁ । ପିରାମିଡ଼୍‌ର କାନ୍ଥ ଉପରେ ଗୋଟାଏ ସମୟର ଭାଷା ଓ ସାହିତ୍ୟ ପ୍ରସ୍ତରୀଭୂତ ହୋଇ ଲାଖିଯାଇଛି । ଚିରସ୍ରୋତା ଜୀବନର ନୀଳନଦୀ ବୋହିଯାଉଛି ‘ଗାଜା’ରୁ ‘ଆଶ୍ୱାନ୍‌’ ବନ୍ଧ ପର୍ଯ୍ୟନ୍ତ । ସେ ପ୍ରାୟ ସାତ ହଜାର ବର୍ଷର ବାଟ । ପୁରୁଣା ଏବଂ ନୂଆ ଭିତରେ ଗୁଡ଼ାଏ ଅନ୍ଧାରର ବ୍ୟବଧାନ । ଏତେ ବାଟ ଆଉ ସାହିତ୍ୟ ଶାଖା ମେଲିପାରେ ନାହିଁ–କେବଳ ମଞ୍ଜି ଫୋପାଡ଼ି ଦିଏ । ଚେର ତଳୁ ପାଣିଧାର ଘୁଞ୍ଚିଗଲେ ସେ ଝାଉଁଳିଯାଏ; କିନ୍ତୁ ଭବିଷ୍ୟତ ଗର୍ଭରେ ତା’ର ବୀଜକୋଷ ପୁଣି ଗଜା ମାରି ବାହାରିଆସେ । ସେଇଭଳି ଗ୍ରୀକ୍‌, ସେଇଭଳି ଲାଟିନ୍‌, ସେଇଭଳି ଚୀନା ଏବଂ ସଂସ୍କୃତ ।

 

ସାହିତ୍ୟ ଯେତେବେଳେ ସମୃଦ୍ଧ ହୁଏ, ସେତେବେଳେ ନୂଆ ନୂଆ ଦିଗରେ ତା’ର ଡଙ୍କ ମୋଡ଼େ । ସେହି ଅନୁପାତରେ ନୂଆ ନୂଆ ବର୍ଗ ମଧ୍ୟ ସୃଷ୍ଟି ହୁଅନ୍ତି । ଚଉତିଶା, କଳସା, ଚମ୍ପୁ, ଚଉପଦୀ ପଛକୁ ରହିଯାଆନ୍ତି । ତାଙ୍କ ସମୟକୁ ଚାହିଁ ସେମାନଙ୍କର କାମ ସରିଯାଏ । ଗଦ୍ୟପଦ୍ୟ ପର୍ଯ୍ୟାୟରେ ପ୍ରବନ୍ଧ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, ନାଟକ, କାବ୍ୟ, କବିତା ଆଦି ଯୁଗରୁଚି ଅନୁସାରେ ଉଭାରି ଆସନ୍ତି । ପଡ଼ିଶା ଘରଠୁ ଶିଖି ନୂଆ ତିଅଣ ରାନ୍ଧିଲା ପରି ଅନ୍ୟାନ୍ୟ ବିଦେଶୀ ସାହିତ୍ୟରୁ ଢଙ୍ଗ, ଭଙ୍ଗୀ ଆଣି ପ୍ରାଦେଶିକ ଭାଷାରେ ପରୀକ୍ଷା ଚାଲେ । ପରୀକ୍ଷା କରିବା ଏକ ଅତି ସାଧାରଣ ଏବଂ ସ୍ୱାଭାବିକ ପ୍ରକ୍ରିୟା । ସୃଷ୍ଟି ମଧ୍ୟ ନିତ୍ୟ ନୂତନ ହେବା ସ୍ୱାଭାବିକ । ଯାହା ଥରେ ଗୋଟାଏ ଢଙ୍ଗରେ କୁହା ସରିଗଲା, ଆଉ ତାକୁ ନେଇ ଘୋଷାରିବାରେ ଅର୍ଥ ରହେ ନାହିଁ । ଦିଗ ବଦଳେଇ ବାଗ ବଦଳେଇ ଚଉଷଠି ପ୍ରକାର ପରୀକ୍ଷା କରିବାକୁ ସୃଜନଧର୍ମୀ ଲେଖକର ପ୍ରବୃତ୍ତି ହୁଏ । ଲେଖକଟି ମୂଳତଃ ଯଦି ଶଗଡ଼ଦଣ୍ଡା ଛାଡ଼ିବାକୁ ଡରେ, ତେବେ ହୁଏତ କିଛି ଇଟା ପଥର ବୋଝେଇ ସେ ଖଣ୍ଡଦୂର ଗଡ଼େଇନେବ ସାହିତ୍ୟର ବ୍ୟବସାୟ; କିନ୍ତୁ ଚାରିପାଖେ ଯେଉଁ ସବୁଜ ଅରଣ୍ୟ ଅନନ୍ତକାଳରୁ ଅପେକ୍ଷା କରି ରହିଛି ତା’ ଭିତରେ ନୂଆ ବାଟ ଫିଟେଇ ପାରିବନାହିଁ । ଏଥିରେ ଆଉ ଗୋଟିଏ ଦିଗ ମଧ୍ୟ ଅଛି । ନୂଆ ଯଦି ସ୍ୱତଃ ନ ଟାଣେ, ତେବେ ମାଛ ପାଣିଧାର ଭିତରୁ କୂଳକୁ ଡେଇଁ ପଡ଼ିଲାପରି ଅଖଡ଼ରେ ପ୍ରାଣ ବାହାରିଯିବା କଥା । ଯେ ନୂଆ ବାଟ ଦେଖାନ୍ତି, ସେମାନେ ପୁରୁଣାକୁ ଅପର୍ଯ୍ୟାପ୍ତ ମନେକରନ୍ତି । ତା’ ହୁଡ଼ା ଡେଇଁ ଉଛୁଳି ଯିବାକୁ ସେମାନେ ଏକ ପ୍ରକାର ବାଧ୍ୟ । ତାଙ୍କ ଧାତୁରେ ଧାଡ଼ି ବନ୍ଧା ରେଳ ରାସ୍ତା ପରି ନିର୍ମଳ ହଳେ ପାଇ ସୁହାଏ ନାହିଁ; ସେମାନେ ବିଦ୍ରୋହ କରନ୍ତି; ବିଦ୍ରୋହ ନ କଲେ ନୂତନର ଜନ୍ମ ସମ୍ଭବ ନୁହେଁ । ସେମାନେ ନିର୍ଭୀକ । ସେମାନେ ଯୁଗରୁଚିର ପ୍ରବାହକୁ ନୂଆ ମୋଡ଼ ଦେଖେଇ ଦିଅନ୍ତି; ସେଥିରେ ଭାସିଯିବା ସେମାନଙ୍କର ଧର୍ମ ନୁହେଁ ।

 

କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଚାରି କାନ୍ଥ ଭିତରେ ନିଜର ଭାବକୁ ପ୍ରକାଶ କରିବା ସାହିତ୍ୟିକ ଶୃଙ୍ଖଳା । ସେପରି ବଳିଷ୍ଠ ପ୍ରାଣଶକ୍ତି ନ ଥିଲେ ଏଇ ବନ୍ଧନୀ ଭିତରେ ଥାଇ ନିଜକୁ ସମ୍ପୂର୍ଣ୍ଣ ସ୍ୱଚ୍ଛଳ ପ୍ରକାଶ କରିବା ସମ୍ଭବ ନୁହେଁ । ଯେ ପ୍ରଥମ ବିୟୋଗାନ୍ତକ ନାଟକ ଲେଖିଲେ, ସେ ଏକ ଅଦ୍ଭୁତ ଆରଣ୍ୟକ ଉଦ୍ଭିଦ ! ତାଙ୍କ ପାଇଁ କୌଣସି ପରମ୍ପରାର ବନ୍ଧନୀ ନ ଥିଲା; କିନ୍ତୁ ତାଙ୍କ ପରେ, ତାଙ୍କୁ ହୁଏତ ସମ୍ମାନ ଦେବାକୁ, ତାଙ୍କୁ ଗହୀରେଇ ବୁଝି ପାରିବାକୁ, ଭବିଷ୍ୟତ୍‌ରେ ଅବିକଳ ସେଇଭଳି ଫସଲ ଆଶା କରି ଆରିଷ୍ଟଟଲ ସାହେବ ଗୁଡ଼ିଏ କାନ୍ଥ ଚାରିଆଡ଼େ ଟେକିଦେଲେ । ଶାଖା ମାପି, ପତ୍ରର ବର୍ଣ୍ଣ ରୂପ ଟିପି ରଖିଦେଲେ ଭବିଷ୍ୟତ ପାଇଁ । ଫଳରେ ଦୁଇ ହଜାର ବର୍ଷ ପର୍ଯ୍ୟନ୍ତ ସେଇ ବେଢ଼ା ଭିତରେ ହିଁ ଏଠି ସେଠି ଟିକିଏ ଘୁଞ୍ଚି ସେଇ ଜାତି ସାହିତ୍ୟ ସୃଷ୍ଟି ହେଲା । ଅକସ୍ମାତ୍‌ କିନ୍ତୁ ଦେଖାଗଲା ଯେ, ସେ କାନ୍ଥ ଭୁଷୁଡ଼େଇ ଗୋଟାଏ ମହାମୁଦ୍ର ଉଠୁଛି । ତାକୁ ରୋକିବାକୁ କାହାରି ଶକ୍ତି ନାହିଁ । ତାକୁ ତଳୁ ଭିଡ଼ି ଧରିଲେ ସେ ଆରିଷ୍ଟଟଲ୍‌ ସାହେବଙ୍କ ସମେତ ତୋଳି ନେଇଯାଏ ତା’ ଆକାଶିଆ ଶାଖା ଉପରକୁ । ତାକୁ ଅସ୍ୱୀକାର କରିବେ ଏଭଳି ମଧ୍ୟ କେହି ନାହାନ୍ତି । ଏଣୁ କାନ୍ଥ ଘୁଞ୍ଚେଇବାକୁ ହୁଏ । ତାର କାରଣ ହେଲା, ସେ ବନ୍ଧନୀଟି ନ ପଢ଼ିଲେ ୟାକୁ ବୁଝିହେବ ନାହିଁ, କଳନା କରି ହେବନାହିଁ; କିନ୍ତୁ ସବୁବେଳେ କ’ଣ ସେକ୍‌ସପିଅର ସମ୍ଭବ ! ସେଭଳି ନହେଲେ ମଧ୍ୟ ଛୋଟ ପରିସରରେ ବିଦ୍ରୋହ ଅବଶ୍ୟ ସବୁବେଳେ ସମ୍ଭବ ଏବଂ ବିଦ୍ରୋହ ନୂତନ ସୃଷ୍ଟର ଏକ ଅନିବାର୍ଯ୍ୟ ଗୁଣ ।

 

ଏଣୁ ପ୍ରବନ୍ଧ ଏଭଳି ଲେଖିବ, ତାର ଭାଷା, ଭଙ୍ଗୀ, ଛଟା ଏମିତି ହେବ, କ୍ଷୁଦ୍ର ଗଳ୍ପ ଏଭଳି ହେବ ବା କବିତା ସାଙ୍ଗକୁ ଲାଗିଆସିଲେ ଏମିତି ସବୁ ଅଶୁଦ୍ଧ ହୋଇଯିବ ଇତ୍ୟାଦି ଚାଟଶାଳିଆ ଅବଧାନଙ୍କ ତାଗିଦା ସତ୍ତ୍ୱେ ଅମାନିଆଁ ଲେଖକ ତା’ ଖୋଇ ବଜାୟ ରଖେ । ତା ହ୍ରସ୍ୱ ‘ଇ’ ର ଲାଞ୍ଜ ପ୍ରୟୋଜନରୁ ଅଧିକ ଦୀର୍ଘ, ତା ଅକ୍ଷରଗୁଡ଼ିକ ଦେହକୁ ଦେହ ଲେସିହୋଇ ଉଷୁମ ଭିଡ଼ନ୍ତି । ଗୋଟାକରୁ ଆରଟା ବାରିହାଇ ଅପରିଚିତ ପରି ଆଡ଼େଇ ହୋଇଯିବା କିଛି ସେପରି ବାଧ୍ୟତାମୂଳକ ନୁହେଁ ।

 

ବାନ୍ଧିଛନ୍ଦି ହେବା ଗୋଟାଏ ଅସ୍ୱସ୍ତିକର ଅବସ୍ଥା । ଏଣୁ ସମସ୍ତ ବର୍ଗୀକରଣକୁ ଭୁଲିଯାଇ ଏବେ ଇଂରେଜୀରେ ଗୋଟାଏ ‘ଖୋଲା ରୂପ’ ଗୃହୀତ ହୋଇଗଲାଣି । ତାକୁ ସେମାନେ ‘Open Form’ ବୋଲି କହନ୍ତି । ଏଇଟା ସାହିତ୍ୟିକ ସ୍ୱେଚ୍ଛାଚାର ନୁହେଁ, ବା ଉଦ୍ଦେଶ୍ୟହୀଦ ବିଦ୍ରୋହ ମଧ୍ୟ ନୁହେଁ । କୌଣସି ଗୋଟିଏ ବର୍ଗରେ ଆବଦ୍ଧ ନ ରହି ଆଉ ଟିକିଏ ବିସ୍ତୃତ ହୋଇଗଲେ, ଟିକିଏ ସ୍ୱାଧୀନ ହୋଇଗଲେ, ଦେଖାଯାଉଛି ଯେ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ମିଶିଯାଇ ବେଶ୍ ଗୋଟିଏ ନୂଆ ପ୍ରଦେଶ ଗଠନ କରିପାରୁଛନ୍ତି । ସେଥିରେ ନାଟକ ପାଇଁ ବାସନ୍ଦ ନାହିଁ ବା କବିତା ପାଇଁ କଟକଣା ନାହିଁ । ସମସ୍ତଙ୍କୁ ଭିଡ଼ିଆଣି ଜବରଦସ୍ତି କାଠବିଡ଼ାପରି ବାନ୍ଧିବାର ପ୍ରୟାସ ଏଥିରେ ନାହିଁ । ସମସ୍ତଙ୍କର ସ୍ୱତନ୍ତ୍ର ମୂଳ ରକ୍ଷାକରି କେବଳ ଛନ୍ଦାଛନ୍ଦି ଶାଖାପତ୍ରରେ ଗୋଟିଏ ସବୁଜ ଉପନିବେଶ ମଧ୍ୟ ଏହା ନୁହେଁ । ଏଇଟା ବରଂ ମିଞ୍ଜି ମିଞ୍ଜି ମିଶି, ବର୍ଣ୍ଣ ରୂପ ମିଶି ନୂଆ ଗୋଟାଏ ଉଦ୍ଭିଦ । ତା’ର ଚେର ଭୂଇଁ ଛୁଇଁଗଲାଣି । ତା’ର କେବଳ ନାମକରଣ ହେବା ବାକି ଅଛି, ନିୟମିତ ବର୍ଗୀକରଣ ହେବା ବାକି ଅଛି ।

 

ଏଇଠି Alfred Kazinଙ୍କ ମୁଦ୍ରିତ Open Form କଥା ସନ୍ତର୍ପଣରେ ଚିନ୍ତାକ୍ଷେତ୍ରକୁ ଆସିଯାଏ; କିଛି ତାକୁ ଆଦର୍ଶ କରି ଓଡ଼ିଆ ସାହିତ୍ୟରେ କିଛି ଉଦ୍ଭଟ ସ୍ୱେଚ୍ଛାଚାରର ଅନୁପ୍ରବେଶ ଘଟେଇବାର ପ୍ରୟୋଜନ ନାହିଁ । ତା’ ପାଇଁ ତା ନିଜ ସାହିତ୍ୟିକ ପରମ୍ପରାରେ ଅନେକ ବଳିଷ୍ଠ ନିର୍ଦ୍ଦେଶ ମିଳିଛି । ତାକୁ ସମ୍ବଳ କରି ସାମାନ୍ୟ ଆଗକୁ ହାତ ବଢ଼େଇବାର ଚେଷ୍ଟା ହିଁ ଯଥେଷ୍ଟ ।

 

ସବୁବେଳେ, ସବୁ କଥା ସମସ୍ତଙ୍କୁ ଏକା ପରି ଦିଶେନାହିଁ । ଦେଶ, କାଳ, ଭଙ୍ଗୀ ଉପରେ ରଙ୍ଗ ବଦଳିଯାଏ, ରୂପ ବଦଳିଯାଏ । ଯାହା ବା ଦିଶେ, ତାକୁ ସବୁବେଳେ ଏକାପରି କହି ହୁଏନାହିଁ । ଭାଷାର କୋଳାହଳ, ଶବ୍ଦର ଠେଲାପେଲା ଭିତରେ ନିଜ ପ୍ରୟୋଜନ ଅନୁସାରେ ଗୋଟିକୁ ବାଛିନେବା ଅନେକ ପ୍ରକାର ପ୍ରଭାବ ପ୍ରବାହ ଉପରେ ନିର୍ଭର କରେ । ପ୍ରତ୍ୟେକ ରଚନାର ସମସ୍ୟା ଅଲଗା । ତାକୁ ଦେଖିଲାବେଳେ ଭଙ୍ଗୀ ମଧ୍ୟ ଅଲଗା ହେଲା ପରି ଲାଗେ; କିନ୍ତୁ ଚଳନ୍ତା ରେଳ ଉପରୁ ଚଳନ୍ତି ତାରଟାକୁ ଦେଖିଲା ଭଳି ପାଞ୍ଚ ଛ’ ପ୍ରକାର ପ୍ରବାହର ଗତି ଅନୁଭବ ହୁଏ । ସମସ୍ୟା ଯେହେତୁ ଆଧୁନିକ, ଅନେକ ସହଚର ହାତ ଧରି ଟାଣନ୍ତି–ଇଂରେଜୀ, ଆଧୁନିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ କହନ୍ତି; ଆମେ ଯେମିତି ଦେଖୁଛୁ ସେମିତି ଦେଖ୍‍, ଆମେ ଯେମିତି କହୁଛୁ, ସେଇ କଥାଟାକୁ ସେମିତି କହ । ଦେଶୀ ଅପେକ୍ଷା ବିଦେଶୀ ବନ୍ଧୁଙ୍କ ଓଟରାଟା ବେଶି ଅନୁଭୂତି ହୁଏ; କିନ୍ତୁ ଗହୀରରୁ ଭୂଇଁ ଭସେଇ ଆଉ ଗୋଟାଏ ମହାପ୍ରବାହ ତଡ଼ି ନେଇଯାଏ । ସେ ହେଉଛି ଏ ଦେଶର ଚିରନ୍ତନ ଉପନିଷଦୀୟ ଧାରା । ତାକୁ ତ ଏଡ଼ିବା ସମ୍ଭବ ନୁହେଁ, ବାଞ୍ଛନୀୟ ମଧ୍ୟ ନୁହେଁ-। ଏଣୁ ପୁଣି ‘ପ୍ରାଚୀନ ଯୋଗ୍ୟ’ ହେବା ମଧ୍ୟ ସହଜସାଧ୍ୟ ନୁହେଁ ।

 

ଏ ଭଳି ପରିସ୍ଥିତିରେ ଏ ସମସ୍ତଙ୍କୁ ସ୍ୱୀକାର କରି ରଚନାଟିଏ ଲେଖାଯାଏ, ଖୁବ୍‌ ମନରେ ଏବଂ ନିଷ୍ଠାର ସହିତ ।

 

(୩)

 

ଅଳ୍ପ ଦିନ ତଳେ ଜଣେ ସୁପାଠକ କବିବନ୍ଧୁ କହୁ କହୁ କହିଲେ ଯେ–ରଚନାଟିଏ ଲେଖିବାପାଇଁ ବୋଧହୁଏ କୌଣସି ବିଷୟ ନିର୍ବାଚନର ପ୍ରୟୋଜନ ହୁଏନାହିଁ; ଅର୍ଥାତ୍‌ ଯେକୌଣସି ବିଷୟ ଉପରେ ରଚନା ଲେଖାଯାଇପାରେ । ମୋତେ ଜଣାଗଲା ଯେ ବନ୍ଧୁ ମୋତେ ମୋର ଉଦାର ସାମର୍ଥ୍ୟପାଇଁ ଅଭିନନ୍ଦିତ କଲେ; କିନ୍ତୁ କବି ଯେ ବ୍ୟାଜୋକ୍ତି କଲେ, ସେକଥା ବୁଝିବାକୁ ମୋତେ ଅଗତ୍ୟା ଆଉ ଜଣେ କବିଙ୍କ ସାହାଯ୍ୟ ନେବାକୁ ପଡ଼ିଥିଲା । ମାନନୀୟ କବିକୁଳ ବେଳେବେଳେ ପରସ୍ପରକୁ ବୁଝିପାରନ୍ତି, ଏ ବିଶ୍ୱାସ ମୋର ଏବେ ମଧ୍ୟ ଅକ୍ଷୁଣ୍ଣ ଅଛି । ଆପଣ ଶୁଣି ହୁଏତ ବିସ୍ମିତ ହେବେ ଯେ ଆଉ ବେଳେବେଳେ ସେମାନେ ନିଜ ବକ୍ତବ୍ୟକୁ ବୁଝାଇ ମଧ୍ୟ ପାରନ୍ତି । ଏହିପରି ବୁଝିଯିବା ପରେ ବନ୍ଧୁଙ୍କର ବ୍ୟାଜୋକ୍ତି ପାଇଁ କିଛି ଖେଦୋକ୍ତି ପ୍ରକାଶ କରିବାର ପ୍ରୟୋଜନ ମନେହେଲା । କାଳେ ଏ ପ୍ରବୃତ୍ତିଟି କବିତାରୂପ ନେଇଯିବ, ଏଇ ଭୟରେ ଆତ୍ମରକ୍ଷାପାଇଁ ବିଶୁଦ୍ଧ ଗ୍ରାମ୍ୟ ଗଦ୍ୟର ଆଶ୍ରୟ ନେବାକୁ ପଡ଼ିଲା ।

 

ସେଭଳି ସତ୍ୟଦ୍ରଷ୍ଟା ନହେଲେ ସବୁ ବିଷୟରେ ରଚନା ଲେଖିବା ସମ୍ଭବ ନୁହେଁ, କବିତା ଲେଖିବା ମଧ୍ୟ ସମ୍ଭବ ନୁହେଁ; କାରଣ ସେ ଏକ ଯୋଗାଯୋଗ ବ୍ୟାପାର । କେତେବେଳେ କେମିତି ଗୋଟାଏ ଆଶ୍ଚର୍ଯ୍ୟ ମୁହୂର୍ତ୍ତରେ ସୃଜନ କେନ୍ଦ୍ରଟି ଚମକିତ ହୁଏ । ସାଧାରଣ ବସ୍ତୁଟିଏ ଅସାଧାରଣ ବିଭୂତି ପ୍ରକଟ କରେ । ଦେଖୁ ଦେଖୁ ସେ ସମଗ୍ର ଚେତନାକୁ ଆଚ୍ଛନ୍ନ କରେ, ବିବଶ କରେ ଏବଂ ଏଭଳି ଆବିଷ୍ଟ ଅବସ୍ଥାରେ ହିଁ ରଚନାଟିଏ ଲେଖାଯାଏ, ଗଳ୍ପଟିଏ ଲେଖାଯାଏ କିମ୍ବା କବିତାଟିଏ ମଧ୍ୟ ଲେଖାଯାଏ । ସବୁବେଳେ ତ ମନରେ ଫୁଲ ଫୁଟେ ନାହିଁ । ଫୁଟିଲେ ମଧ୍ୟ ସବୁ ଫୁଲରେ କସି ଧରେ ନାହିଁ । ସବୁ କସିଗୁଡ଼ିକ ବି ପାଚିପାରନ୍ତି ନାହିଁ କିମ୍ବା ସବୁ ଫଳ ବୀଜବନ୍ତ ହୁଅନ୍ତି ନାହିଁ । ଏଣୁ ବିଷୟ-ନିର୍ବାଚନ କରିବା ସେଭଳି କୌଣସି ସାର୍ବଭୌମ ସ୍ୱାଧୀନ ଅଧିକାର ନୁହେଁ । ଅନ୍ୟ ପକ୍ଷ ରାଜି ନ ଥିଲେ ଗୋଟାଏ ଘର୍ମାକ୍ତ ଧର୍ଷଣରେ ଆନନ୍ଦ-ଜନିତ ସୃଷ୍ଟି କିମ୍ବା ସୃଷ୍ଟି-ଜନିତ ଆନନ୍ଦ କାହିଁ-? ଏ ମୌଳିକ ବିଚାରଟିଏ ସବୁପ୍ରକାର ସଜନଧର୍ମୀ ସାହିତ୍ୟ ପାଇଁ ସମାନ ଭାବରେ ପ୍ରଯୋଜ୍ୟ । ନିଜ ଭିତରେ ଗୋଲାପଟିଏ ଫୁଟାଇ ଯାଉ ଯାଉ କୌଣସି ଶିଶିରାକ୍ତ ଶୀମନ୍ତ ଗୋଲାପଟିଏ ସ୍ୱାଗତ ଜଣାଇଲା, ତେବେ ସେଇ ଆଚମ୍ବିତ ଯୋଗାଯୋଗଟି ହୋଇଯାଏ । ତେଣିକି ଭଅଁର ଆସେ, ସୂର୍ଯ୍ୟ ଆସେ । ଆକାଶସାରା ଗୋଲାପ ଫୁଟିଯାଏ । ସାହିତ୍ୟରେ ଜନ୍ମନିଏ ଗୋଟିଏ ଅଦ୍ଭୁତ ଗୋଲାପ । ନହେଲେ ଉଭୟର ଅଜ୍ଞାତରେ ଉଭୟେ ଝରିଯାନ୍ତି, ତା’ର ହିସାବ କେହି ରଖେନାହିଁ । ଏ ଯୋଗାଯୋଗ ପାଇଁ ବାଛ-ବିଚାର ନ ଥାଏ । ଗେଣ୍ଡା ଉପରେ ‘ଟେନିସନ୍‌’ କବିତା ଲେଖନ୍ତି । ‘ଶୂନ୍ୟ’ ଉପରେ ଆମେ ରଚନା ଲେଖୁ । ପ୍ରଜାପତି ଘଟସୂତ୍ର କଥା । ଘଟକୁ ଘଟ ସହିତ ସଂଯୁକ୍ତ କରୁଥିବା ଏ ସୂତ୍ରଟି ସବୁବେଳେ ଏକ ରହସ୍ୟ ।

 

ସାଧାରଣ ନିୟମରେ ଅସାଧାରଣ ବ୍ୟତିକ୍ରମ ମଧ୍ୟ ଦେଖାଦିଏ । ବ୍ୟକ୍ତିବିଶେଷଙ୍କର ରୁଚି କିମ୍ବା ବସ୍ତୁବିଶେଙ୍କର ଆବଦନ ଭିତରେ ଅନେକ ତାରତମ୍ୟ ଥାଏ । ଏଣୁ ଯାହା ସ୍ଥପତିକୁ ମୁଗ୍‌ଧ କରେ, ତାହା ଚିତ୍ରଶିଳ୍ପୀକୁ ଆକୃଷ୍ଟ କରେନାହିଁ । ଯାହା କବିକୁ ପ୍ରଚୋଦିତ କରେ, ତାହା କଣ୍ଠଶିଳ୍ପୀକୁ ପ୍ରଭାବିତ କରେନାହିଁ । ପୁଣି ଜଣେ କବିଙ୍କୁ ଯାହା ଅଭିଭୂତ କରେ, ତାହା ଅନ୍ୟ ଜଣକୁ ଆଦୌ ସ୍ପର୍ଶ ନକରିପାରେ । ସେହି କବିଙ୍କୁ ଯାହା ଆଜି ଏଇଠି ଆଲୋଡ଼ିତ କରୁଛି, ତାହା ହୁଏତ ଆଉ କେବେ ବା ଆଉ କେଉଁଠି ମୂଳରୁ ଛୁଇଁନପାରେ । ଏ ସମସ୍ତେ କିନ୍ତୁ ସ୍ରଷ୍ଟା । ସେଇ ବିଚାରରେ ଅନ୍ତତଃ, ଅସଂଖ୍ୟ ଅ-ସ୍ରଷ୍ଟାମାନଙ୍କଠାରୁ ଭିନ୍ନ, ଆଉ ଗୋଟିଏ ରାଜ୍ୟର ପ୍ରାଣୀ । ତେବେ ଏ ପ୍ରକାର ପାରସ୍ପରିକ ତାରତମ୍ୟର କାରଣ ହେଲା ସେମାନଙ୍କର କ୍ଷେତ୍ର ସ୍ୱାତନ୍ତ୍ର୍ୟ । ଭିନ୍ନ ଭିନ୍ନ କ୍ଷେତ୍ରରେ ସେମାନେ ବିଚରଣ କରୁଥାନ୍ତି । ଏଣୁ ପରସ୍ପର ଭିତରେ ବୁଝାମଣାର ଅଭାବ ନ ଥିଲେ ମଧ୍ୟ ରୁଚି, ପ୍ରକାଶଭଙ୍ଗୀ ଏବଂ ମାଧ୍ୟମର ଐକ୍ୟ ସମ୍ଭବ ନୁହେଁ । ପ୍ରତ୍ୟେକଙ୍କର ବ୍ୟକ୍ତିତ୍ୱ ମାନନୀୟ ଏବଂ ସ୍ୱତନ୍ତ୍ର ।

 

ଏଣୁ କବି ହୁଏତ ଭାବରାଜ୍ୟରେ ଆବେଗ ସଂବେଗକୁ ନେଇ ସୃଷ୍ଟି କରନ୍ତି । ତାଙ୍କ ଭାଷା କବିତା । ଅନ୍ୟ ପକ୍ଷେ ରଚନାର ରଚୟିତା ଏବଂ ଚେତନାରେ ବିଳାସ କରେ । ତା’ର ଭାଷା ଗଦ୍ୟ । ୟା’ର ଅର୍ଥ ନୁହେଁ ଯେ କବିତାରେ ଚିନ୍ତା ନାହିଁ କିମ୍ବା ରଚନାରେ ଆବେଗ ନାହିଁ । କେବଳ ଭାରମାପରେ ଊଣା ଅଧିକ ହେବାର ପରିଲକ୍ଷିତ ହୁଏ । ଭାଷା ମଧ୍ୟ ସେପରି କୌଣସି ପଥର କାନ୍ଥ ଭିତରେ ଅବରୁଦ୍ଧ ନୁହେଁ । କବିତା ଯେମିତି ଗଦ୍ୟାରୂଢ଼ ହେବାର ଦେଖାଯାଏ, ଗଦ୍ୟ ମଧ୍ୟ ସେଇଭଳି କବିତାକ୍ରାନ୍ତ ହେବାର ଦେଖାଯାଏ; ମଝିରେ ପାଣିଗାରଟିକୁ କେବଳ ଡେଇଁଯିବା କଥା । ଗୋଟାଏ ଦିଗରେ ହୁଏତ ମନ୍ତ୍ରପୂତ ବିଶୁଦ୍ଧ କବିତା, ତରଳ, ମୃଦୁଳ ଏବଂ ସୂକ୍ଷ୍ମ ଏବଂ ଅନ୍ୟ ଦିଗରେ ଚାରିକୋଣିଆ ନିବିଡ଼ ଗଦ୍ୟ । ଏ ଦୁଇଟି ଦୂରତମ ବିନ୍ଦୁ ମଧ୍ୟରେ ଅନେକ ପ୍ରଶସ୍ତ ସାଧାରଣ ଭୂମି । ସେଇଠି ରଚନା ଲେଖାହୁଏ । ଆଉ ଧାରେ ଘୁଞ୍ଚିଗଲେ ଯାହା ତରଳିଯାଇ କବିତା ହୋଇ ଯାଆନ୍ତା, ତାହା ହିଁ ରଚନା । ଯେଉଁଠି କବିତା ଛନ୍ଦ ବଦଳାଇ ମନ୍ଥର ହୋଇଯାଏ, ତାହା ହିଁ ରଚନା । ଏହା କିନ୍ତୁ ଗଦ୍ୟପଦ୍ୟର ଅପମିଶ୍ରିତ ନୁହେଁ । ଏହା ଏକ ଅନାବିଷ୍କୃତ ଭୂମି; ଯେଉଁଠି ସାହିତ୍ୟର କୌଣସି ବିଶୁଦ୍ଧ ବର୍ଗପାଇଁ ବାରଣ ନାହିଁ । ଗଳ୍ପ, ନାଟକ, କବିତା, ପ୍ରବନ୍ଧ ଖୁବ୍ ସହଜଭାବରେ ଏଠି ପ୍ରବେଶ କରିପାରନ୍ତି; ପରସ୍ପର ପ୍ରତି ଘନିଷ୍ଠ ସହନଶୀଳତା ପ୍ରକାଶ କରିପାରନ୍ତି । ଏପରି ଅଭିଜାତ ସମ୍ଭିଳନୀରେ କେତେ ଶାଳୀନ–ସଂଯମ ଏବଂ କେତେ ସଚେତନତାର ପ୍ରୟୋଜନ ଆପଣ ବିଚାର କରନ୍ତୁ ! ଆପଣ ତ ନିଜେ କବି !

 

ଏଣୁ ‘‘ଯେ କୌଣସି ବିଷୟରେ’’ ଆପଣ ଯେହେତୁ କବିତା ଲେଖିପାରନ୍ତି ନାହିଁ, ରଚନା ମଧ୍ୟ ଲେଖିବା ସମ୍ଭବ ନୁହେଁ ।

Image

 

ସମୟ ନାହିଁ

 

ସମୟ ନାହିଁ କହିବା ଏକ ମିଥ୍ୟା; କିନ୍ତୁ କହିଦେଲେ ଅନେକ ଅବାଞ୍ଛିତ ଦୟାରୁ ମୁକ୍ତି ମିଳିଯାଏ । କାରଣ ଇଚ୍ଛା ନାହିଁ, ଆଗ୍ରହ ନାହିଁ, ଲାଭ ନାହିଁ ଇତ୍ୟାଦି କହି କେହି କାହାକୁ ଆଜିକାଲି ଟାଳିଦେବା ସେତେ ସହଜ ନୁହେଁ; ନିରାପଦ ମଧ୍ୟ ନୁହେଁ । ଏଣୁ କୌଣସି ଅନୁରୋଧ, ପ୍ରାର୍ଥନା ଅଥବା ଛୋଟ ଛୋଟ ଦାବିକୁ ଉପେକ୍ଷା କରିବାକୁ ହେଲେ, କର୍ତ୍ତା କିମ୍ବା ଦାତା ପଣରେ ଥିବା ଲୋକ ଏଇ ମନ୍ତ୍ର ଉଚ୍ଚାରଣ କରି ଖସିଯାଆନ୍ତି । ଉଭୟ ପକ୍ଷ ବୁଝିପାରନ୍ତି ଯେ ଏହା ଏକ ପ୍ରବଞ୍ଚନା । ଅଢ଼େଇ ପଦ ବି ନୁହେଁ; ମାତ୍ର ଦୁଇଟି ପଦର ଏ ଗାରେଟିକୁ ଅଳ୍ପ ବହୁତ ସମସ୍ତ ଆୟତ୍ତ କରିନେଇଛନ୍ତି । କହିବା ଲୋକ ଜାଣିଶୁଣି ଭଣ୍ଡି ଦିଅନ୍ତି; ଶୁଣିବା ଲୋକ ଜାଣିଶୁଣି ଭଣ୍ଡି ହୋଇଯା’ନ୍ତି । ଏମିତି ସଚିବାଳୟଠାରୁ ତହସିଲ୍‌ ଅଫିସ୍‌ ପର୍ଯ୍ୟନ୍ତ ଏହାର ବହୁଳ ସର୍ବଜନ ଆଦୃତ ଏବଂ ସ୍ୱୀକୃତ ପ୍ରୟୋଗ ଆମେ ଲକ୍ଷ୍ୟ କରିଥାଉ ।

 

ଗୋଟାଏ ନିର୍ଦ୍ଦିଷ୍ଟ ସଂପର୍କ ନ ଥିଲେ କିନ୍ତୁ ଏହା ପ୍ରୟୋଗ କରିହୁଏ ନାହିଁ । ପାହାଡ଼ଶିଖ ଉପରେ ରହି ଗୋଟାଏ ଢିମା ପଥରକୁ ତଳକୁ ଗଡ଼େଇ ଦିଆଯାଇପାରେ; ଉପରକୁ ଫୋପାଡ଼ିବା ସମ୍ଭବ ନୁହେଁ । ଯଦି ସମ୍ଭବ, ନିରାପଦ ନୁହେଁ । ମଳିମୁଣ୍ଡିଆ ଗାଉଁଲିଆ ପ୍ରାର୍ଥୀଟିଏ ନ୍ୟାୟ ବିଚାର ଆଶାରେ ତିନିମାସ ଧରି ଅଧିଆ ପଡ଼ିଛି ଏବଂ ହୁକୁମ୍‌ ଶୁଣିଆସୁଛି ଯେ ତାକୁ ଶୁଣିବାକୁ ହାକିମଙ୍କ ସମୟ ନାହିଁ । ସେ ବୁଝିଯାଏ ଯେ ଚତୁର୍ଦ୍ଦିଶ ଭୁବନ କଥା ବୁଝିଥିବା ମାଲିକଙ୍କୁ ସତକୁ ସତ ବେଳ ନଥିବ । ଏଣେ କୌଣସି ଅତି ଘରୋଇ କାରଣରୁ ବନ୍ଧୁପତ୍ନୀଙ୍କ ଫୋନ୍‌ ପାଇ ସେ ତରତର ହୋଇ ଗାଡ଼ିକୁ ବାହାରିଯାଉଛନ୍ତି, କିମ୍ବା କଲିକାତାରୁ ହଠାତ୍‌ ପ୍ଲେନ୍‌ ଯୋଗେ ଆସି ପହଞ୍ଚିଥିବା ଯଜମାନ ଅପେକ୍ଷାକରି ରହିଛି ଯେ ଟେବୁଲ ପାଖେ ସାହେବ ନ ବସିବାଯାଏଁ ମହାର୍ଘ ପାନୀୟର ଠିପି ସୁଦ୍ଧା ଖୋଲିବ ନାହିଁ । ସେ ତୃଷାର୍ତ୍ତ ଭକ୍ତକୁ ତ୍ରାଣ କରିବାକୁ ବଦ୍ଧପରିକର ! ଏଣୁ ସେ ଅଧିଆ ପଡ଼ିଥିବା ପ୍ରାର୍ଥୀକୁ ଏକଶହ ଏକଥର ପାଇଁ କୁହାଯାଇପାରେ ସମୟ ନାହିଁ । ପଥର ଗଡ଼େଇବାକୁ ହେବ । ଉପରକୁ ତ କଦାପି ନୁହେଁ, କେବଳ ତଳକୁ ! ଏଣୁ ତାହା ଗଡ଼ିଯାଏ ।

 

କିନ୍ତୁ ଏତିକିବେଳେ ଯଦି ପଛରୁ ଅର୍ଦ୍ଦଳ ଅସମ୍ଭାଳ ଦୌଡ଼ିଆସି କହେ ଯେ ସର୍ବୋଚ୍ଚ କର୍ତ୍ତା ଡାକୁଛନ୍ତି, ପୃଥିବୀର ସୁବଯାକ ସମୟ ଆଞ୍ଜୁଳାରେ ଧରି କୁଆଡ଼େ ଯିବେ ବୋଲି ସେ ବାଟ ଖୋଜି ପାଆନ୍ତି ନାହିଁ । ‘ସେଠି ସମୟ ନାହିଁ’ କହିବା ଅର୍ଥ ମୁଣ୍ଡ ନାହିଁ । ଉପରମୁହାଁ କଣ ଏ ପଥରଚକି ଫୋପଡ଼ାଯାଏ ! ଦଶଗୁଣ ବେଗରେ ଯେତେବେଳେ ସେ ଉପରୁ ଖସିବ ଏବଂ ସେ ନିଶ୍ଚୟ ଖସିବ, ସେତେବେଳେ ଗାରେଡ଼ି ମନ୍ତ୍ର ସହିତ ମନ୍ତ୍ର-ସାଧକକୁ ଛତୁ ନ କରି କଣ ଛାଡ଼ିଦେବ-! –ସେ ବରଂ ସେଇ ତୃଷାର୍ତ୍ତ ବନ୍ଧୁ, ଏବଂ ଅପେକ୍ଷମାଣା ବନ୍ଧୁ ପତ୍ନୀଙ୍କୁ ସେଇ ଅର୍ଦ୍ଦଳି ଜରିଆରେ ଜଣେଇଦେବ ଯେ, ‘ବଡ଼ ହାକିମ ଡାକିନେଲେ’ ! ନ କହି କହିଦେବ ଯେ, ‘ତୁମ ପାଇଁ ସମୟ ନାହିଁ’-। ତୁମେ ଆପେକ୍ଷିକ ନିମ୍ନ ଭୂମିରେ ପଡ଼ିଗଲେ ! ତୁମ ଉପରକୁ ପଥରଚକି ଗଡ଼ିଗଲା !

 

ତାହାହେଲେ ଜଣାଗଲା ଯେ କେବଳ ତଳମୁହାଁ ଏ ମନ୍ତ୍ର ପ୍ରୟୋଗ କରାଯାଏ, ଉପରକୁ ନୁହେଁ...ଉପରପାଇଁ ସବୁ ସମୟ ଅଛି... ତଳପାଇଁ କିଛି ସମୟ ନାହିଁ । ପ୍ରତି ମୁହୂର୍ତ୍ତରେ ଆମେ ଅସଂଖ୍ୟ ବିକଳ୍ପର ସମ୍ମୁଖୀନ ହେଉ ଏବଂ ଗୋଟିକୁ ବାଛିନେଉ ରୁଚି, ଲାଭ ଏବଂ ପ୍ରୟୋଜନ ଦୃଷ୍ଟିରୁ । ବାକି ସମସ୍ତଙ୍କୁ ଛାଡ଼ିଦେବାକୁ ହୁଏ; ଟାଳିଦେବାକୁ ହୁଏ । କହିବାକୁ ହୁଏ ଯେ ସମୟ ନାହିଁ-! ଜୀବନ ଅସଂଖ୍ୟ ବିକଳ୍ପ ଅର୍ପଣ କରି ଚାଲିଥାଏ । ଆମେ ମାତ୍ର ଗୋଟିଏ ରେଣୁ ବାଛି ଚାଲିଥାଉ-। ଆମ ଜବୀନକାଳର ସରୁ ସୂତାରେ ସେମାନେ ଗୁନ୍ଥି ହୋଇ ରହିଥାନ୍ତି । ଦ୍ୱିତୀୟ ସମ୍ଭାବନାପାଇଁ ଅବସର କାହିଁ ? ସେଥିପାଇଁ ଆଉ ଗୋଟିଏ ସୂତାର ଆଶ୍ରୟ ନେବାକୁ ପଡ଼ିବ । ଆମେ ପୂବର୍କୁ ଚାହିଁଲେ ପଶ୍ଚିମକୁ ଚାହିଁ ପାରିବା ନାହିଁ । ଉପରକୁ ଚାହିଁଲେ ତଳକୁ ଚାହିଁପାରିବା ନାହିଁ । ଆମେ କଣ ସହସ୍ରାଂଶୁ ସୂର୍ଯ୍ୟ ହୋଇଛୁ ଯେ ପ୍ରତ୍ୟେକ ଲୋମକୂପରେ ଅହରହ ଆଲୋକ ବର୍ଷା କରିପାରିବୁ ? ଏଣୁ ଆମକୁ ବାଛିବାକୁ ପଡ଼େ । ସୀମା ଭିତରେ ଅସୀମକୁ ଗୋଟିଏ ଗୋଟିଏ ମାତ୍ର ଗଣ୍ଡୁକ୍ଷରେ ଧାରଣ କରିବାକୁ ପଡ଼େ । ଆମେ ନାଚାର । ଆମର ସତରେ ସମୟ ନାହିଁ ଜୀବନର ବିପୁଳ ଐଶ୍ୱର୍ଯ୍ୟ ପାଇଁ । କେତେ ସେ ନେବାକୁ ଚାହେଁ, ଅଥଚ କେତେ ଛୋଟ ଆମର ଅଣ୍ଟି । ମାଣକ ପୂରିଯିବାକୁ କେତେ ବେଳ ? ଆଞ୍ଜୁଳାଏ ଲୁଣପାଣି କିମ୍ବା ଆଞ୍ଜୁଳାଏ ବାଲିରେ ଭରିଯିବ ହୁଏତ ! ଆଞ୍ଜୁଳାଏ ମଣିମାଣିକ୍ୟରେ ମଧ୍ୟ ଭରିପାରିଥାନ୍ତା-

 

ଏଭଳି ଜୀବନକୁ ବୁଝିଗଲାପରେ, ଦପ୍ତର ବାହାରେ ଅପେକ୍ଷା କରିଥିବା ପ୍ରାର୍ଥୀଟିକୁ ସମୟ ନାହିଁ ବୋଲି ଆଉ କହିହୁଏନାହିଁ; ବରଂ ତାର ବେଦନା ବୁଝିବାପରେ ତା’ ମୁଣ୍ଡ ଉପରୁ ସେ ଅଦୃଶ୍ୟ ବୋଝଟିକୁ ଓହ୍ଲେଇ ଦେବାକୁ ଇଚ୍ଛା ହୁଏ । କୁଆଡ଼େ ଗାରେ କଲମରେ ତାହା ହୋଇଯାଏ-। ନିର୍ବାକ୍ ପ୍ରାର୍ଥୀଟି ଆଖିରେ କୃତଜ୍ଞତାର ଅଶ୍ରୁ ନେଇ ଅନାଏ । ସେଥିରୁ ଦୁଇବିନ୍ଦୁ ମୁକ୍ତା ଯଦି ମାଣରେ ସଂଚିତ ରହିଗଲା, ତା’ ଠାରୁ ବଳି ଆଉ କଣ ଐଶ୍ୱର୍ଯ୍ୟ ଅଛି ଲୋଭ କରିବାକୁ ! ବନ୍ୟାରେ ଭାସିଯାଉଥିବା ଅପରିଚିତ ଭୋକିଲା ପିଲାଟିକୁ ବଙ୍କାଇ ଆଣିବାରେ ଯାହା ମିଳେ, ସେଇ ସମୟରେ କୋଠାଘର କଅଁଳ ଶେଯ ଉପରେ ବର୍ଷାରାତି ବିତେଇବାରେ ମିଳେନାହିଁ । ଏପରିକି ରୋଗିଣା ପୁଅକୁ ଜଗିରହି ଶୁଶ୍ରୂଷା କରିବାରେ ମଧ୍ୟ ମିଳେନାହିଁ । ବିଭିନ୍ନ ବିକଳ୍ପର ମୂଲ୍ୟ ବୁଝିଗଲେ, କାହାପାଇଁ ସମୟ ଦେବାକୁ ହେବ, ସେଥିରେ ଆଉ ତ୍ରୁଟି ହୁଏନାହିଁ । ବର୍ଷ ମାସ, ଦିନ ଦଣ୍ଡ ଗୁଡ଼ିକ ବାଲି ଝରିଲାପରି ଝରିଯାଆନ୍ତି । ଆଜିର ଏ ତାରିଖଟି, ଚାଲିଗଲେ ଆଉ ମିଳିବନାହିଁ ! ମଣିଷକୁ ଅଧିକାର ମିଳିଛି, ଯେମିତି ଇଚ୍ଛା ସେ ସେମିତି ଏ ତାରିଖଟିକୁ ବଞ୍ଚିପାରେ । ନିଜକୁ ନିଜେ ଆଖିମାରିଦେଇ, ପ୍ରଚାରିତ କରିଦେଇ ହିଂସ୍ରଜନ୍ତୁ ଭଳି ବଞ୍ଚପାରେ । କହିପାରେ କ୍ଷୁଧା-ତୃଷାର ତୃପ୍ତି ସାଧାନା ହିଁ ଏକମାତ୍ର ସୁଖ ଏବଂ ଏହି ସୁଖ ହିଁ ଜୀବନର ଏକମାତ୍ର କାମ୍ୟ; ଏକ ମାତ୍ର ଲକ୍ଷ୍ୟ କିମ୍ବା ଫଳବନ୍ତ, ତପସ୍ୱୀ ଗଛଟିଏ ପରି ବଞ୍ଚିପାରେ ! ଯେ ଆସିଲା, ତାକୁ ଯଥାଶକ୍ତି ଛାୟାଦାନ କରି, ଯଥାସମ୍ଭବ ଫଳଦାନ କରି ନିଜେ ତୃପ୍ତିଲାଭ କରିପାରେ । ଏ ସବୁ ନିଜର ମୂଲ୍ୟବୋଧ ଏବଂ ବିକଳ୍ପ ବାଛିବାରେ ବିଜ୍ଞତାର ବ୍ୟାପାର ! ଯେ ଯେମିତି ବୁଝିଲା ।

 

କିନ୍ତୁ ପରିସ୍ଥିତି ଭେଦରେ ଏ ଦୁଇଟି ଶବ୍ଦ ଅତି ଗମ୍ଭୀର ମୁଦ୍ରାରେ ଆମ ଆଗରେ ଠିଆହୁଅନ୍ତି । ତ୍ରିବିକ୍ରମଙ୍କର ତୃତୀୟ ପାଦ ମୁଣ୍ଡ ଉପରେ ଧାରଣ କରି ବଳିଦାତା ଆଖିବୁଜି ଆସୁଛନ୍ତି । କେହି ଯାଚକ ବ୍ରାହ୍ମଣ ଯଦି ସିଂହଦ୍ୱାର ପାଖରେ ଦାନ ଭିକ୍ଷା କରିଥାନ୍ତା, ତାହା ନିରୁତ୍ତର କେବଳ ଚାହିଁଥାନ୍ତେ । ସେ ଦୃଷ୍ଟିର ଅର୍ଥ ହୋଇଥାନ୍ତା ବିଳମ୍ବ କରିଦେଲେ, ବ୍ରାହ୍ମଣ, ଯେଉଁ ଦ୍ୱାରରେ ଅଦେୟ କିଛି ନଥିଲା, ସେଇଠୁ ତୁମେ ରିକ୍ତହସ୍ତରେ ଫେରିନଥାନ୍ତ; କିନ୍ତୁ, ସମୟ ନାହିଁ ! ‘‘–ଏଥେନ୍‌ସର ବନ୍ଦିଶାଳରେ ବିଷପାତ୍ର ମୁହଁକୁ ଟେକିଲାବେଳେ ଯୁଗର ଜ୍ଞାନ-ଗୁରୁଙ୍କୁ ପ୍ରଣିପାତ କରି ଯଦି ନୂତନ ଶିଷ୍ୟଟିଏ ପ୍ରାର୍ଥନା କରିଥାନ୍ତା–ଆତ୍ମାର ସ୍ୱରୂପ କ’ଣ ମୁଁ ବୁଝି ପାରିଲି ନାହିଁ ଗୁରୁଦେବ, ବୁଝି ପାରିଲି ନାହିଁ, ସତ୍ୟ କଣ, ମିଥ୍ୟା କ’ଣ-କ’ଣ କରିବ ! –ନିରୁଦ୍‌ବିଗ୍ନ ଆଖିରେ ସେ ଥରେ ତାକୁ ନୀରବରେ ଚାହିଁଥାନ୍ତେ–ବିଳମ୍ବ କରିଦେଲେ, ଫିଡ଼୍ରସ୍‌ ! ଏ ଓଠରୁ ମାତ୍ର ଦୁଇଇଞ୍ଚ ବ୍ୟବଧାନରେ ନିସ୍ତରଙ୍ଗ ନୀଳ ନୀରବତା ଅପେକ୍ଷା କରିଛି ! ସମୟ ନାହିଁ ଫିଡ୍ରୋ–ସମୟ ନାହିଁ ! ଫୁଟିଲା ଫୁଲପରି ଅବୋଧ ଶିଶୁସନ୍ତାନର ମୁହଁ ନେଳି ପଡ଼ିଯାଉଛି ! ଡାକ୍ତର, ନର୍ସ, ବନ୍ଧୁ, କୁଟୁମ୍ବୀ, ଅସହାୟ ନିର୍ବାକ୍ ଠିଆହୋଇ ରହିଛନ୍ତି । ଆମାନିଆ ବାପ ଚିତ୍କାର କରୁଛି, ମୋତେ କହ ଡାକ୍ତର, କେତେ କୋଟି ଟଙ୍କା ବଦଳରେ ମୋର ଏକମାତ୍ର ସନ୍ତାନର ଜୀବନ ରକ୍ଷାହେବ ? ଏଇ ମୁହୂର୍ତ୍ତରେ ମୁଁ ତାକୁ କହିଲେ, ଆମେରିକା, ସୁଇଜରଲାଣ୍ଡ, ଜାପାନ ନେଇଯିବ ! –ଅଭିଜ୍ଞ ଡାକ୍ତର କେବଳ ତଳକୁ ଚାହିଁ ଠିଆରହିବେ । ଧନାଢ଼୍ୟ ଅପରାଜେୟ ବାପର ସବୁ ସାମର୍ଥ୍ୟକୁ ଅସ୍ୱୀକାର କରି ସୂଚାଇ ଦେବ ଯେ ସମୟ ନାହିଁ ।

 

କାହିଁକି ସମୟ ନାହିଁ ? ନାହିଁ, କାରଣ ସମୟ କେବଳ ପରିମିତି କାଳର ତରଙ୍ଗ । ମହାକାଳ ଉଭାହୋଇଗଲେ ସମସ୍ତେ ଆଡ଼ହୋଇ ଯିବାକୁ ବାଧ୍ୟ । ସେତେବେଳେ ସମୟ ନାହିଁ କହିଲେ ସତକୁ ସତ ସମୟ ନାହିଁ । ସମଗ୍ର ଜଗତ୍‌, ସମଗ୍ର ଜୀବନ, ସେମାନଙ୍କର ସବୁ ଐଶ୍ୱର୍ଯ୍ୟକୁ ସାଉଁଟିନେଇ, ସମ୍ଭ୍ରମର ସହିତ ଅପସରି ଆସନ୍ତି । ଯେଉଁ ମହାସମୁଦ୍ରରୁ ତରଙ୍ଗଟି ଉଠିଥିଲା, ସେଇ ମହାସମୁଦ୍ରକୁ ସେ ଫେରିଯିବ, ତାକୁ ରୋଧିବାକୁ ସାଧ୍ୟ କାହାର ! ଫେରିଗଲାବେଳେ ତରଙ୍ଗ ନୀରବ; ଜଣାଇଦିଏ–ଧନ୍ୟବାଦ ପୃଥିବୀ–ଆଉ ତୋ ସହିତ ଖେଳିବାକୁ ସମୟ ନାହିଁ । ମୁଁ ସମୁଦ୍ରର ଲହର । ମୁହିଁ ତ ସମୁଦ୍ର–ମୁଁ ତୋର ନୁହେଁ କି କାହାରି ନାହିଁ । ସମୟ ସତେ କାହାରି ନୁହେଁ ! ମୁଠାଏ ଆକାଶକୁ ନେଇ ବିତରଣ କରିବା ଯାହା, ସମୟକୁ ମୋର ବୋଲି ଭାବି ତାକୁ ଇତର ପଦାର୍ଥ ପରି ଅଛି କିମ୍ବା ନାହିଁ କହିବା ମଧ୍ୟ ତାହା ! ମୋ ହାତରେ ଏବେ ସମୟ ନାହିଁ ବୋଲି ଯୋଉମାନେ ଅବଲୀଳାକ୍ରମେ କହିଦିଅନ୍ତି, ସେମାନେ କଣ କହନ୍ତି, ବୋଧହୁଏ ବୁଝନ୍ତିନାହିଁ । ସମୟ ତାଙ୍କୁ ନେଇ ଲୀଳା କରୁଥାଏ । ସେ ସେମାନଙ୍କୁ ଏବଂ ସେମାନଙ୍କ ଅଜ୍ଞତାକୁ କ୍ଷମାକରେ ।

Image

 

ସର୍ପଯଜ୍ଞ

 

ବାପର ଅପମୃତ୍ୟୁରେ ଉତ୍ତ୍ୟକ୍ତ ହେବାର ପାରିଲାପଣ ମୋର ନାହିଁ । ନିର୍ମଳ ମର୍ଯ୍ୟାଦାବନ୍ତ କ୍ରୋଧ ପ୍ରକାଶ କରିବାକୁ ମୋର ସାମର୍ଥ୍ୟ ନାହିଁ ! ତା’ର ପରିଣାମକୁ ମୁକାବିଲା କରିବାର ସାହସ ନାହିଁ, ମୋର ସମ୍ମାନବୋଧ ନାହିଁ । ଏଣୁ ଅପମାନବୋଧ ମଧ୍ୟ ନାହିଁ । ମୁଁ ଧନୁ ଧାରଣ କରିପାରିବି ନାହିଁ । ମୁଁ ଯୋଦ୍ଧା ନୁହେଁ । ମୋ ନାଁ ଜନ୍ମେଜୟ ନୁହେଁ, ଏଣୁ ଏ ସର୍ପକୁଳ ପୃଥିବୀରେ ମହାଯଜ୍ଞର ଅନୁଷ୍ଠାନ କରିବି, ପ୍ରବଳ ବିଷଧରମାନଙ୍କୁ ଅଗ୍ନିରେ ଆହୂତି ଦେଇ ପ୍ରାଚୀନ ଯୋଗ୍ୟ ହେବି, ଆଶ୍ୱସ୍ତ ହେବି, ଆଶ୍ୱସ୍ତ କରିବି ଏ ପୃଥିବୀକୁ, ଏପରି ସଂକଳ୍ପ ସିଦ୍ଧ ଯଜମାନ ମୁଁ ନୁହେଁ । ଅବାକ୍‌ ପୃଥିବୀ, ବିଷଜ୍ୱାଳାରେ କାତରେ ଗାଈଟିଏ ପରି ମୋତେ ଚାହିଁ ରହିବାର ଅର୍ଥ କିଛି ନାହିଁ । ତୁ ବରଂ ଶୂନ୍ୟକୁ ଚାହିଁରହ, ପୃଥିବୀ ! ଅପହୃତ ପୌରୁଷର ଏ ମଳିନ ଛାଇଟା ସବୁମନ୍ତେ ଅସମର୍ଥ । ତୋ ପାଇଁ ମୋର ବ୍ୟଥା ନାହିଁ, କ୍ଷୋଭ ନାହିଁ, କାରୁଣ୍ୟ ନାହିଁ । ନିଜପାଇଁ ମଧ୍ୟ ଗ୍ଳାନି ନାହିଁ, ଧିକ୍‌କାର ନାହିଁ, ପରିତାପ ନାହିଁ । କାରଣ ମୋର ତୃତୀୟ ବିସ୍ତାର ନାହିଁ, ମୁଁ ଛାଇଟାଏ । ମୁଁ ସାପ ବି ନୁହେଁ । ମୋର ସେଭଳି ରୂପାନ୍ତର ହେଲେ, ମୁଁ ହେବି ଦୁର୍ବଳ, ନିର୍ବିଷ, ଡୁଣ୍ଡ ଭଟାଏ; କିନ୍ତୁ ସାପ ନୁହେଁ । କାରଣ ମୋ ଭିତରେ କୌଣସି ପ୍ରକାର ଉତ୍ତାପ ନାହିଁ କି ଅଗ୍ନି ନାହିଁ । ସାପ ହେବାକୁ ହେଲେ ବିଷଧାରଣ କରିବାକୁ ହେବ । ବିଷ ଏକପ୍ରକାର ନୀଳ-ଲୋହିତ ଅଗ୍ନି । ସେଥିପାଇଁ ମୁଁ ସମର୍ଥ ନୁହେଁ । ବିଷଦଗ୍‌ଧ ପୃଥିବୀର ମନ୍ତ୍ରାହୂତ ସର୍ପଯଜ୍ଞର ପୁରୋଧା ତ ମୁଁ ନିଶ୍ଚୟ ନୁହେଁ, ସାପଟିଏ ବି ନୁହେଁ ।

 

ଏଣୁ ଏ ଅପଶାସିତ ଜନପଦମାନଙ୍କରେ ଭେଳା ଭେଳା ହୋଇ ଅସଂଖ୍ୟ ଅଶ୍ଳୀଳ, ଉଲଗ୍ନ, ଉଗ୍ର-ମିଥୁନୀ ସାପମାନେ ଅବାଧ ବିଚରଣ କରନ୍ତୁ । ସେମାନଙ୍କ ନିର୍ବିଚାର ଧର୍ଷଣରେ ମାତୃରୂପା ପୃଥିବୀ ରକ୍ତ ବମନ କରୁ । ଲୋପ ପାଇଯାଉ ନାରୀକୁଳର ମର୍ଯ୍ୟାଦା । ସେମାନେ ପିଚ୍ଛିଳ, କ୍ଷିପ୍ର, ଉଦ୍ଦଣ୍ଡ, ଉଦ୍‌ବୀର୍ଯ୍ୟ ସରୀସୃପ । ସେମାନରଙ୍କର ଶରୀର ଶୀର୍ଣ୍ଣ, ମେଦ-ବିରଳ । କୃଷ୍ଣ-ଧୂସର ବର୍ଣ୍ଣର ଏ ବିଷଧରମାନଙ୍କର ମୁଖ ବ୍ରଣାଙ୍କିତ, ଚକ୍ଷୁ ଲୋହିତ ବର୍ଣ୍ଣ । ସେମାନେ ଅହରହ ଫଣା ବିସ୍ତାର କରି ଫୁ-ଫୁକାର କରୁଥାନ୍ତି । ସେମାନଙ୍କ ଶରୀରରେ ଅଜସ୍ର ବଳ । ବିଜୁଳିପରି ସେମାନେ ବେଗବନ୍ତ, ଉତ୍କଟ ବିଷ ସେମାନଙ୍କ ରୋମେ ରୋମେ ଭରିରହିଛି । ସେମାନେ ଦମ୍ଭୀ, ଦର୍ପୀ, ଦୁର୍ବିନୀତ । ସେମାନେ କାହାକୁ ମାନନ୍ତିନାହିଁ । ଦଳବଦ୍ଧ ହୋଇ ମାଡ଼ିଗଲାବେଳେ କେବଳ ଚିତ୍ତ ବିନୋଦନ ପାଇଁ ଗୁରୁକଳ୍ପ ମାନନୀୟ ପୁରୁଷମାନଙ୍କୁ ହତ୍ୟା କରି କରି ଚାଲିଥାନ୍ତି । ସେମାନେ କୌଣସି ଅନୁଷ୍ଠାନକୁ ନିରୁପଦ୍ରୁତ ବଞ୍ଚିବାକୁ ଦିଅନ୍ତି ନାହିଁ । ସବୁଠାରେ ସେମାନଙ୍କ ଦଂଶନର କ୍ଷତଚିହ୍ନ । ସବୁଠାରେ ସେମାନଙ୍କର ବିଷଜ୍ୱାଳା । ସେମାନଙ୍କ ଏକମାତ୍ର ଲକ୍ଷ୍ୟ ଉନ୍ମତ୍ତ ଶୃଙ୍ଗାର । ଏକମାତ୍ର ଧ୍ୟେୟ ଯୌନ ସମ୍ଭୋଗ । ସେମାନେ ଏକେ ଏକେ ଏହି ଉତ୍କଟ ମୈଥୁନର ସ୍ଫୀତ ରୂପ । ଯୌନ ଚେତନାର ଏ ଅସଂଖ୍ୟ ସରୀସୃପ ଅନୁରୂପ ଚେତନାର ଅସଂଖ୍ୟ ସର୍ପୀ । କେବଳ ବିଷ ସେବନ କରନ୍ତି, ବିଷ ସଂଚାର କରନ୍ତି । ଘୋର ରାବ କରି ଏ ଜନପଦମାନଙ୍କୁ କମ୍ପିତ କରନ୍ତି । ରକ୍ତ, ରେତ, ସ୍ୱେଦରେ ସେମାନେ ଆଲୁଳାୟିତ ହେଉଥା’ନ୍ତି । ହତ୍ୟା, ବଳାତ୍କାର, ଦଂଶନ, ଧର୍ଷଣ ସେମାନଙ୍କ ବିଳାସ, ସେମାନଙ୍କୁ ଶାସନ କରିବାର ଉପାୟ ନାହିଁ । ସେପରି ଶକ୍ତିଶାଳୀ ପୁରୁଷ କିମ୍ବା ଅନୁଷ୍ଠାନ ନାହିଁ, ଯେ ଏମାନଙ୍କୁ ଭିଡ଼ିଆଣି ପ୍ରଚଣ୍ଡ ହୁତାଶନରେ ନିକ୍ଷେପ କରନ୍ତା । ସେମାନଙ୍କର ଦୀର୍ଘ, ଶୀର୍ଣ୍ଣ, ଅମିତ–ବଳଶାଳୀ ସର୍ପପିଣ୍ଡ ଅନଳ ଶଯ୍ୟାରେ କୁଣ୍ଡଳୀ ବାନ୍ଧି ଜଳିଯା’ନ୍ତା । ସହସ୍ର ସହସ୍ର ସଂଖ୍ୟାରେ ଶୂନ୍ୟରୁ ସେମାନେ ହୋମ କୁଣ୍ଡକୁ ଖସୁଥାନ୍ତେ, ପ୍ରବଳ ଗର୍ଜନ କରୁଥା’ନ୍ତେ, ମୋଡ଼ି ହେଉଥା’ନ୍ତେ, ଭିଡ଼ି ହେଉଥା’ନ୍ତେ; କିନ୍ତୁ କୌଣସି ଅପରିମେୟ ମନ୍ତ୍ରଶକ୍ତି ସେମାନଙ୍କୁ ଓଟାରିଆଣି ନିଆଁରେ ଫିଙ୍ଗିଦେଉଥା’ନ୍ତା । ତା’ ଯେହେତୁ ସମ୍ଭବ ନୁହେଁ, ସେମାନେ ଅବାଧ ବିଚରଣ କରିବେ । ସର୍ବମାନ୍ୟ ଗୁରୁକୁଳକୁ, ପିତୃକୁଳକୁ ମର୍ଦନ କରିବେ-। ନାରୀ କୁଳକୁ ନିର୍ବିଚାର ମନ୍ଥନ କରିବେ । ମୁଁ ଅକିଞ୍ଚନ, କିଏ ତାଙ୍କୁ ରୋକିବାକୁ ?

 

ନବତଳ ପ୍ରାସାଦପରି ଗୁମ୍ଫା ଭିତରେ ଯେଉଁମାନେ ବିଚିତ୍ର ଶଯ୍ୟାରେ ଲୋଟୁଥା’ନ୍ତି, ଯେଉଁମାନଙ୍କର ସର୍ବାଙ୍ଗରେ ମାଣିକ୍ୟ ଝଟକୁଥାଏ, ସେମାନେ, ପୃଥୁଳ, ଚର୍ବିଳ, ଅତି ଭୟଙ୍କର ବିଷଧାରୀ ମଣିଚୂଡ଼ ସର୍ପ । ସେମାନଙ୍କର ଚାରିଆଡ଼େ ଅସଂଖ୍ୟ ସେବକ, ଡୁଣ୍ଡଭ-ପ୍ରାୟ ଚାଟୁକାରୀ ସାପ ବିବର ରକ୍ଷାକରୁଥା’ନ୍ତି । ଅନ୍ତଃପୁର ଭିତରେ ଅସଂଖ୍ୟ ଅପହୃତା ସର୍ପୀ ମହାର୍ଘ ବସନ ଭୂଷଣରେ ମଣ୍ଡିତ ହୋଇ, ବ୍ୟସନ–ଉଦ୍ଦୀପକ ଅଙ୍ଗଭଙ୍ଗୀଦ୍ୱାରା ପ୍ରଭୁଙ୍କ ଦୃଷ୍ଟି ଆକର୍ଷଣ କରୁଥା’ନ୍ତି । ପ୍ରଭୁ ସ୍ୱୟଂ ଦଳପତି । ତାଙ୍କର ଦୁର୍ମଦ ସୁରାସକ୍ତ ଅନୁଚରମାନଙ୍କୁ ନେଇ ପାରିଧିରେ ବିଜେ କରନ୍ତି । ଜାଳିଯା’ନ୍ତି ଜନପଦ । ବିଷଜ୍ୱଳାରେ ଦଗ୍‌ଧିଭୂତ ହୁଏ ପୁଷ୍ପ-ଉଦ୍ୟାନ । ସବୁ ପକ୍ଷୀବସାରୁ ଶାବକମାନଙ୍କୁ ସେମାନେ ଖାଇଯାନ୍ତି । ପିଇଯାନ୍ତି ସବୁ ଗାଈ ପହ୍ନାରୁ କ୍ଷୀର । କଙ୍କଣ ପାଇଁ ହାତ ଛିଣ୍ଡାଇ ଦିଅନ୍ତି; ହାର ପାଇଁ ଗଳା କାଟି ଦିଅନ୍ତି । ଭାରଭାର କାଞ୍ଚନ, ମଣିମୁକ୍ତା ତାଙ୍କ ପଛେ ପଛେ ଭାରବାହୀ ପଶୁଙ୍କ ପିଠିରେ ବୁହା ହୋଇ ଚାଲିଥାଏ । ସେମନାଙ୍କ ପ୍ରାସାଦ ବେଢ଼ା ଭିତରେ ସୁନାରୁପାର ଧାତବ ଅରଣ୍ୟ, ମଣିମାଣିକ୍ୟର ଖମ୍ବ, ବୈଦୁର୍ଯ୍ୟର ବାଡ଼ । ସେମାନେ ବିବିଧ ମାଂସଭୋଜୀ ଉଷ୍ଣ ରକ୍ତ-ପାୟୀ ପୃଥୁଳ ସରୀସୃପ । ସେମାନେ ଧନାଢ଼୍ୟ, ଧନଲୋଭୀ ଧନାନ୍ଧ ସର୍ପ-। ମଣି ଲୋଭରେ ସେମାନେ ନିଜର ଘନିଷ୍ଠ ସହୋଦରର ମୂର୍ଦ୍ଧ । ବିଦାରଣ କରିପାରନ୍ତି । ହାଣିଦେଇ ପାରନ୍ତି ପିତା କିମ୍ବା ପୁତ୍ରର ମୁଣ୍ଡ । ଜୀବନ ଅପେକ୍ଷା ଧନ ଅଧିକ ମୂଲ୍ୟବାନ ବୋଲି ସେମାନେ ବିଚାରିଥାନ୍ତି । ସୁନା ନିଶୁଣିରେ ଯେକୌଣସି ଧ୍ୱଜା-କଳସରେ ସେମାନେ ଚଢ଼ିଯାଇ ପାରନ୍ତି । ସେଥିରେ ସେମାନେ ସ୍ୱର୍ଗକୁ ସୁଦ୍ଧା ଧାଡ଼ିଦେବାର ମସୁଧା କରୁଥାନ୍ତି । ଏମାନେ ଲୋଭୀ, ଭୀରୁ । ମୁହୂର୍ତ୍ତେ ମୁହୂର୍ତ୍ତେ ରୂପବର୍ଣ୍ଣ ବଦଳାଇ ନିଜକୁ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ କରାଉଥାନ୍ତି । ସେମାନଙ୍କର ମଣିମଣ୍ଡିତ ପୃଥୁଳ ଶରୀରଗୁଡ଼ିକ ହବନ କୁଣ୍ଡରେ ନିକ୍ଷିପ୍ତ ହେଲେ ପ୍ରଚୁର ମେଦ ଏବଂ ଚର୍ବିରେ ମାତିଉଠିବ ହୋମଅଗ୍ନି ! ଆହୁତିରେ ଅପେକ୍ଷା ନ ରଖି ସେ ଯେମିତି ଲୋଳଜିହ୍ୱା ହୋଇ ଶିଖା ବିସ୍ତାର କରିବ । ଅତିକାୟ, ହାତୀ-ଶୁଣ୍ଢ ପରି ଧୂମ୍ରାକ୍ଷ, ସ୍ଥୂଳଚର୍ମ, ବିପୁଳୋଦର ବୋଡ଼ା ଅଜଗରମାନେ ମେଦ ପ୍ରପାତପରି ଭୟଙ୍କର ଶବ୍ଦ କରି ଅଗ୍ନିରେ ପତିତ ହେବେ । ଉଶ୍ୱାସ ବୋଧ କରିବ ବସୁନ୍ଧରା, ନିରୂପଦ୍ରୁତ ହେବ ପୃଥିବୀ ।

 

ସମ ପରିମାଣରେ ଅତିକାୟ ଅଥଚ ପ୍ରଚଣ୍ଡ ବିଷଧାରଣ କରି ନୀଳଜୀମୂତ ପରି ଦିଶୁଥିବ ପର୍ବତ, କର୍କୋଟକାଦି ଅହିରାଜମାନେ ମନ୍ତ୍ରବଳରେ ଧୃତ ହେଲାବେଳେ ବନ୍ଧା ପଡ଼ିଥିବା ମତ୍ତ ଗଜରାଜ ପରି ପ୍ରବଳ ଶକ୍ତିରେ ପୃଥ୍ୱୀ ଦୁଲୁକାଇବେ । ଫିଟିଯିବା ପାଇଁ କିନ୍ତୁ ସେମାନଙ୍କର ଆୟତ୍ତ ନଥିବ । ତପ୍ତକଟାହ ପରି ସେମାନଙ୍କର ମୁଖବିବର ଅଗ୍ନି ବର୍ଷା କରୁଥିବ । ବଜ୍ରସୂଚୀପରି ଦଶନାଗ୍ରରୁ ବିଦ୍ୟୁତ୍‌ ସ୍ଫୁରଣ ହେଉଥିବ । ମର୍କତ ପିଣ୍ଡପରି ଲୋହିତ ଚକ୍ଷୁଯୁଗଳ ଫାଟିପଡ଼ୁଥିବ କ୍ରୋଧରେ । ସହସ୍ରେ ମାତଙ୍ଗର ଶକ୍ତି ସ୍ଫୁରିତ ହେଉଥିବ ସେମାନଙ୍କର ପ୍ରକାଣ୍ଡ ଶରୀରେ । ପୁଚ୍ଛାଘାତରେ ପାହାଡ଼ ଚୂର୍ଣ୍ଣୀଭୂତ ହେଉଥିବ, ନିଃଶ୍ୱାସରେ ଜଳିଯାଉଥିବ ଅରଣ୍ୟ । ଅଥଚ ଏକ ଅମୋଘ ଅଦୃଶ୍ୟ ଶକ୍ତିର କାଳଫାଶରେ ସେମାନେ ଘୋଷାରି ହେଇ ଯାଉଥିବେ । ସେମାନେ ହିଁ ପ୍ରବଳ ଶକ୍ତିଶାଳୀ ସ୍ୱେଚ୍ଛାଚାରୀ ଶାସକ । ସେମାନେ ଇନ୍ଦ୍ର ଚନ୍ଦ୍ରଙ୍କୁ ସୁଦ୍ଧା ବଚସ୍କରରୂପେ ବ୍ୟବହାର କରିଆସିଛନ୍ତି । ଶାସି ବସିଛନ୍ତି ଏ ପୃଥିବୀକୁ । କାହାର ସାମର୍ଥ୍ୟ ସେମାନଙ୍କୁ ଅବଜ୍ଞା କରିବ ? ଶାସ୍ତ୍ରୋକ୍ତ ଗଦମାନଙ୍କୁ ସେମାନେ ବହୁକାଳୁ ଜାଳି ସାରିଛନ୍ତି । ତଦ୍‌ବିଦ୍‌ମାନଙ୍କୁ ଦ୍ୱୀପାନ୍ତର କିମ୍ବା ଲୋକାନ୍ତର ପଠାଇବାର ବ୍ୟବସ୍ଥା କରିଦେଇଛନ୍ତି । ନିଷ୍କଣ୍ଟକ ହୋଇସାରିଛି ସର୍ପ-ଶାସନ । ସେଇ ଦୁର୍ମଦ ବିଷଧରମାନଙ୍କୁ ସେମାନଙ୍କର ଭୃତ୍ୟ, ପରିଜନ ସହିତ ଓଟାରି ଆଣିଲାବେଳେ ସମସ୍ତେ ମନ୍ତ୍ର-ଶକ୍ତି ଆମଞ୍ଚିତ ଧନୁପରି ଟାଣିହୋଇ ରହିଥିବ । ସେମାନେ ଅଗ୍ନିର ବଳୟ ଭିତରରେ ପଡ଼ିବା ପର୍ଯ୍ୟନ୍ତ କାହାରି ବିଶ୍ୱାସ ହେଉନଥିବ ଯେ ଏମାନେ ସତେ ନିପାତ ହେବେ । ରାଜରାଜକୁ ସିଂହ ଘୋଷାରିଲା ପରି ସେମାନଙ୍କୁ ହୋମକୁଣ୍ଡ ଯାଏ କିଏ ସତେ ଅଦୃଶ୍ୟ ରହି ଭିଡ଼ିନେଉଛି, କେହି ବୁଝି ପାରୁ ନଥିବେ । ବିସ୍ମିତ ହୋଇ ଚାହିଁରହିଥିବେ ଏ ମହାଯଜ୍ଞର ଅଗ୍ନିଙ୍କୁ । ମନେପଡ଼ୁଥିବ ସେ ପ୍ରତାପୀ ଅହିରାଜ ସିଂହାସନକୁ ବକ୍ରଗତିରେ ଆରୋହଣ କଲାବେଳେ କିପରି ସହସ୍ରେ ହତ୍ୟା କରିଛି, କିପରି ଗିଳି ଦେଇଛି ଗଣ୍ଡା ଗଣ୍ଡା ସ୍ୱପକ୍ଷ ବିପକ୍ଷର ସାପମାନଙ୍କୁ । ତା’ ଫଣା ଆଢ଼ୁଆଳରେ କିପରି ବିକଟ ଜନ୍ତୁମାନେ ଅହରହ ଶୋଣିତ ପାନକରି ହାଇ ମାରୁଥା’ନ୍ତି, ଆଗରେ ବିଷଜ୍ୱାଳାରେ ଜଳି ଯାଉଛନ୍ତି ସରଳ ଅସହାୟ ନିର୍ଦୋଷ ପ୍ରାଣୀମାନେ । ସେମାନେ ଏବେ ବିଧିର ବିଡ଼ମ୍ବନାରେ ନିଜେ ସର୍ପଯଜ୍ଞର ସମିଧରୂପେ ନିକ୍ଷିପ୍ତ ହେଉଛନ୍ତି । ଧନ୍ୟ ସେ ଯଶସ୍ୱୀ ଯଜମାନ ଯେ ପୃଥିବୀକୁ ବିଷମୁକ୍ତ କରିବାପାଇଁ ଏ ମହାଯଜ୍ଞ ଆବାହନ କରିଛନ୍ତି । ଧନ୍ୟ ସେ ମହାତେଜା, ମନ୍ତ୍ରସିଦ୍ଧ ଋତ୍ୱିକମାନେ ଯେ ସଂକଳ୍ପବଦ୍ଧ ହୋଇ ବସିଛନ୍ତି, ସମସ୍ତ ସର୍ପକୁଳକୁ ବିଧ୍ୱସ୍ତ କରିବେ; କିନ୍ତୁ ସେ ଯାବ୍‌ତ ସର୍ପଶାସନକୁ ସହିବାକୁ ହେବ, ତା’ର ସମସ୍ତ ଦଂଶନ, ଜ୍ୱାଳା, ଅପରିମେୟ ଯନ୍ତ୍ରଣା ଏବଂ ମୃତ୍ୟୁ ସ୍ୱୀକାର କରିବାକୁ ହେବ ।

 

ଏ ଅତିକାୟ ବିଷଧରଙ୍କ ସଂଖ୍ୟା ତଥାପି ମୁଷ୍ଟିମେୟ ମାତ୍ର । ତାଙ୍କ ତୁଳନାରେ କ୍ଷୁଦ୍ରତର ହୋଇଥିଲେ ସୁଦ୍ଧା ଉତ୍କଟତର ବିଷ ବହନ କରୁଥିବା ଛୋଟ ସାପଙ୍କ ସଂଖ୍ୟା ଅକଳନୀୟ । ସେମାନେ ବିବିଧ ମିଶ୍ରତ ବର୍ଣ୍ଣରେ ଚିତ୍ରିତ ହୋଇଥାନ୍ତି । ଯେକୌଣସି ପରିବେଶରେ ଅଭିନ୍ନ ମିଶିଯାନ୍ତି । ପତ୍ରରେ ପତ୍ରବର୍ଣ୍ଣ, ଫୁଲରେ ଫୁଲବର୍ଣ୍ଣ ଧାରଣକରି ବିଳାସ । ସମସ୍ତ ପ୍ରକାର ସୁନ୍ଦର ରୂପସୌଷ୍ଠବକୁ ବିଷଜ୍ୱାଳାରେ ବିବର୍ଣ୍ଣ କରିଦେବା ସେମାନଙ୍କର ସହଜାତ ପ୍ରବୃତ୍ତି । ଫୁଲକୁ ବୃନ୍ତରୁ ମଉଳାଇ ଦେବା, ପକ୍ଷୀଟିକୁ ଆକାଶରୁ ଖସାଇଦେବା, କମନୀୟା ଋଷିକନ୍ୟାକୁ ଭୂଇଁରେ ଲୋଟାଇଦେବା ଏମାନଙ୍କର ଆନନ୍ଦ । ଏମାନଙ୍କର କାହାରି ଫଣାନାହିଁ । ତ୍ରିଭୁଜାକାର ମୁଣ୍ଡଗୁଡ଼ିକ କେବଳ ଅସ୍ଥି ଏବଂ ବିଷରେ ନିର୍ମିତ । ସେମାନେ କାହାରି ଫଣା ଦେଖିଲେ ସହିପାରନ୍ତି ନାହିଁ । ସାପ ହେଲ ସୁଦ୍ଧା ଏମାନଙ୍କର ଦଂଶନରୁ ନିସ୍ତାର ନାହିଁ । ଏମାନେ ତେଜ ହରଣ କରନ୍ତି । ମାନ, ଜ୍ଞାନ, ରୂପ, ଗୌରବ ଦେଖିଲେ ଦଂଶନ କରନ୍ତି । ଅତି ସୂକ୍ଷ୍ମରୂପରେ ସେମାନେ ଦେବାଳୟରେ ପଶିଯା’ନ୍ତି–କାର୍ଯ୍ୟାଳୟ, ସଚିବାଳୟ, ସଭା, ସମିତି, ଅନୁଷ୍ଠାନରେ ପଶିଯା’ନ୍ତି । ସେଇଠି କୀଟରୂପରେ ସେ ସମସ୍ତଙ୍କୁ ରୁଗ୍‌ଣ, ବିବର୍ଣ୍ଣ, କଦାକାର କରିଦେବା ଏ ସାପମାନଙ୍କର ନିତ୍ୟନୈମିତ୍ତିକ କାର୍ଯ୍ୟ । ଏମାନଙ୍କୁ ସହସ୍ର ସଂଖ୍ୟାରେ ବିଷପ୍ରପାତ ପରି ସେ ମହାଯୋଗ କୁଣ୍ଡରେ ନିକ୍ଷେପ କଲେ ସ୍ୱଭାବବଶତଃ ସେମାନେ ସେ ଲୋଳଜିହ୍ୱା ଅଗ୍ନିର ଶିଖାକୁ ସୁଦ୍ଧା ମିଳନ କରିବାକୁ ଚେଷ୍ଟା କରିପାରନ୍ତି । ପରସ୍ପରକୁ ଦଂଶନ କରି କ୍ଷତବିକ୍ଷତ ଖଣ୍ଡ ବିଖଣ୍ଡ ହୋଇ ନିପାତ ହୋଇପାରନ୍ତି । ଏମାନଙ୍କର ଦାହ-ଧୂମ, ଅତିସାନ୍ଦ୍ର, ଧୂସର ରୂପରେ ଆକାଶକୁ ଆଚ୍ଛନ୍ନ କରିପାରେ-। ଏମାନଙ୍କର ଗଳିତ ଉଦରରୁ ଦ୍ୱେଷ, ଅସୂୟା ହିଂସା, ଈର୍ଷାଦି ଅଗ୍ନିରେ ଦଗ୍‌ଧ ହେଲାବେଳେ ଯଜ୍ଞଭୂମିକୁ ଉତ୍କଟ ପୁତି ଗନ୍ଧମୟ କରିପାରେ; କିନ୍ତୁ ଜଳ, ସ୍ଥଳ, ଆକାଶରେ, ମଣିଷର ଭିତରେ, ବାହାରେ, ତ୍ରିକୋଣର ମୁଣ୍ଡକାଢ଼ି ଛକି ବସି ରହିଥିବା ଏ ଅପରିମେୟ ସର୍ପ-ଥାଟକୁ ଅହୋରାତ୍ର ଯଜ୍ଞକୁଣ୍ଡରେ ହବନ କରିବାକୁ ହିଁ ହେବ । ନ ହେଲେ କୌଣସି ଫୁଲ ଅକ୍ଷତ ଫୁଟିପାରିବ ନାହିଁ; କୌଣସି ବ୍ୟକ୍ତିର ସହଜ ପ୍ରତିଭା ଅମ୍ଳାନ ପ୍ରକଟିତ ହେବନାହିଁ ।

 

ବହୁ ରୂପ, ବହୁ ବର୍ଣ୍ଣ ଏବଂ ବିଷଜ୍ୱାଳାର ଏ ସାପମାନେ ମୋର ସମସ୍ତ ମାନନୀୟ ପିତୃକୁଳକୁ ଏବଂ ସେମାନଙ୍କର ମାନବୀୟ ମୂଲ୍ୟମାନଙ୍କୁ ହତ୍ୟା କରିଛନ୍ତି । ସମଗ୍ର ଦେଶ, ବିବର୍ଣ୍ଣ, ମୁମୂର୍ଷପ୍ରାୟ ଉତ୍ତାନ ପଡ଼ିରହିଛି । କୋଟି କୋଟି ସାପ ତା’ ବକ୍ଷ ଉପରେ ବିଚରଣ କରୁଛନ୍ତି, ତାକୁ ଦଂଶନକରି ଚାଲିଛନ୍ତି । ମନେହେଉଛି, ଏ ଦେଶରେ କେବଳ ଦୁଇଟି ବିକଳ୍ପ ସମ୍ଭବ । ହୁଏତ ଜଣେ ବିଷପାନ କରୁଥିବ, ଏବଂ ବିଷ ବମନ କରୁଥିବ । ଦଂଶନ-ପ୍ରବଣ ସାପଟିଏ, କିମ୍ବା ଅହରହ ଚୋଟ ଖାଇ, ବିଷ ଜ୍ୱାଳାରେ ଟଳିପଡ଼ୁଥିବା ପରାହତ ବ୍ୟକ୍ତିଟିଏ, ଅଥବା ବୃକ୍ଷଟିଏ ! ମନେହେଉଛି ଏ ପୃଥିବୀରେ ସର୍ପଶାସନ ହିଁ ଚିରନ୍ତନ ବିଧାନ ହୋଇ ରହିଯିବ । ଏମାନଙ୍କ କବଳରୁ ମୁକ୍ତ ହେବାପାଇଁ ସୁରଭିପରି ନୀରବ ଅଶ୍ରୁପାତ କରୁଥିବା ଅସହାୟ ପୃଥିବୀର ଅନ୍ୟ ଉପାୟ ନାହିଁ । ମୁଁ ମଧ୍ୟ ଅସହାୟ । ମୋ ଭିତରେ ଯାତନା କେବଳ ମୃତ୍ୟୁର । ମୁଁ କ୍ରୋଧ ପ୍ରକାଶ କରିପାରୁଥିବା କୌଣସି ଅପରାଜେୟ ବ୍ୟକ୍ତି ବିଶେଷ ନୁହେଁ । ମୁଁ ସର୍ପଯଜ୍ଞ ଆବାହନ କରିପାରିବି ନାହିଁ । ସେଭଳି ଋତ୍ୱିକ ମଧ୍ୟ ନାହନ୍ତି, ଯେଉଁମାନେ ମନ୍ତ୍ରାହୁତି ବଳରେ ଏ ପ୍ରବଳ ଭୁଜଙ୍ଗମାନଙ୍କୁ ଯଜ୍ଞ ଅନଳରେ ନିକ୍ଷେପ କରିପାରିବେ; କିନ୍ତୁ ସର୍ପାହତ ହୋଇ ପ୍ରାଣତ୍ୟାଗ କରିବା ପୂର୍ବରୁ ମୁଁ କେବଳ ଚାହିଁରହିବି ଦିଗ୍‌ବଳୟକୁ । ଏ ଦିଗ୍‌ଚକ୍ର ହିଁ ବିଶାଳତମ ଯଜ୍ଞକୁଣ୍ଡରେ ପରୀକ୍ଷା । ସେ ଯଜ୍ଞରେ ସୂର୍ଯ୍ୟ ହିଁ ଅଗ୍ନି, ଆକାଶ, ଧୂମ, ନକ୍ଷତ୍ରମାନେ ସ୍ଫୁଲିଙ୍ଗ । ମହାକାଳ ସେ ଯଜ୍ଞାନଳର ଶିଖା । ଏଥିରେ ଅହରହ ଭସ୍ମୀଭୂତ ହେଉଛନ୍ତି ଚରାଚର ପ୍ରାଣୀ । ସର୍ପ, ସର୍ପେତର, ଦଂଶକ, ଦଂଶିତ, ସମସ୍ତେ ପ୍ରଚଣ୍ଡ ଚିତାନଳରେ ନିକ୍ଷିପ୍ତ ହେଉଛନ୍ତି । ନିର୍ବିଚାର ମହାକାଳ–ଅଗ୍ନି ସେମାନଙ୍କୁ ଭକ୍ଷଣକରି ଚାଲିଛି । ତାହାହିଁ ଏକମାତ୍ର ଆଶ୍ୱାସନା । ପିତୃହନ୍ତାକୁ ଜାଳିଦେବାର ସାମାର୍ଥ୍ୟ ଯାହାର ନାହିଁ, ସେ କେବଳ ଅପେକ୍ଷା କରିବ, କେତେବେଳେ କାଳଯଜ୍ଞ, ସର୍ପଯଜ୍ଞରେ ପରିଣତ ହେବ; କେତେବେଳେ ହୋତା ପୁରୋଧା ଅଧ୍ୱର୍ଯ୍ୟୁ ସମସ୍ତେ ହେବେ କାଳରୂପ । ସମଗ୍ର ସର୍ପକୂଳ ସେତେବେଳେ ହୁଏତ ବିନାଶ ହୋଇଯିବେ । ହୁଏତ ପୃଥିବୀ ମୁକ୍ତ ହୋଇଯିବ ବିଷରୁ ଏବଂ ନାଗଫାଶରୁ ।

Image